ଲାର୍କି ରାମୋଡ଼ ଛକ–ଗଣ୍ଡାପଡ଼ା ସଂଯୋଗୀ ରାସ୍ତା ଶୋଚନୀୟ; କାଦୁଅ ପଚପଚରେ ଯାତାୟାତ ବ୍ୟାହତ, ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି...

ଲାର୍କି ରାମୋଡ଼ ଛକ–ଗଣ୍ଡାପଡ଼ା ସଂଯୋଗୀ ରାସ୍ତା ଶୋଚନୀୟ; କାଦୁଅ ପଚପଚରେ ଯାତାୟାତ ବ୍ୟାହତ, ପ୍ରଶାସନର ଦୃଷ୍ଟି ଆକର୍ଷଣ ଦାବି...


ତୁରେକେଲା,୦୧/୦୯(ରୁରେନ୍ଦ୍ର ସୁନାନୀ): ତୁରେକେଲା ବ୍ଲକ ଅନ୍ତର୍ଗତ ଲାର୍କି ରାମୋଡ଼ ଛକରୁ ଗଣ୍ଡାପଡ଼ାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଅବସ୍ଥା ଏବେ ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।

           Ad..


 ବିଶେଷକରି ତୁରେକେଲା–କଣ୍ଟାବାଞ୍ଜି ମୁଖ୍ୟ ସଡ଼କ ସହ ସଂଯୁକ୍ତ ଏହି ରାସ୍ତା ବର୍ଷା ଦିନରେ ସମ୍ପୂର୍ଣ୍ଣ କାଦୁଅମୟ ପାଲଟିଯାଇଛି। ଫଳରେ ସାଧାରଣ ଲୋକ, ଛାତ୍ରଛାତ୍ରୀ, ବୃଦ୍ଧବୃଦ୍ଧା ଓ ଦୁଇଚକିଆ ଯାନଚାଳକମାନେ ପ୍ରତିଦିନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ରାସ୍ତାଟିରେ ଦୀର୍ଘଦିନ ଧରି ମରାମତି କାର୍ଯ୍ୟ ହୋଇନଥିବାରୁ ବର୍ଷା ପାଣି ଜମି ରହୁଛି। ସମଗ୍ର ରାସ୍ତା କାଦୁଅରେ ପଚପଚ ହୋଇଯାଇଥିବାରୁ ଯାତାୟାତ କରିବା ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି। 

ଅନେକ ସମୟରେ ବାଇକ୍ ଚାଳକମାନେ ପିଛଳି ପଡ଼ୁଥିବା ବେଳେ ପାଦଚାରୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀ ସ୍ୱାସ୍ଥ୍ୟ ସେବା, ସ୍କୁଲ ଓ ବଜାରକୁ ଯାଉଥିବା ଲୋକମାନଙ୍କ ପାଇଁ ଏହି ରାସ୍ତା ଦୈନନ୍ଦିନ ଯନ୍ତ୍ରଣାର କାରଣ ପାଲଟିଛି।

ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି ଯେ, ରାସ୍ତାର ଦୁରବସ୍ଥା ସମ୍ପର୍କରେ ବାରମ୍ବାର ସମ୍ପୃକ୍ତ ବିଭାଗ ଓ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇନାହିଁ। କେବଳ ଆଶ୍ୱାସନରେ ସୀମିତ ରହିଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।

ଏହି ରାସ୍ତା ଦେଇ ପ୍ରତିଦିନ ଶତାଧିକ ଲୋକ ଯାତାୟାତ କରୁଥିବାରୁ ଏହାର ଶୀଘ୍ର ମରାମତି ଅତ୍ୟନ୍ତ ଆବଶ୍ୟକ ବୋଲି ସ୍ଥାନୀୟବାସୀ ଦାବି କରିଛନ୍ତି। ବର୍ଷା ଋତୁ ଶେଷ ହେବା ପୂର୍ବରୁ ଯଦି ରାସ୍ତାର ମରାମତି ଓ ଡ୍ରେନେଜ୍ ବ୍ୟବସ୍ଥା କରାନଯାଏ, ତେବେ ଆଗାମୀ ଦିନରେ ବଡ଼ ଧରଣର ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।

ଅତଏବ, ସାଧାରଣ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଜୋରଦାର ଦାବି କରିଛନ୍ତି।



Edited by k.s thakur...

Post a Comment

Previous Post Next Post