୪୦ବର୍ଷ ବିତି ଯାଇଥିଲେ ସୁଦ୍ଧା ଇନ୍ଦ୍ରାବତୀ ବିସ୍ଥାପିତଙ୍କୁ ମିଳିନି ନ୍ୟାୟ...
ନବରଙ୍ଗପୁର,୧୫/୦୪(ନି.ପ୍ର): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ପାଇଁ ନବରଙ୍ଗପୁର , କୋରାପୁଟ ଓ କଳାହାଣ୍ଡିଜିଲ୍ଲାର ୧୦୫ ଖଣ୍ଡ ଗ୍ରାମର ୬ହଜାର ୧୩୩ପରିବାର ବାସଚ୍ୟୁତ ହେଲେ । ବହୁ ଗାଁ ସହ ୨୦ ହଜାର ଏକରରୁ ଉର୍ଦ୍ଧ୍ଵ ଜମି ଜଳଭଣ୍ଡାରରେ ଲୀନ ହେଲା।
Ad..
ଗତ ୪୦ ବର୍ଷ ଧରି ବିସ୍ଥାପିତଙ୍କ ଜମି ଅଧିଗ୍ରହଣ ଓ କ୍ଷତିପୂରଣ ପ୍ରଦାନରେ ପାତରଅନ୍ତର ହୋଇଥିବା ଅଭିଯୋଗ କରି ଆସୁଥିଲେ ହେଁ, ଏହାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଜମି ହରାଇ ସେ ଦିନର ଜମିଦାର ଏବେ ଦିନ ଦିନ ମଜୁରିଆ ପାଲଟିଛନ୍ତି।
Ad..
ସୁଚନା ରୁ ଜଣାଯାଇଛି, ବିସ୍ଥାପିତଙ୍କୁ କ୍ଷତିପୂରଣ ବାବଦରେ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ୩୫ ହଜାର ୫୦୦ ଟଙ୍କା, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟରେ ୪୨ ହଜାର ୨୦୦ ଓ ପଞ୍ଚମ ପର୍ଯ୍ୟାୟରେ ୭୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିଥିଲା।
ତେବେ କ୍ଷତିପୂରଣ ପ୍ରଦାନରେ ପାତରଅନ୍ତର କାରଣରୁ ବିସ୍ଥାପିତ ସେମାନଙ୍କ ହକ୍ ପାଇଁ ୪୦ ବର୍ଷ ଧରି ଲଢ଼େଇ ଜାରି ରଖିଛନ୍ତି। ଆରଡିସିସ୍ତରରେ ୨୦୦୮ମସିହାରେ ଉଚ୍ଚସ୍ତରୀୟ ବୈଠକ କରାଯାଇ ପୁନଃ କ୍ଷତିପୂରଣ ପ୍ରଦାନ ଲାଗି ପ୍ରାୟ ୧୬ କୋଟି ଟଙ୍କାର ଅଟକଳ ରଖାଯାଇଥିଲା।
ଯାହା ଆଜି ସୁଦ୍ଧା ବିସ୍ଥାପିତଙ୍କୁ ମିଳିପାରି ନାହିଁ।କେବଳ ସେତିକି ନୁହେଁ ଯେଉଁ ବିସ୍ଥାପିତ ପରିବାର ସରକାରୀ ଜମିରେ ଘର କରିଛନ୍ତି ଓ ଘରୋଇ ଜମି କିଣି ରହିଛନ୍ତି ସେମାନଙ୍କୁ ଘରଡ଼ିହ ଜମିର ପଟ୍ଟା ମିଳିପାରୁନି। ବିସ୍ଥାପନ କରି ନୂଆ ଗାଁ ସୃଷ୍ଟି କରି ଦେଇଥିଲେ ହେଁ ଆଜି ବି ସେହି ଗାଁ ଗୁଡିକର ଲୋକେ ନିଜ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି।
ଜଳଭଣ୍ଡାରର ବିଚ୍ଛିନ୍ନାଚଂଳରେ ରହୁଥିବା ୫ଟିଗାଁ ତେନ୍ତୁଳିଖୁଣ୍ଟିବ୍ଲକର ମଞ୍ଚାଗାଁ ପଞ୍ଚାୟତର ଟାଙ୍ଗିଣିପୁଟ, ବାଗରା, ଗୁରୁମାଇଗୁଡ଼ା, ତଳଙ୍ଗ, ଝଲାଗୁଡା ଗ୍ରାମବାସୀଙ୍କ ଜୀବନ ଦୁର୍ବିସହ ହୋଇଛି। ତଳଙ୍ଗଗାଁକୁ ଏବେ ବି ଭଲ ରାସ୍ତା ନାହିଁ। ଘାଟକୁ ଆସିବା ରାସ୍ତା ନ କହିବା ଭଲ।
ପାନୀୟ ଜଳ ମିଳିପାରିନାହିଁ। ଗ୍ରାମବାସୀ ଜଳଭଣ୍ଡାର ପାଣିକୁ ନେଇ ପିଉଛନ୍ତି। ସମସ୍ତଙ୍କୁ ରାସନ କାର୍ଡ ମିଳିନି। ପୂର୍ବରୁ ୩୫ଟି ପରିବାର ରହିଥିବା ବେଳେ ଏବେ ଧିରେ ଧିରେ ପରିବାର ସଂଖ୍ୟା ବି ବୃଦ୍ଧି ପାଇଛି। ଏହି କ୍ରମରେ କୃଷ୍ଣ ମୁଦୁଲି, ରାମଦାସ ମୁଦୁଲି, ଯୁଧିଷ୍ଠିର କମାର, ଇଶ୍ବର ନାୟକ, ସୀତାରାମ ମୁଦୁଲି ଆଦି ୧୦ଜଣଙ୍କୁ ରାସନକାର୍ଡ ମିଳିନି।
ଏବେ ବି ୫ଟି ଗାଁକୁ ମୋଟର ବୋଟ ମିଳିପାରିନି।ପ୍ରକଳ୍ପ ସମୟରେ ଚାଷୀ ଓ ରାଜନୈତିକ ଦଳ ଆନ୍ଦୋଳନ ପରେ ସରକାର ହାର୍ଜା କମିସନ ଗଠନ କରିଥିଲେ। ୪୦ବର୍ଷ ପରେ ଏବେ ଯଦିଓ ଚାଷୀଙ୍କ ପାଇଁ ୨୦ହଜାର ହେକ୍ଟର ଅଣ୍ଡଗ୍ରାଉଣ୍ଡ ଜଳସେଚନ ବ୍ୟବସ୍ଥା ସହ ତୁରୀ-ଗନଥାଟ୍ ପ୍ରକଳ୍ପ ଆଦି କାର୍ଯ୍ୟକାରୀ ହେଉଛି।
ଆଜି ବି ବୁଡ଼ି ଅଂଚଳ ଗଣ ପରିଷଦର କର୍ମକର୍ତ୍ତା ମାନେ ଜିଲ୍ଲାପାଳ, ଅପର ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନିକଟକୁ ଘୂରି ବୁଲୁଛନ୍ତି। ଗତ ମାର୍ଚ୍ଚ ୫ତାରିଖ ଦିନ ଅପରଇନ୍ଦ୍ରାବତୀ ପ୍ରକଳ୍ପର ପୁର୍ନବସତି ଓ ଥଇଥାନ ଅଧିକାରୀ ଜିଲ୍ଲାପାଳଙ୍କୁ ଚିଠି ଦେବାର ମାସକ ପରେ ବି ଜିଲ୍ଲାପାଳ ବୈଠକ ଡାକି ଆଲୋଚନା କରି ନଥିବା କହିଛନ୍ତି ଗଣପରିଷଦର ସମ୍ପାଦକ ସୁଧିର ସୁନା।
Edited by k.s thakur...



