ତିନି ରଥରେ ଉଠିଲା ଚାରି ନାହାକା, ଆଗକୁ ଛଅ କାଠ ଉଠିବ...
ପୁରୀ,୦୫/୦୬: ଗୁରୁବାର ୩ ରଥରେ ଚାରି ନାହାକା ଉଠିଲା। ରଥ ଉପର ଭାଗ ନିର୍ମାଣ ପୂର୍ବରୁ ଏହା ପ୍ରାଥମିକ କାର୍ଯ୍ୟ। ସ୍ନାନ ପୂର୍ଣ୍ଣମୀର ଯଥେଷ୍ଟ ପୂର୍ବରୁ ଚାରି ନାହାକା ଉଠାଯିବା ରଥ ନିର୍ମାଣର ଅଗ୍ରଗତି ସୂଚାଉଛି। ଚାରି ନାହାକା ଉଠାଇ ସାରି ଭୋଇସେବକମାନେ ହରିବୋଲ ଧ୍ୱନି ଦେଇଥିଲେ।
Ad..
ରଥ ନିର୍ମାଣ ପରମ୍ପରାରେ ଏହା ହେଉଛି ତୃତୀୟ ହରିବୋଲ ଡ଼ାକ। ଏଥିସହ ଦୁଇ ଗୋଟି ଲେଖାଏଁ ପାଶ୍ୱର୍ ନିରାଡ଼ି ରଥରେ ଲାଗିଯାଇଛି।ଗରଗରା କଣ୍ଟା ପଡ଼ିଗୟଳ ମୋଡ଼ାଯିବାପରେ ଚାରି ନାହାକା ଉଠିବା ପାଇଁ ପ୍ରସ୍ତୁତି ହୋଇଥିଲା।
ଆଗେ ତିନି ରଥର ମୁଖ୍ୟ ବିଶ୍ୱକର୍ମାମାନେ ଅନୁକୂଳ କରିଥିଲେ। ଏହାପରେ ରଥରେ ୪ଟି ଫାଳିକୁ ଭୋଇ ସେବକମାନେ ବାନ୍ଧିଥିଲେ। ଚାରି ନାହାକର ତଳପଟେ ପନିକିପଟା ଓ ଉପରେ ସାଲ ହୋଇଥିଲା।
ଭୋଇ ସେବକମାନେ ଫାଳି କାଠ ଉପରେ ଚଢ଼ି ଚାରି ନାହାକା ପୋତିଥିଲେ । ଗରଗରାର ବିନ୍ଧରେ ଚାରି ନାହାକା କାଠ ୪ଟିର ପନିକିପଟା ପାଶ୍ୱର୍କୁ ଭର୍ତ୍ତି କରାଯାଇଥିଲା । ଏହାପରେ ୩ୟ ଥର ପାଇଁ ଭୋଇ ସେବକମାନେ ହରିବୋଲ ପକାଇଥିଲେ ।
ପରେ ତିନିଟି ଲେଖାଏଁ ଜଳଯନ୍ତ୍ର ଓ ୨ଟି ଲେଖାଏଁ ଗୁଜ ସ୍ଥାପନ କରାଯାଇ ତିନି ରଥର ପାଶ୍ୱର୍ ନିରାଡି ଉଠିଥିଲା।ଦଣ୍ଡା ସହିତ ଗୟଳକୁ ଢେରି ରଖିବା ପାଇଁ ଟାଣ ଦିଆଗଲା।ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୭ଟି ଲେଖାଏଁ ଟାଣ ଓ ଦେବଦଳନ ରଥରେ ୫ଟି ଟାଣ ଦିଆଯାଇଛି।
ସେହିଭଳି ପ୍ରତ୍ୟେକ ରଥରେ ୪ଟି ଲେଖାଏଁ ଅଶୁଂଆରି ଲାଗିଛି। ତିନି ରଥରେ ୨ଟି ଲେଖାଏଁ ଗୟଳକୁ ଭୋଇ ସେବକମାନେ ଟେକି ଆଣି ଆଗ ପଛ ନିରାଡି ଉପରେ ରଖିଥିଲେ।
ମୁଖ୍ୟ ବିଶ୍ୱକର୍ମାମାନଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ଏହି କାମ ସମ୍ପନ୍ନ କରିଛନ୍ତି। କରତି ସେବକ, ଓଝା ଓ ରୁପକାର ସେବକମାନେ ରଥ ନିର୍ମାଣରେ ନିୟୋଜିତ ଅଛନ୍ତି। ଆଗକୁ ଚାରି ନାହାକା ଉପରେ ଛଅ କାଠ ଉଠିବ। ଉତ୍ତମ ସମନ୍ୱୟ ମଧ୍ୟରେ ତିନି ରଥର ନିର୍ମାଣକାର୍ଯ୍ୟ ଚାଲିଛି।
Edited by k.s thakur...


