ଆବାସିକ ଅଞ୍ଚଳରେ ବେଆଇନ ଭାବେ ମୋବାଇଲ ଟାୱାର ନିର୍ମାଣ ଅଭିଯୋଗ, ହାଇକୋର୍ଟଙ୍କ ଜବାବ ତଲବ...
କଟକ,୧୭/୧୨ : ସିଡିଏ ସେକ୍ଟର-୬ର ଆବାସିକ ଅଞ୍ଚଳରେ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ତଥା ନିୟମ ଉଲ୍ଲଂଘନ କରି ଘର ଛାତ ଉପରେ ମୋବାଇଲ ଫୋନ ଟାୱାର ନିର୍ମାଣ କରାଯିବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ମାମଲାରେ ରାଜ୍ୟ ସରକାର, ସିଏମସି ଓ ସିଡିଏ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି।
Ad..
ନିୟମ ଉଲ୍ଲଂଘନ କରି କରାଯାଉଥିବା ଅନଧିକୃତ ନିର୍ମାଣ ପ୍ରସଂଗରେ ଜାଣିବା ପରେ ମଧ୍ୟ ସିଏମସି ଓ ଅନ୍ୟ କର୍ତ୍ତୃପକ୍ଷ କଣ ପାଇଁ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରୁ ନାହାନ୍ତି ବୋଲି ଶୁଣାଣି ବେଳେ ଆଜି ପ୍ରଶ୍ନ ଉଠିଥିଲା। ନିୟମ ଉଲ୍ଲଂଘନ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ତରଫରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି।
Ad..
ଡିସେମ୍ବର ୨୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ରାମଚନ୍ଦ୍ର ସାହୁ ଓ ଅନ୍ୟ ୧୦ଜଣଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୪ଶହ ବର୍ଗଫୁଟରୁ କମ୍ ଆକାରର ଆବାସିକ ପ୍ଲଟର ତୃତୀୟ ମହଲା ଛାତ ଉପରେ ମୋବାଇଲ ଫୋନ ଟାୱାର ବେଆଇନ ଭାବେ ନିର୍ମାଣ କରାଯାଉଥିବା ଅଭିଯୋଗ ନେଇ ଏହି ମାମଲା ଦାୟର ହୋଇଛି। ଅତି କମରେ ୧୧ଶହ ବର୍ଗଫୁଟ ଆକାରର ଛାତ ଟାୱାର ପାଇଁ ଆବଶ୍ୟକ।
କିନ୍ତୁ ୪ଶହ ବର୍ଗଫୁଟରୁ କମ ଆକାର ଛାତ ଉପରେ ନିୟମ ଉଲ୍ଲଂଘନ କରି ମୋବାଇଲ ଟାୱାର ନିର୍ମାଣ କରାଯାଉଛି। ବାତ୍ୟା ବା ଅନ୍ୟ ପ୍ରକୃତିକ ଦୁର୍ବିପାକ ବେଳେ ଯଦି ମୋବାଇଲ ଟାୱାର ପଡ଼ିଯାଏ ତେବେ ଅନ୍ୟମାନଙ୍କ ପାଇଁ ବିପଦ ହେବ। ଏଥି ସହିତ ଏହି ବ୍ଲକରେ ଆବାସିକ ପ୍ଲଟ ଗୁଡ଼ିକ ଲାଗି ଲାଗି ରହିଛି।
ଏଭଳି ଆବାସିକ ଅଞ୍ଚଳରେ ମୋବାଇଲ ଟାୱାର ବେଆଇନ। ଏଥି ପାଇଁ ସିଏମସିର ମଧ୍ୟ ଅନୁମତି ନାହିଁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଦେବାଶିଷ ପଟ୍ଟନାୟକ ଓ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।
Edited by k.s thakur...



