ସୌମ୍ୟାଶ୍ରୀ ଓ ସୀମନ୍ତିକାଙ୍କୁ ବରଗଡ଼ ମହିଳା ସମିତିର ଶ୍ରଦ୍ଧାଞ୍ଜଳି...
{ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି }
ବରଗଡ଼, ୧୫/୦୭ : ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଏକ ହତ୍ୟା ପର୍ଯ୍ୟାୟ ଜଘନ୍ୟ ଘଟଣା ଏବଂ ହାଇକୋର୍ଟ ର ସିଟିଂ ଜର୍ଜଙ୍କ ଦ୍ଵାରା ବିଚାର ବିଭାଗୀୟ ତଦନ୍ତ କରାଯିବାକୁ ବରଗଡ଼ ମହିଳା ସମିତି ସରକାରଙ୍କ ଠାରେ ଦାବି ଜଣାଇଛି।
Ad..
ଆଜି ସମିତିର ବରିଷ୍ଠ ସଦସ୍ୟା ଗୀତା ମିଶ୍ରଙ୍କ ସଭାପତିତ୍ବ ଏବଂ ସମ୍ପାଦିକା ଶୁଧାଂଶୁବାଲା ଦାଶଙ୍କ ପରିଚାଳନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସୌମ୍ୟାଶ୍ରୀ ବିଶି ଏବଂ ସାମ୍ବାଦିକା ସୀମନ୍ତିକା ନନ୍ଦଙ୍କ ବିୟୋଗରେ ସମିତିର ବରିଷ୍ଠ ସଭ୍ୟା ମମତା ମିଶ୍ର ଓ ବିନୋଦିନୀ ପଧାନ ଶୋକ ପ୍ରସ୍ତାବ ଆଗତ କରିଥିଲେ।
Ad..
ନିଜ ଅଧ୍ୟାପକ ଗୁରୁଙ୍କ ଦ୍ଵାରା ଯୌନ ଉତ୍ପୀଡ଼ନର ଶିକାର ସୌମ୍ୟାଶ୍ରୀ ନ୍ୟାୟ ଆଶାରେ ଦୀର୍ଘ ୬ ମାସ ଧରି ଲଢେଇ କରି, ସୁରକ୍ଷା ଆଶାରେ ବାର ଦୁଆର ହୋଇ ହତାଶ ହୋଇପଡ଼ିଥିଲେ। ଶେଷରେ ଆତ୍ମାହୁତି ଦେବା ପାଇଁ ଚରମ ପଦକ୍ଷେପ ନେଲେ।
Ad..
ସେ ଯେଉଁ ମାନସିକ ଚାପ ଦେଇ ଗତି କରୁଥିଲେ, ପ୍ରକୃତରେ ତାଙ୍କ ଗୁହାରୀ କେହି ଜଣେ ଶୁଣିଥିଲେ, ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ମୃତ୍ୟୁକୁ ଶ୍ରେୟ ମଣିବା ଭଳି ଘଟଣା ଘଟି ନଥାନ୍ତା। ଅନ୍ୟାୟ ବିରୁଦ୍ଧରେ ଲଢି ଲଢି ଶେଷକୁ ହତାଶ ହୋଇ ସୌମ୍ୟାଶ୍ରୀ ଜୀବନ ଯୁଦ୍ଧରେ ହାର ମାନିବାକୁ ବାଧ୍ୟ ହେଲେ ବୋଲି ସମିତିର ସଭ୍ୟା ଗଣ ଉଦବେଗ ପ୍ରକାଶ କରିଥିଲେ।
ଶୋକ ପ୍ରସ୍ତାବରେ କୁହାଯାଇଛି ଯେ, ଆମେ ସବୁ ବେଳେ ନାରୀର ସୁରକ୍ଷା ପ୍ରଶ୍ନ ଉଠାଉ । କିନ୍ତୁ ଝିଅମାନେ ଶିକ୍ଷାନୁଷ୍ଠାନରେ ମଧ୍ୟ ସୁରକ୍ଷିତ ନାହାନ୍ତି, ଏହି ଘଟଣା ପ୍ରମାଣିତ କରିଛି । ତେବେ ପୁରୁଷ ପ୍ରଧାନ ସମାଜରେ ନାରୀକୁ ସୁରକ୍ଷା ଦେବ କିଏ ? ଆଇନଗତ କଡ଼ା ବ୍ୟବସ୍ଥା ଓ ଦଣ୍ଡବିଧାନ ହିଁ ଏକମାତ୍ର ପନ୍ଥା ବୋଲି ବରଗଡ଼ ମହିଳା ସମିତି ଅନୁଭବ କରେ।
ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ଏକ ଜଘନ୍ୟ ହତ୍ୟା ଭାବରେ ସମିତି ବିଚାର କରେ ଏବଂ ଏହାର ତଦନ୍ତ ହାଇକୋର୍ଟର ସିଟିଂ ଜର୍ଜଙ୍କ ଦ୍ଵାରା କରାଯିବାକୁ ତଥା ଏହି ମୃତ୍ୟୁ ପାଇଁ ଦାୟୀ ସମସ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଠାରେ ସମିତି ଦୃଢ଼ ଦାବି ଜଣାଇଛି। ଏହା ସାଙ୍ଗକୁ ସୌମ୍ୟାଶ୍ରୀ ଙ୍କ ପରିବାର ବର୍ଗଙ୍କୁ ସମିତି ପକ୍ଷରୁ ଗଭୀର ସମବେଦନା ଜ୍ଞାପନ କରାଯାଇଛି।
ଅନ୍ୟ ଏକ ଶୋକ ପ୍ରସ୍ତାବରେ ଦୈନିକ ସମ୍ବାଦପତ୍ରର ପୂର୍ବତନ ବରଗଡ଼ ଜିଲ୍ଲା ପ୍ରତିନିଧି ସୀମନ୍ତିକା ନନ୍ଦଙ୍କ ଗତ ଜୁଲାଇ ୮ ତାରିଖରେ କଟକରେ ଅସମୟ ବିୟୋଗ ଯୋଗୁଁ ବରଗଡ଼ ମହିଳା ସମିତି ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି ।
ତାଙ୍କ ବରଗଡ଼ ରହଣି ସମୟର ସାହସିକତା ଏବଂ ମହିଳା ସମିତିର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନର ସଦସ୍ୟାଗଣ ସ୍ମୃତି ଚାରଣ କରିଥିଲେ । ସେ ଜଣେ ନାରୀ ହୋଇ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ନିର୍ଭୀକତା, ପ୍ରତିବଦ୍ଧତାର ଦେଇଯାଇଥିବା ପରିଚୟ ନାରୀ ସମାଜ ପାଇଁ ଆଲୋକବର୍ତ୍ତିକା ହୋଇ ରହିବ ବୋଲି ଶୋକ ପ୍ରସ୍ତାବରେ କୁହାଯାଇ ତାଙ୍କ ସ୍ମୃତି ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି।
ସଦସ୍ୟା ଗଣ ଡ଼ା କମଳିନୀ ଶତପଥୀ, କନକ ପଧାନ, ସୁନିତା କର, ସ୍ୱାଧିନୀ ଦାଶ, ମାମୀ ମିଶ୍ର, ବାସନ୍ତୀ ଗଡ଼ତିଆ, ପ୍ରଣତି ପଣ୍ଡା, ଜୟଗୀତା ପଣ୍ଡା, ଜୟନ୍ତୀ ପ୍ରଧାନ, ଅନିମା ଚକ୍ରବର୍ତ୍ତୀ, ଭାଗ୍ୟଲକ୍ଷ୍ମୀ ଦୋରା, ଭାରତୀ ମିଶ୍ର, ତନିମା ଦାଶ, ସୁଜାତା ପଣ୍ଡା, ପଦ୍ମିନୀ ସାହୁ, ରାଧାରାଣୀ ପଟ୍ଟନାୟକ, ମୀନା ପଣ୍ଡା, ଦିବ୍ୟକାନ୍ତି ଭୋଇ, ପ୍ରତିମା ପାତ୍ର, ସୌଭାଗ୍ୟଲକ୍ଷ୍ମୀ ମିଶ୍ର, ସଂଘମିତ୍ରା ପଟେଲ, ମଞ୍ଜୁଳା ସାହୁ, ସୁଷମା ପଣ୍ଡା ପ୍ରମୁଖ ଉଭୟ ଦିବଙ୍ଗତଙ୍କ ଫଟୋ ଚିତ୍ରରେ ପୁଷ୍ପ ଦେଇ, ମହମବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପ୍ରାରମ୍ଭରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।
Report : Bijay ku sahu
Edited by k.s thakur...




