ଆସୁଛି ଲଘୁଚାପ : ଆହୁରି ୪ ଦିନ ବର୍ଷିବ, ଆଜି ପ୍ରବଳ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...
ଭୁବନେଶ୍ବର,୨୦/୦୮ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ଦେଇ ଆଗକୁ ବଢ଼ୁଛି। ଯାହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୨୪ ତାରିଖ ଯାଏଁ ବର୍ଷା ସମ୍ଭାବନା ରହିଛି।
Ad..
ସେପଟେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତ ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ଼କୁ ଅଗ୍ରସର ହେବ ଓ ଦୁର୍ବଳ ହେବ। ଏହି ଅବପାତ ପ୍ରଭାବରେ ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବୁଧବାର ବର୍ଷାର ପ୍ରଭାବ କମିଲେ ମଧ୍ୟ କିଛି କିଛି ସ୍ଥାନରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।
Ad..
ଆଜି ପ୍ରବଳ ବର୍ଷା ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ୱାର୍ଣ୍ଣିଂ ଜାରି ହୋଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର ଓ ମୟୂରଭଞ୍ଜକୁ ୟେଲୋ ଆଲର୍ଟ ଜାରି ହୋଇଛି ।
Ad..
ଏହି ସମୟରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଣ୍ଟାପ୍ରତି ଝଟକା ପବନର ୩୦-୪୦କି.ମି. ବେଗରେ ବହିବା ସହିତ ବଜ୍ରପାତର ସମ୍ଭାବନା ରହିଛି । ସେହିଭଳି ଆସନ୍ତାକାଲି ପାଇଁ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
Ad..
ଅନ୍ୟପଟେ ଅବପାତ ଯୋଗୁଁ ସମୁଦ୍ର ଉପକୂଳ ଅଂଚଳରେ ୪୦ ରୁ ୬୦ କିମି ପବନ ବହୁଛି। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ତେଣୁ ଆସନ୍ତା୨୦ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।
Ad..
ମୌସୁମୀ ଋତୁ ଅର୍ଥାତ୍ ଜୁନ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୭୨୬ ମିମି ବର୍ଷା ରେକର୍ଡ ହୋଇଛି। ସ୍ୱାଭାବିକ ବର୍ଷା ୭୭୨.୮ ମିମି ବର୍ଷା ତୁଳନାରେ ଏବେବି ୬ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି। ୨୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା,୨ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ଏବଂ ୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି।
ଗତ ୨୪ ଘଂଟାରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ସହ ୯ଟି ସ୍ଥାନରେ ପ୍ରବଳ ଗୋଟିଏ ସ୍ଥାନରେ ଅତି ପ୍ରବଳ ବର୍ଷା ରେକଡ଼ ହୋଇଥିବା ବେଳେ ସର୍ବାଧିକ ବର୍ଷା କୋରାପୁଟ କୋଟପାଡ଼ର ୧୩୩ ମିମି ରେକର୍ଡ କରାଯାଇଛି।
ସେପଟେ ପଛକୁ ପଛ ଆସୁଛି ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ସାରା ରାଜ୍ୟରେ ବର୍ଷା ନେଇ ଆକଳନ କରାଯାଉଛି। ସମ୍ଭାବ୍ୟ ଲଘୁଚାପଟି ଆସନ୍ତା ୨୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ।
ପରବର୍ତ୍ତୀ ସମୟରେ ଏହି ଲଘୁଚାପ ଅଧିକ ଘନୀଭୂତ ହେବା ସହ ସାରା ରାଜ୍ୟରେ ବର୍ଷା କରାଇପାରେ। ମୁଖ୍ୟତଃ ରାଜ୍ୟରେ ୨୩-୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ଆଇଏମ୍ଡି ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୨୪ ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହେବ।
ଏହାଦ୍ୱାରା ରାଜ୍ୟରେ ପ୍ରବଳ ବର୍ଷା ହେବ। ୨୭-୨୮ ବେଳକୁ ପୁଣି ଗୋଟିଏ ଲଘୁଚାପ ସମ୍ଭାବନା ରହିଛି। ତେଣୁ ପ୍ରାୟ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କେନ୍ଦ୍ରୀୟ ଭାରତରେ ମୌସୁମୀ ସକ୍ରିୟ ସହ ଭଲ ବର୍ଷା ଆକଳନ କରାଯାଉଥିବା ଡଃ ମହାପାତ୍ର କହିଛନ୍ତି।
Edited by k.s thakur...






