ଠେଙ୍ଗାଧାରିଣୀ ମହିଳା ମଦରେ ଲଗାଇଲେ ନିଆଁ...

ଠେଙ୍ଗାଧାରିଣୀ ମହିଳା ମଦରେ ଲଗାଇଲେ ନିଆଁ...


ପାପଡାହାଣ୍ଡି,୨୯/୦୫(ନି.ପ୍ର): ଶତାଧିକ ମହିଳା ହାତରେ ଠେଙ୍ଗା ଧରି ଗାଁ ବୁଲିବା ଓ ମଦ ଦୋକାନରୁ ମଦଗୁଡ଼ିକ ଭିଡ଼ିଆଣି ବାହାରେ ପକାଇବା ସହ ନିଆଁ ଲଗାଇଦେଇଛନ୍ତି। ମହିଳାଙ୍କ ଏଭଳି ଉଗ୍ରରୂପ ଧରି ଅଞ୍ଚଳରେ ମଦବେପାରୀଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳିଯାଇଥିବା ବେଳେ ପୁଲିସ ପ୍ରଶାସନ ମଧ୍ୟ ଚିନ୍ତା ବଢ଼ିଯାଇଛି।

        Ad..


ପାପଡାହାଣ୍ଡି ବ୍ଲକ୍‌ର ଧନସୁଲି ଗ୍ରାମର ଠାକୁରାଣୀ ମନ୍ଦିର ନିକଟରେ ଆଜି (ଗୁରୁବାର) ପାପଡ଼ାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକ ନାରୀ ମହାସଂଘର ମହିଳାମାନେ ଏକତ୍ରିତ ହୋଇ ମଦର କୁପରିଣାମ ବିଷୟରେ ଆଲୋଚନା କରିଥିଲେ। ପରେ ହାତରେ ଠେଙ୍ଗା ଧରି ଗ୍ରାମ ପରିକ୍ରମା କରିଥିଲେ। 

    Ad..


ଧନସୁଲି ଗ୍ରାମରେ ଥିବା ଦେଶୀ ମଦ ଭାଟିକୁ ଯାଇ ତାଲା ପକାଇବା ସହ ଭାଟିରେ ବ୍ୟବହୃତ ସାମଗ୍ରୀକୁ ଆଣି ନିଆଁ ଲଗାଇ ଦେଇଥିଲେ। ଖବର ପାଇ, ନବରଙ୍ଗପୁର ଏଏସ୍‌ପି ଆଦିତ୍ୟ ସେନ ,  ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ  କୃଷ୍ଣଚନ୍ଦ୍ର ଭତ୍ରା, ପାପଡାହାଣ୍ଡି ଅବକାରୀ ଅଧିକାରୀ ସମୀର ସ୍ବାଇଁ ପ୍ରମୁଖ ପହଞ୍ଚିଥିଲେ।

ତାଲା ଖୋଲିବା ପାଇଁ ଅବକାରୀ ବିଭାଗ ଓ ପୁଲିସ ଅଧିକାରୀ ଅନେକ ବୁଝାସୁଝା କରିବା ପରେ ମଧ୍ୟ ମହିଳାମାନେ ନିଜ ଜିଦ୍‌ରେ ଅଟଳ ଥିଲେ।ମହିଳାଙ୍କ ଅଭିଯୋଗ ଅନୁସାରେ, ଅଂଚଳରେ ଘରେ ଘରେ ଦେଶୀ ମଦ ରନ୍ଧା ଓ ଦେଶୀ ମଦ ଦୋକାନ ଥିବାରୁ ଗ୍ରାମର ପୁରୁଷ ଓ ଶିଶୁମାନେ ଏହାର ଶିକାର ହେଉଛନ୍ତି।

ଘରୋଇ ହିଂସା, ଶାରୀରିକ ଅସୁସ୍ଥତା, ବିଧବା ସଂଖ୍ୟା ବଢିବା ଇତ୍ୟାଦିକୁ ନେଇ ଗତ ୧୯ତାରିଖ ମଙ୍ଗଳବାର ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଗାଁ ରେ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଥିଲେ। 

୨୨ ତାରିଖ ତୁମ୍ବଲ୍ଲା ପଂଚାୟତର ଧନସୁଲି, ମହୁଲି, ହିର୍ଲି, ସିରାଗୁଡା, ମାଝୀଗୁଡାର ଶତାଧିକ ମହିଳା ଦେଶୀ ଭାଟି ବନ୍ଦ କରିବା ପାଇଁ ମଧ୍ୟାହ୍ନ ୧୨ରୁ ୨ଟା ଯାଏଁ ଜାତୀୟ ରାଜ ପଥ ଅବରୋଧ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ୨୦୦୦ରୁ ଊର୍ଦ୍ଧ୍ବ ମହିଳା ଯୋଗ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post