ପଦ୍ମପୁରରେ 'ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ' କାର୍ଯ୍ୟକ୍ରମ: ଉଠା ଦୋକାନୀଙ୍କୁ ମିଳିଲା ପରିଚୟ ପତ୍ର...
ପଦ୍ମପୁର,୧୯/୦୬(ବିଜୟ କୁମାର ସାହୁ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପକ୍ଷରୁ ସ୍ଥାନୀୟ ରାଜାଜୀ ଟାଉନ ହଲଠାରେ 'ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗିଦାରୀ' କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି।
Ad..
ସହରର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ଏବଂ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।
ପଦ୍ମପୁର ଏନ୍.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାମଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏମ୍.ଆଇ.ଏସ୍. ଶ୍ରୀ ଦିବ୍ୟ କିଶୋର ପୁରୋହିତ ପରିଚାଳନା କରିଥିଲେ।
କାର୍ଯ୍ୟକ୍ରମରେ ଏନ୍.ଏ.ସି. ଉପାଧ୍ୟକ୍ଷା ଶ୍ରୀମତୀ ଭାରତୀ ପଟ୍ଟନାୟକ, ପାରିଷଦ ଶ୍ରୀ କୁନାଲ ପାଣିଗ୍ରାହୀ, ପି.ଏଚ୍.ଡି. ଯନ୍ତ୍ରୀ ମିସ୍ ବବିତା ବିଶ୍ୱାସ ରାୟ ଏବଂ ସହକାରୀ ଯନ୍ତ୍ରୀଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ଯୋଗ ଦେଇଥିଲେ।
ଏହି ଅବସରରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ବିଭିନ୍ନ ୱାର୍ଡର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଉଠା ଦୋକାନୀ, ମିଶନ ଶକ୍ତି ଗ୍ରୁପର ସଦସ୍ୟା ଏବଂ କଲେଜ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ପ୍ରଶାସନକୁ ଅବଗତ କରାଇଥିଲେ।
ପ୍ରଶାସନ ପକ୍ଷରୁ ସମସ୍ୟାର ସମାଧାନ ଦିଗରେ ଦ୍ରୁତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ଦୈନିକ ବଜାରର ଉଠା ଦୋକାନୀମାନଙ୍କୁ ପରିଷଦ ତରଫରୁ ସ୍ୱତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜଳ ସାଥି, ସ୍ୱଚ୍ଛ ସାଥି, ପ୍ଲାଣ୍ଟ ମ୍ୟାନେଜର, କମ୍ୟୁନିଟି ପାର୍ଟନର ଏବଂ ମିଲେଟ ମିଶନ ଗ୍ରୁପର ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସହରର ବିକାଶ କାର୍ଯ୍ୟରେ ଜନସାଧାରଣଙ୍କ ସହଭାଗିତାକୁ ଏହି କାର୍ଯ୍ୟକ୍ରମ ଆହୁରି ମଜବୁତ କରିବ ବୋଲି ପ୍ରଶାସନ ପକ୍ଷରୁ ମତ ପ୍ରକାଶ ପାଇଛି।
Edited by k.s thakur...


