ଜନଗଣନାକୁ ନେଇ ଓଡ଼ିଶା-ଆନ୍ଧ୍ର ସୀମାରେ ତାତି... ରାୟଗଡ଼,୦୮/୦୫(ନି.ପ୍ର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନରେ ଥିବା ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତ ଏବେ ଆନ୍ଧ୍ର ଓ ...
ଜନଗଣନାକୁ ନେଇ ଓଡ଼ିଶା-ଆନ୍ଧ୍ର ସୀମାରେ ତାତି...
ରାୟଗଡ଼,୦୮/୦୫(ନି.ପ୍ର): ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧୀନରେ ଥିବା ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତ ଏବେ ଆନ୍ଧ୍ର ଓ ଓଡ଼ିଶା ପ୍ରଶାସନ ମଧ୍ୟରେ ଏକ ଶକ୍ତି ପ୍ରଦର୍ଶନର କେନ୍ଦ୍ରବିନ୍ଦୁ ପାଲଟିଛି।
Ad..
ଓଡ଼ିଶା ସରକାରଙ୍କ ଦ୍ୱାରା ଜନଗଣନା କାର୍ଯ୍ୟ ଜାରି ରହିଥିବା ବେଳେ ଆନ୍ଧ୍ର ପ୍ରଶାସନର ଅନୁପ୍ରବେଶ ଏବଂ "ଦାଦାଗିରି" ସୀମାନ୍ତ ଗାଁଗୁଡ଼ିକରେ ତୀବ୍ର ଚାପା ଉତ୍ତେଜନା ସୃଷ୍ଟି କରିଛି।ପ୍ରକାଶ ଯେ, ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା ଓ ଗୁଡ଼ିଖୁଡ଼ି ଭଳି ଗାଁରେ ଓଡ଼ିଶା ପ୍ରଶାସନ ପକ୍ଷରୁ ଜନଗଣନା ପାଇଁ ଘର ନମ୍ବର ଲେଖାଯାଇଥିଲା।
Ad..
ମାତ୍ର କିଛି ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଆନ୍ଧ୍ର କର୍ମଚାରୀମାନେ ସୀମା ପାର ହୋଇ ଆସି ଓଡ଼ିଶାର ନମ୍ବର ଉପରେ ରଙ୍ଗ ମାରି ନିଜର ନମ୍ବର ଲେଖିଦେଇଥିବା ଅଭିଯୋଗ ହୋଇଛି।ଖବର ପାଇ ଗୁରୁବାର ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ତହସିଲଦାର ସୁକାନ୍ତ କୁମାର ପ୍ରଧାନ ଏବଂ ଗାରାବନ୍ଧ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।
Ad..
ପ୍ରଶାସନ ପକ୍ଷରୁ ଆନ୍ଧ୍ରର ନମ୍ବର ଲିଭାଯାଇ ପୁଣି ଥରେ ଓଡ଼ିଶା ସରକାରଙ୍କ ଜନଗଣନା ନମ୍ବର ଲେଖାଯାଇଛି। ସୀମାନ୍ତ ଅଞ୍ଚଳର ଏହି ସମସ୍ୟା କେବଳ ଭୌଗୋଳିକ ନୁହେଁ ବରଂ ଏହା ପଛରେ ରହିଛି ସରକାରୀ ସୁବିଧା ପାଇବାର ଏକ ରଣନୀତି।
ସୀମାନ୍ତର କିଛି ପରିବାର ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲା ସହ ଆନ୍ଧ୍ରରୁ ମଧ୍ୟ ସରକାରୀ ସୁବିଧା ହାସଲ କରୁଥିବା ଅଭିଯୋଗ ହେଉଛି। ଯେତେବେଳେ ଜନଗଣନା କଥା ଆସୁଛି ଏହି ପରିବାରମାନେ ଆନ୍ଧ୍ର କର୍ମଚାରୀଙ୍କୁ ସମର୍ଥନ କରି ବିବାଦ ସୃଷ୍ଟି କରୁଛନ୍ତି। ଯାହା ପ୍ରଶାସନ ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି।
ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମତରେ ଜିଲ୍ଲା ପ୍ରଶାସନର କୋହଳ ମନୋଭାବ ଯୋଗୁଁ ଆନ୍ଧ୍ର ବାରମ୍ବାର ସୀମା ଲଂଘିବାକୁ ସାହସ କରୁଛି। ଯଦି ଏହି ବିବାଦର ସ୍ଥାୟୀ ସମାଧାନ କରା ନଯାଏ ତେବେ ଆଗାମୀ ଦିନରେ ଏହା ଏକ ବଡ଼ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ ଯେ, ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ସୀମାନ୍ତରେ ଏହି ବିବାଦ ବହୁ ପୁରୁଣା। ବିଶେଷ କରି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା ଯୋଜନାକୁ ନେଇ ଆନ୍ଧ୍ର ସରକାର ସୀମାନ୍ତ ଲୋକଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରି ସଫଳତା ହାସଲ ମଧ୍ଯ କରିଛି । ଆଗକୁ ନିର୍ବାଚନ କିମ୍ବା ଜନଗଣନା ଥିଲେ ଏହିଭଳି ଅନୁପ୍ରବେଶ ବୃଦ୍ଧି ପାଇବା ଏକ ନିୟମିତ ଘଟଣା ପାଲଟିଛି।
Edited by k.s thakur...





No comments