କକ୍ରୋଚ୍ ପାର୍ଟି ନାଁରେ ଏପିକେ ଫାଇଲ୍ ପଠାଇ ଖାଲି କରୁଥିଲେ ଆକାଉଣ୍ଟ, ପୁଲିସ ପୁଅ ସହ ୪ ସାଇବର୍ ଠକ ଗିରଫ...
ଭୁବନେଶ୍ୱର, ୨୯/୦୫(ନି.ପ୍ର): ଭୁବନେଶ୍ୱର ସାଇବର ଥାନା ପୁଲିସ୍ ୩ଟି ମାମଲାରେ ୪ ଜଣ ସାଇବର ଠକଙ୍କୁ ଗିରଫ କରିଛି। ୩ ଜଣ ଜମତାର ଗ୍ୟାଙ୍ଗର ସଦସ୍ୟ ଥିବା ବେଳେ ଜଣେ ପଶ୍ଚିମବଙ୍ଗର।
Ad..
ଗିରଫ ଅଭିଯୁକ୍ତମାନେ ହେଲେ ଝାରଖଣ୍ଡ ଜାମତରାର ଆଲାଉଦ୍ଦିନ ଅନସାରୀ ଓରଫ କିଙ୍କ୍ ଖାନ୍, ବୀରେନ୍ଦ୍ର ଦାସ, ଅଭିଷେକ କୁମାର ଦାସ ଓ ପଶ୍ଚିମବଙ୍ଗ ନଦିଆ ଅଞ୍ଚଳର ଆୟାନ୍ ନନ୍ଦୀ। ଏମାନଙ୍କଠାରୁ ମୋବାଇଲ, ଲାପଟପ୍ ଓ ଅନ୍ୟ କାଗଜ ପତ୍ର ଜବତ କରିଛି ପୁଲିସ୍।
Ad..
ଅଭିଷେକ ହେଉଛି ଜଣେ ପୁଲିସ୍ କର୍ମଚାରୀଙ୍କ ପୁଅ।୨୦୨୫ ସେପ୍ଟେମ୍ବର ୧୨ରେ ଜଣେ ଯୁବକଙ୍କ ମୋବାଇଲ୍କୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ଆରଟିଓ ପକ୍ଷରୁ ଏକ ମେସେଜ୍ ଆସିଥିଲା । କେଉଁଠି ଫାଇନ୍ କଟିଛି ବୋଲି ଉକ୍ତ ଲିଙ୍କ୍ ଓପନ୍ କରି ସବୁ କିଛି ତଥ୍ୟ ଦେଲା ପରେ ଆକାଉଣ୍ଟରୁ ଉଡ଼ି ଯାଇଥିଲେ ୭ ଲକ୍ଷ ଟଙ୍କା ।
ଏନେଇ ଯୁବକ ଜଣଙ୍କ ସାଇବର ଥାନାରେ ଅଭିଯୋଗ କରିଥିଲେ । ପୁଲିସ୍ ମାମଲା ରୁଜୁ କରି ଗତ ଏପ୍ରିଲ୍ରେ ଜାମତରାର ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହେଲେ ମାମଲାର ମାଷ୍ଟରମାଇଣ୍ଡ୍ ଆଲାଉଦ୍ଦିନ ଓ ପୁଲିସ୍ ପୁଅ ଅଭିଷେକ ଫେରାର ଥିଲେ ।
ତାଙ୍କୁ ଧରିବାକୁ ପୁଲିସ୍ ଗତ ୧୯ ତାରିଖରେ ଇନ୍ସପେକ୍ଟର ଓମ୍ ପ୍ରକାଶ ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହୋଇଥିଲା । ଉକ୍ତ ଟିମ୍ ଜାମତରା ଜିଲ୍ଲାରେ ୭ ଦିନ ଡେରା ପକାଇବା ପରେ ଆଲାଉଦ୍ଦିନ, ବୀରେନ୍ଦ୍ର ଓ ଅଭିଷେକଙ୍କୁ ଗିରଫ କରିଥିଲା।
ତଦନ୍ତ ସମୟରେ ପୁଲିସ୍ ଜାଣିବାକୁ ପାଇଛି ଖାଲି ଟ୍ରାଫିକ୍ ଚାଲାଣ ନୁହେଁ ଏହି ଗ୍ୟାଙ୍କ୍ ଏପିକେ ଫାଇଲ୍ ତିଆରି କରୁଥିଲେ। ଉକ୍ତ ଫାଇଲ୍ ଯଦି କୌଣସି ବ୍ୟକ୍ତି ଡାଉନ୍ଲୋଡ୍ କରୁଥିଲା ତା ଫୋନ୍ର ସାଇବର ଅପରାଧୀଙ୍କ ନିୟନ୍ତ୍ରଣକୁ ଚାଲି ଯାଉଥିଲା। ଫଳରେ ସାଇବର ଅପରାଧୀମାନେ ଆକାଉଣ୍ଟ ଖାଲି କରି ଦେଉଥିଲେ।
ଖାଲି ସେତିକି ନୁହେଁ ଗତ କିଛି ଦିନ ହେବ ଏମାନେ କକ୍ରୋଚ୍ ଜନତା ପାର୍ଟି ନାଁରେ ବି ଲୋକଙ୍କୁ ଲୁଟିବା ଆରମ୍ଭ କରି ଦେଇଥିଲେ। ଦେଶର ବିଭିନ୍ନ ରାଜ୍ୟର ଲୋକମାନଙ୍କୁ କକ୍ରୋଚ୍ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ହେବାକୁ ଲିଙ୍କ୍ ପଠାଉଥିଲେ। ଲିଙ୍କ୍ ଓପନ୍ କରି ସେଥିରେ ତଥ୍ୟ ଦେଲା ପରେ ଆକାଉଣ୍ଟ ଖାଲି କରିଦେଉଥିଲେ ଏହି ଗ୍ୟାଙ୍ଗ।
ନିବେଶ ଆଳରେ ମଧ୍ୟ ଠକେଇ କରୁଥିଲେ।ଗତ ଜାନୁଆରୀ ୭ ତାରିଖରେ ଏହି ଜାମତରା ଗ୍ୟାଙ୍ଗ୍ର ଶିକାର ହୋଇଥିଲେ ଜଣେ ମହିଳା । ଏପିକେ ଫାଇଲ୍ ଡାଉନଲେଡ୍ ମାଧ୍ୟମରେ ଏହି ଗ୍ୟାଙ୍ଗ୍ ୩୯ ଲକ୍ଷ ୨୧ ହଜାର ଟଙ୍କା ଚଳୁ କରି ନେଇଥିଲେ । ଏନେଇ ସେ ଥାନରେ ଏତଲା ଦେଇଥିଲେ।
ଅଭିଷେକ ‘ପ୍ରୋଟେକ୍ଟ ବଟ୍’ ଏକେ ଆପ୍ ବ୍ୟବହାର କି ଏପିକେ ଫାଇଲ୍ ତିଆରି କରୁଥିଲେ । ସେହିଭଳି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ୨୦୨୩ରେ ଅନ୍ଲାଇନ୍ରେ ୨୬ ଲକ୍ଷ ଟଙ୍କା ନିବେଶ କରିଥିଲେ । ତେବେ କିଛି ଦିନ ପରେ ଜାଣିବାକୁ ପାଇଥିଲେ ସେ ଠକାମିର ଶିକାର ହୋଇଛନ୍ତି।
ଏନେଇ ସେ ଗତ ୨୦୨୪ ଜୁଲାଇ ମାସରେ ସାଇବର ଥାନାରେ ଏତଲା ଦେଇଥିଲେ। ପୁଲିସ୍ ଏକ ମାମଲା ରୁଜୁ କରିଥିଲା। ହେଲେ ଅଭିଯୁକ୍ତଙ୍କ ବିଷୟରେ କିଛି ଟେର ମିଳିନଥିଲା।
ଗତ ମାସରେ ସାଇବର ଥାନା ଏସ୍ଆଇ ଏସ୍ ଶୁଭଶ୍ରୀ ଉକ୍ତ ମାମଲାର ଖୋଳତାଡ଼ କରିଥିଲେ। ଏହି ସମୟରେ ପଶ୍ଚିମବଙ୍ଗ ନଦିଆ ଅଞ୍ଚଳର ଆୟାନ୍ ଲିଙ୍କ୍ ମିଳିଥିଲା । ପୁଲିସ୍ ତାଙ୍କୁ ଗିରଫ କରିଥିଲା । ଆଜି ୩ଟି ମାମଲାରେ ଏହି ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
Edited by k.s thakur...



