ପାଣିରେ ଧୋଇଗଲା ରାସ୍ତା-କଲଭର୍ଟ : ନିମ୍ନମାନର କାମ ଅଭିଯୋଗ ଆଣିଲେ ଗ୍ରାମ ବାସୀ...ପୁରୁଣା ପୋଲ ଉପରେ ନିର୍ମାଣକୁ ନେଇ ଉଠିଲା ପ୍ରଶ୍ନ ?
ମୁରିବାହାଲ,୧୨/୦୭(ଶଙ୍କର ମାଝୀ) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଚନାବାହାଲ ପଂଚାୟତ କୁମ୍ଭାରୀ ଗ୍ରାମ ଏବଂ ସାଲେପଡା କୁ ସଂଯୋକ କରୁଥିବା ରାସ୍ତା କୁ ଗ୍ରାମାଞ୍ଚଳର ବିକାଶ ନାମରେ ସରକାର ବିଭିନ୍ନ ଯୋଜନାରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ନିମ୍ନମାନର କାମ ଯୋଗୁଁ ସରକାରୀ ଅର୍ଥର ଅପବ୍ୟୟ ହେଉଥିବା ଅଭିଯୋଗ ପୁଣି ଥରେ ସାମ୍ନାକୁ ଆସିଛି।
Ad..
‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ପ୍ରାୟ ୯ ଲକ୍ଷ ୬ ହଜାର ଟଙ୍କା ବ୍ୟୟରେ କୁମ୍ଭାରୀରୁ ସାଲେପଡ଼ା ସଂଯୋଗକାରୀ ରାସ୍ତା ଓ କଲଭର୍ଟ ନିର୍ମାଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଗ୍ରାମବାସୀଙ୍କ ଦାବି ପରେ ରାସ୍ତା କାମ ପାଇଁ ଆହୁରି ୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ସେମାନେ କହିଛନ୍ତି।
ମାତ୍ର ଲଗାଣ ବର୍ଷାରେ ନୂତନ ରାସ୍ତାର ଏକାଂଶ ଧୋଇଯିବା ସହ କଲଭର୍ଟ ନିକଟସ୍ଥ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବାରୁ କାର୍ଯ୍ୟର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି।
ଗ୍ରାମବାସୀ ଦୟା ମାଝୀ, ସାଧୁ ସାଣ୍ଡ, ମୁରଲୀ ଖମାରୀ ଓ ସତ୍ୟ ଖମାରୀଙ୍କ କହିବା ଅନୁସାରେ, ନିର୍ମାଣ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବା ସହ ଆବଶ୍ୟକ ସ୍ଥାନରେ ଗାର୍ଡୱାଲ ନିର୍ମାଣ କରାଯାଇନଥିଲା।
ଏନେଇ ସେମାନେ ଗତ ମେ ୨୭ ତାରିଖରେ ବିଡିଓ ବାସନ୍ତୀ ସେଠୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗ ପରେ ମଧ୍ୟ କୌଣସି ଉଚ୍ଚପଦସ୍ଥ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିନଥିବା ସେମାନେ ଅଭିଯୋଗ କରିଛନ୍ତି।
ରାସ୍ତା ଧୋଇଯିବା ଫଳରେ କୁମ୍ଭାରୀ ଗ୍ରାମବାସୀଙ୍କ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବା,ଚାଷକାମ ସହ ଦୈନନ୍ଦିନ ଯାତାୟାତରେ ନାନା ସମସ୍ୟା ଉପୁଜିଛି। ଅଭିଯୋଗ ଅନୁଯାୟୀ, ଯେଉଁ ସ୍ଥାନରେ ପ୍ରକୃତରେ ପାଣିର ସ୍ରୋତ ରହିଛି, ସେଠାରେ କଲଭର୍ଟ ନିର୍ମାଣ ନକରି ଅନ୍ୟ ସ୍ଥାନରେ ଏହା ନିର୍ମାଣ କରାଯାଇଛି।
ସେହିପରି ପୁରୁଣା ପୋଲ ଉପରେ ନୂତନ ରାସ୍ତା ନିର୍ମାଣ କରାଯାଇଥିବାରୁ ମଧ୍ୟ କାର୍ଯ୍ୟର ମାନକୁ ନେଇ ପ୍ରଶ୍ନ ଉଠିଛି।ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଦେବାନନ୍ଦ ମେହେରଙ୍କ ସହ ଯୋଗାଯୋଗର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ।
ଅନ୍ୟପକ୍ଷରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅବିନାଶ ମୋଦୀ କହିଛନ୍ତି, ଘଟଣାସ୍ଥଳକୁ ଯାଇ ଯାଞ୍ଚ କରାଯିବ ଏବଂ ଯଦି କୌଣସି ତ୍ରୁଟି କିମ୍ବା ଅନିୟମିତତା ମିଳେ ନିୟମାନୁସାରେ ପଦକ୍ଷେପ ନିଆଯିବ।
ଘଟଣାର ନିରପେକ୍ଷ ତଦନ୍ତ କରି ଯଦି କୌଣସି ଅନିୟମିତତା କିମ୍ବା ଦୁର୍ନୀତି ପ୍ରମାଣିତ ହୁଏ, ତେବେ ସଂପୃକ୍ତ ଠିକାଦାର ଓ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Edited by k.s thakur...


