ଅସ୍ତିତ୍ବ ଖୋଜୁଛି ଆଦର୍ଶ ଗାଁ ଦୟାନିଧିଗୁଡ଼ା...

ଅସ୍ତିତ୍ବ ଖୋଜୁଛି ଆଦର୍ଶ ଗାଁ ଦୟାନିଧିଗୁଡ଼ା...


କୋରାପୁଟ,୧୬/୦୬(ନି.ପ୍ର): ୩୦ ବର୍ଷ ତଳର ଘଟଣା। ଆଦର୍ଶ ଗାଁ ଦୟାନିଧିଗୁଡ଼ାରୁ ୧୯୯୫ରେ କେବିକେ ଯୋଜନାର ଶୁଭାରମ୍ଭ କରିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି.ନରସିଂହ ରାଓ। ଏହା ଭିତରେ ବଦଳିଛି କେବିକେ ଜିଲ୍ଲା ବିକାଶର ଚିତ୍ର। ମୁଖ୍ୟସ୍ରୋତରେ ସାମିଲ ହୋଇଛି ଅନେକ ଗାଁ।

Ad..


ହେଲେ କେବିକେ ଯୋଜନାର ନିଅଁ ପଡ଼ିଥିବା ଦୟାନିଧିଗୁଡ଼ା ଅବହେଳିତ ଅବସ୍ଥାରେ ରହିଗଲା। ଏବେ ଏହି ଆଦର୍ଶ ଗାଁ ନିଜ ଅସ୍ତିତ୍ବକୁ ଖୋଜୁଛି। କୋରାପୁଟ ସଦର ବ୍ଲକ୍‌ କେନ୍ଦାର ପଞ୍ଚାୟତ ଅଧୀନ ଏହି ଗାଁକୁ ଆଦର୍ଶ ଗାଁର ମାନ୍ୟତା ଦେବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ଆସିଥିଲେ।

ପ୍ରଧାନମନ୍ତ୍ରୀ ଆସୁଥିବାରୁ ଗାଁକୁ ନିର୍ମାଣ ହୋଇଥିଲା ଚକାଚକ୍‌ ରାସ୍ତା। ରାସ୍ତାପାର୍ଶ୍ବ କଚ୍ଚାଘରଗୁଡ଼ିକୁ ଇନ୍ଦିରା ଆବାସ ଯୋଜନାରେ ସାମିଲ କରି ଆଜବେଷ୍ଟସ୍‌ ଘର ନିର୍ମାଣ କରାଗଲା। ବିଦ୍ୟାଳୟ ସୌନ୍ଦର୍ଯ୍ୟୀକରଣ, ଗାଁ ଉପରମୁଣ୍ଡରେ ପଡ଼ିଆ ଜମିକୁ ଜଳଯୋଗାଣ ପାଇଁ ତଳମୁଣ୍ଡରେ ଥିବା ନାଳରୁ ଉଠାଜଳସେଚନ ବ୍ୟବସ୍ଥା କରାଗଲା। 

ରାତାରାତି ବଦଳି ଯାଇଥିଲା ଦୟାନିଧିଗୁଡ଼ାର ଚେହେରା। ପ୍ରଧାନମନ୍ତ୍ରୀ ଗାଁରେ ପହଞ୍ଚି ତେଲଙ୍ଗଣି ନାଳରେ ନିର୍ମାଣ ହୋଇଥିବା ପୋଲ ଉଦ୍‌ଘାଟନ କରିଥିଲେ। ସେହି ସ୍ଥାନରୁ କେବିକେ ଯୋଜନା ଶୁଭାରମ୍ଭ ହେଲା। 

ଗ୍ରାମବାସୀ ଭାବିଥିଲେ ତାଙ୍କ ଗାଁର ବିକାଶ ଅନ୍ୟ ଗାଁ ପାଇଁ ଉଦାହରଣ ହୋଇ ରହିବ।କେବିକେ ଯୋଜନାରେ ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ରହିନି। କେନ୍ଦ୍ର ଓ ରାଜ୍ୟ ଉଭୟେ ଅନୁଦାନ ଅଜାଡ଼ି ଦେଇଛନ୍ତି। ଅନ୍ୟ ଅଞ୍ଚଳର ଭାଗ୍ୟ ବଦଳାଇବା ଲାଗି ଯେଉଁ ଯୋଜନାର ଶୁଭାରମ୍ଭ ଦୟାନିଧିଗୁଡାର ଆରମ୍ଭ ହୋଇଥିଲା ସେହି ଗାଁ ଏବେ ଅବହେଳିତ ଅବସ୍ଥାରେ।

ପ୍ରଧାନମନ୍ତ୍ରୀ ଉଦ୍‌ଘାଟନ କରିଥିବା ପୋଲତଳୁ ସିମେଣ୍ଟ ଧୋଇଯାଇ ପଥର ଦିଶିଲାଣି। ବନ୍ୟାପାଣି ଆସିଲେ କେତେବେଳେ ପୋଲ ଭାସିଯିବ ସେ ଆଶଙ୍କାରେ ଗ୍ରାମବାସୀ। ଉଠାଜଳସେଚନ ପ୍ରକଳ୍ପ ମୋଟର ଅଚଳ କାରଣରୁ ବହୁ ବର୍ଷ ହେବ ଅଚଳ ପଡ଼ିଛି। 

୨୦ ବର୍ଷ ପୂର୍ବେ ନାଳରେ ନିର୍ମାଣ ହୋଇଥିବା ଚେକ୍‌ଡ୍ୟାମ୍‌ ପାଣି ଜମିକୁ ମାଡ଼ୁନି। ଗ୍ରାମର ୮୦ ପ୍ରତିଶତ ପରିବାର ଗରିବ ଶ୍ରେଣୀର। ବହୁ ପରିବାରକୁ ପକ୍କାଘର ମିଳିନଥିବା ବେଳେ ଗାଁର ସାହି ଗୁଡ଼ିକରେ ପକ୍କାରାସ୍ତା ନିର୍ମାଣ ହୋଇପାରିନି। ଗାଁରେ କାମ ମିଳୁନଥିବାରୁ ସହରରେ କୁଲି କାମ ସହ ଅନେକ ବାହା ରାଜ୍ୟରେ ଦାଦନ ଖଟୁଛନ୍ତି। 

ପାଇପ୍‌ ଜଳଯୋଗାଣ ହୋଇନି। ଗାଁରେ ଥିବା ୨ଟି ନଳକୂଅରୁ ଗୋଟିଏ ଅଚଳ। ଗୋଟିଏରେ ପାଣିପାଇଁ ଲମ୍ବାଧାଡ଼ି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ଆଉ କିଛି ବିକାଶ ହୋଇନଥିବା ଗାଁର କୃଷ୍ଣଚନ୍ଦ୍ର ସୂର୍ଯ୍ୟ, ଶଙ୍କର ଜାନୀ ପ୍ରମୁଖ ଅଭିଯୋଗ କରିଛନ୍ତି। 

ବରିଷ୍ଠ ଆଇନଜୀବୀ ଅଜିତ କୁମାର ପାତ୍ର କହିଛନ୍ତି, କେବିକେ ଯୋଜନାର ଅନ୍ତୁଡ଼ିଶାଳକୁ ସରକାର ଅବହେଳା କରିବା ନିନ୍ଦନୀୟ। ପ୍ରଶାସନିକ ଅବହେଳାରୁ ଦୟାନିଧିଗୁଡ଼ାରେ ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରିନି



Edited by k.s thakur...

Post a Comment

Previous Post Next Post