"ପ୍ରଶାସନିକ ବିଫଳତାର ଚରମ ସୀମା :ବ୍ଲକ୍ ସମ୍ମୁଖରେ ମହିଳାଙ୍କ ଚକାଜାମ୍, ଅନଶନରେ ଜନପ୍ରତିନିଧି " ଓ ସମିତି ସଭ୍ୟ...
ମୁରିବାହାଲ,୦୧/୦୬(ଶଙ୍କର ମାଝୀ) : ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ପାଣି ପାଇଁ ମହିଳା ମାନଙ୍କ ଙ୍କ ଦ୍ୱାରା ରାସ୍ତା ରୋକ ରାଜ୍ୟରେ ନିଆଁ ବର୍ଷୁଛି, ପାରଦ ୪୭ ଡିଗ୍ରୀ ଉପରେ। କିନ୍ତୁ ଏହି ସାଂଘାତିକ ପରିସ୍ଥିତିରେ ବି ପ୍ରଶାସନ ନିଘୋଡ଼ ନିଦ୍ରାରେ ସୋଇଛି ପଞ୍ଚାୟତରେ ନା ଅଛି ‘ଜଳ ଛତ୍ର’ ନା ହେଉଛି ଜଳ ଯୋଗାଣ।
Ad..
ବ୍ଲକ୍ ପ୍ରଶାସନ ଓ ପଞ୍ଚାୟତ ଅଧିକାରୀଙ୍କ ଏଭଳି ସ୍ଥାଣୁତା ବିରୁଦ୍ଧରେ ଆଜି ଗର୍ଜିଛନ୍ତି ଶତାଧିକ ମହିଳା। ବ୍ଲକ୍ ସମ୍ମୁଖରେ ରାସ୍ତା ରୋକ କରିବା ସହ ସମିତି ସଭ୍ୟ ଅନଶନରେ ବସିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଅଭିଯୋଗ ଅନୁସାରେ,ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପାନୀୟ ଜଳ ପାଇଁ ଡହଳବିକଳ ହେଉଛନ୍ତି ମୁରିବାହାଲ ବ୍ଲକ୍ ହେଡ୍ କ୍ୱାର୍ଟର ପଞ୍ଚାୟତର ଗ୍ରାମବାସୀ।
ସରକାରୀ ନିୟମ ଅନୁଯାୟୀ, ପ୍ରତି ଜନଗହଳି ପୂର୍ଣ୍ଣ ସ୍ଥାନରେ ଜଳ ଛତ୍ର ଖୋଲିବା କଥା, କିନ୍ତୁ ପଞ୍ଚାୟତ ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଲୋକେ ଢୋକେ ପାଣି ପାଇଁ ମାଇଲ୍ ମାଇଲ୍ ଚାଲୁଛନ୍ତି ହେଲେ ପାଣି ଟୋପାଏ କେଉଁଠି ବି ପାଇ ପାରୁନାହାଁନ୍ତି ।
ଏହାର ପ୍ରତିବାଦରେ ଆଜି ସକାଳୁ ସ୍ଥାନୀୟ ମହିଳାମାନେ ଖାଲି ଗରିଆ ଓ ବାଲ୍ଟି ଧରି ସ୍ଥାନୀୟ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରିଥିଲେ। "ପ୍ରଶାସନ ମୁର୍ଦ୍ଦାବାଦ" ଧ୍ୱନିରେ କମ୍ପିଥିଲା ପରିବେଶ। ସେପଟେ ଜନସାଧାରଣଙ୍କ ହକ୍ ପାଇଁ ବୃଦ୍ଧା ବୟସରେ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଛନ୍ତି।
ଲୋକେ ଶୋଷରେ ଆତଯାତ ହେଉଥିବା ବେଳେ ବ୍ଲକ୍ ପ୍ରଶାସନ କାହା ଅପେକ୍ଷାରେ ଅଛି ?ଜଳ ଛତ୍ର ପାଇଁ ଆସୁଥିବା ପାଣ୍ଠି କୁଆଡ଼େ ଯାଉଛି?ପଞ୍ଚାୟତ ଅଧିକାରୀଙ୍କୁ ସାଧାରଣ ଲୋକଙ୍କ ସମସ୍ୟା ଦେଖାଯାଉ ନାହିଁ କାହିଁକି ?
ଘଣ୍ଟା ଘଣ୍ଟା ଧରି ରାସ୍ତା ରୋକ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଯଦି ତୁରନ୍ତ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ନହୁଏ ଏବଂ ଜଳ ଛତ୍ର ଖୋଲା ନଯାଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦିଆଯାଇଛି।
ଏବେ ଦେଖିବାକୁ ବାକି ରହିଲା, ଏହି ଶୋଷିଲା କଣ୍ଠର ସ୍ୱର ପ୍ରଶାସନ କାନରେ ପହଞ୍ଚୁଛି ନା ଏମିତି ଚେମେଣିଆ ପଟା ପରି ପ୍ରଶାସନ ଚୁପ୍ ରହୁଛି।
Edited by k.s thakur...


