ବରଗଡ଼ରେ ମହିଳା ରକ୍ତଦାନର ନୂଆ ପଦଚିହ୍ନ : ୫% ରୁ ୮% ପର୍ଯ୍ୟନ୍ତ ବୃଦ୍ଧି, ତଥାପି ଲିଙ୍ଗ ଅସମାନତା ଜାରି...
ବରଗଡ଼,୨୮/୦୨(ବିଜୟ କୁମାର ସାହୁ): ପଶ୍ଚିମ ଓଡିଶାର ବରଗଡ଼ ଜିଲ୍ଲାରେ ସ୍ୱେଚ୍ଛାକ୍ରୁତ ରକ୍ତଦାନ କ୍ଷେତ୍ରରେ ମହିଳାଙ୍କ ଭାଗୀଦାରି ଏକ ପରିବର୍ତ୍ତିତ କିନ୍ତୁ ଅସମ ଚିତ୍ରକୁ ପ୍ରକାଶ କରିଛି। ବର୍ଷ ୨୦୨୩ ର ତଥ୍ୟ ଅନୁସାରେ ବରଗଡ଼ ରେ ମୋଟ ୧୯୧୫୮ ଜଣ ରକ୍ତଦାତା ରକ୍ତଦାନ କରିଥିବା ବେଳେ ସେଥିରୁ କେବଳ ୯୭୭ ଜଣ ମହିଳା।
Ad..
ଅର୍ଥାତ୍ ମୋଟ ରକ୍ତଦାତାଙ୍କର ୫.୨ ପ୍ରତିଶତ ମାତ୍ର ମହିଳା ରକ୍ତଦାନ କରିଛନ୍ତି, ଯାହା ଜିଲ୍ଲାରେ ଲିଙ୍ଗ ଭିତ୍ତିକ ଅନ୍ତରକୁ ସ୍ପଷ୍ଟ କରୁଛି। ୨୦୨୪-୨୦୨୫ ମଧ୍ଯରେ କେବଳ ୩ ପ୍ରତିଶତ ବ୍ରୁଦ୍ଧି ପାଇଛି ଅର୍ଥାତ୍ ୮ ପ୍ରତିଶତ ମହିଳା ଅନ୍ତରଭୁକ୍ତ ହୋଇଛନ୍ତି।
Ad..
ରାଜ୍ୟସ୍ତରରେ National AIDS Control Organisation ଓ National Blood Transfusion Council ଙ୍କ ୨୦୨୨–୨୦୨୩ ରିପୋର୍ଟ ଅନୁଯାୟୀ ଓଡିଶାରେ ପ୍ରତିବର୍ଷ ପ୍ରାୟ ୯ ରୁ ୧୦ ଲକ୍ଷ ୟୁନିଟ୍ ରକ୍ତ ସଂଗ୍ରହ ହେଉଛି। ଏଥିରେ ମହିଳାଙ୍କ ଭାଗୀଦାରି ୮ ରୁ ୧୨ ପ୍ରତିଶତ ମଧ୍ୟରେ ସୀମିତ। ପୂର୍ବରୁ ବାର୍ଷିକ ସଂଗ୍ରହ ୬–୭ ଲକ୍ଷ ୟୁନିଟ୍ ଥିବାବେଳେ ମହିଳା ଭାଗୀଦାରି ୬–୮ ପ୍ରତିଶତ ଥିଲା। ଅର୍ଥାତ୍ ସଂଖ୍ୟା ବଢ଼ିଥିଲେ ମଧ୍ୟ ଅସମତା ଏପର୍ଯ୍ୟନ୍ତ ରହିଛି।
ଏହି ପରିପ୍ରେକ୍ଷିତରେ ନେହେରୁ ଏସୋସିଏସନ ମହିଳା ସମିତି ପକ୍ଷରୁ ଏକ ସଚେତନତାମୂଳକ ମହିଳା ସ୍ୱତନ୍ତ୍ର ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଶିକ୍ଷୟତ୍ରୀ, ଛାତ୍ରୀ ଓ ମହିଳା ମାନେ ସ୍ବେଚ୍ଛାକୃତ ଭାବେ ମୋଟ ୩୩ଜଣ ମହିଳା ରକ୍ତଦାନ କରିଛନ୍ତି। ସେମାନଙ୍କ ମଧ୍ଯ ରୁ ଅଧିକାଂଶ ପ୍ରଥମ ଥର ପାଇଁ ରକ୍ତଦାନ କରିଥିଲେ।
ଶିବିରକୁ ବରଗଡ଼ ବିଧାୟକ ଅଶ୍ବିନୀ ଷଡଙ୍ଗୀ, ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ, ପୌରାଧ୍ୟକ୍ଷା କଳ୍ପନା ମାଝି, ଫର୍ ଅଧ୍ଯକ୍ଷା ମିନାକ୍ଷୀ ମିଶ୍ର ଉଦଘାଟନ କରିଥିଲେ। ବିଧାୟକ ଅଶ୍ବିନୀ ଷଡଙ୍ଗୀ କହିଲେ, “ଓଡ଼ିଶା ରେ ପ୍ରଥମଥର ବରଗଡ ରେ ମହିଳା ସ୍ବତନ୍ତ୍ର ରକ୍ତଦାନ ଶିବିର ଆୟୋଜନ ହେବା ଆମ ପାଇଁ ଗର୍ବ ର ବିଷୟ।
ଏହା ଏକ ଐତିହାସିକ ପଦକ୍ଷେପ। ସହଭାଗୀ ସଂଖ୍ଯା କିଛି ମାନେ ରଖେ ନାହିଁ, ରକ୍ତଦାନ ମାନବତାର ସର୍ବୋଚ୍ଚ ସେବା। ମହିଳାମାନେ ଯଦି ଆଗକୁ ଆସନ୍ତି, ଜିଲ୍ଲାର ସ୍ୱାସ୍ଥ୍ୟ ସୁରକ୍ଷା ଆହୁରି ମଜବୁତ ହେବ।” ସେ ଅନିମିଆ ନିୟନ୍ତ୍ରଣ ଓ ପୋଷଣ ସଚେତନତାକୁ ଜୋରଦାର କରିବାକୁ ଆହ୍ୱାନ କଲେ।
ଜିଲ୍ଲା ପରିଷଦ ସଭାପତି ମାନିନୀ ଭୋଇ କହିଲେ, “ମହିଳା ସଶକ୍ତିକରଣର ସଠିକ୍ ଅର୍ଥ ହେଉଛି ସ୍ୱାସ୍ଥ୍ୟରେ ସ୍ୱାଧୀନତା। ରକ୍ତଦାନରେ ସମାନ ଭାଗୀଦାରି ଆଣିବାକୁ ସମସ୍ତଙ୍କ ଯୁକ୍ତ ପ୍ରୟାସ ଆବଶ୍ୟକ।” ପୌରାଧ୍ୟକ୍ଷା କଳ୍ପନା ମାଝି ମହିଳାଙ୍କୁ ଭ୍ରାନ୍ତିଧାରଣା ଛାଡ଼ି ସ୍ୱଇଚ୍ଛିକ ଭାବେ ରକ୍ତଦାନ ରେ ଯୋଗଦେବାକୁ ଅନୁରୋଧ କଲେ।
ସମିତି ସଭାପତି ଶ୍ରୀମତୀ ସୁଷମା ଭୋଇ କହିଲେ, ବିଶେଷଜ୍ଞଙ୍କ ମତରେ “ଅନିମିଆ, ପୋଷଣ ଅଭାବ ଓ ସାମାଜିକ ଭ୍ରାନ୍ତି ମହିଳାଙ୍କୁ ପଛକୁ ଟାଣୁଛି। ଗ୍ରାମୀଣସ୍ତରରୁ ହିମୋଗ୍ଲୋବିନ୍ ସଚେତନତା ବଢ଼ାଇଲେ ପରିବର୍ତ୍ତନ ସମ୍ଭବ।” ଆହୁରି ସଚେତନତା ର ଆବଶ୍ଯକତା ରହିଛି। ଏଭଳି ମହିଳା ରକ୍ତଦାନ ଶିବିର ଆୟୋଜନ କରି ମହିଳା ଙ୍କୁ ପ୍ରେରିତ କରିବା ପ୍ରୟାସ କୁ ଜାରି ରଖିବୁ।
ସଂପାଦିକା ଅନୁପମା ମିଶ୍ର କହିଲେ, “ଜିଲ୍ଲାରେ ମୋଟ ରକ୍ତଦାତା ବଢ଼ୁଛନ୍ତି, କିନ୍ତୁ ମହିଳାଙ୍କ ହାର ଅତ୍ୟନ୍ତ କମ୍। ଆଜିର ଏହି ଶିବିର ଏକ ସଚେତନ ବାର୍ତ୍ତା ଦେବ।
ଏହି ଅବସରରେ ରକ୍ତଦାନ କ୍ଷେତ୍ର ରେ ଏ ଅଞ୍ଚଳ ରେ ଦୀର୍ଘ ବର୍ଷ ଧରି ରକ୍ତ ସଂକଟ କୁ ଦୂର କରିବା ପାଇଁ ଅନବରତ ରକ୍ତଦାନ ଶିବିର ଆୟୋଜନ କରୁଥିବା ନିଷ୍ଠା ପରିବାର ର ସଦସ୍ୟ, ସଂକଳ୍ପ ପରିବାର ର ସଭାପତି ବିକାଶ ଅଗ୍ରଓ୍ୱାଲ ତଥା ଅନ୍ୟ ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ହୋଇ ମହିଳା ରକ୍ତଦାନ ଶିବିର ଆୟୋଜକଙ୍କୁ ମାର୍ଗଦର୍ଶନ କରାଇଥିଲେ।
ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅଜିତ କୁମାର ଦର୍ଜୀ କହିଲେ, ଅନିମିଆର ଅଭାବ, ପରିବାରିକ ଦାୟିତ୍ୱ ଓ କମ୍ ହିମୋଗ୍ଲୋବିନ୍ ସ୍ତର ମହିଳାଙ୍କୁ ଅଯୋଗ୍ୟ କରୁଛି। ତଥାପି ସରକାର, ଶିକ୍ଷାନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନଙ୍କ ପ୍ରୟାସରେ ସ୍ୱେଚ୍ଛାକ୍ରୁତ ରକ୍ତଦାନରେ ବୃଦ୍ଧି ଦେଖାଯାଉଛି।
ବରଗଡ଼ରେ ଅଧିକ ମହିଳାଙ୍କ ସହଭାଗୀତା ଜିଲ୍ଲାର ସ୍ୱାସ୍ଥ୍ୟ ସୂଚକଙ୍କୁ ନୂତନ ଦିଗ ଦେଇପାରିବ ବୋଲି ମତ ପ୍ରକାଶ ପାଇଛି। ଆଜିର ଏହି ଶିବିର ଅନ୍ୟ ମହିଳା ମାନଙ୍କୁ ନିଶ୍ଚିତ ପ୍ରେରିତ କରିବ।
Report : Bijay ku sahu
Edited by k.s thakur...



