ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗୁଆଲି ଯାତ୍ରା: ଶ୍ରୀମଦନମୋହନ-ଶ୍ରୀଦେବୀଙ୍କ ନଗର ପରିକ୍ରମା...

ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଗୁଆଲି ଯାତ୍ରା: ଶ୍ରୀମଦନମୋହନ-ଶ୍ରୀଦେବୀଙ୍କ ନଗର ପରିକ୍ରମା...


ପୁରୀ,୦୮/୦୬ : ମହାପ୍ରଭୁଙ୍କ ସହ ରୁକ୍ମିଣୀଙ୍କ ବିବାହ ଆରମ୍ଭ ହେବା ବେଳକୁ ରାତି ପ୍ରାୟ ୩ଟା ୪୦ ବାଜିସାରିଥିଲା। ବିବାହ ସରି ଦିଅଁ ଭିତରକୁ ବିଜେ କରିବା ବେଳକୁ ଆଜି ସକାଳ ୮ଟା ୫ ବାଜିଥିଲା। ପରମ୍ପରା ମୁତାବକ ଆଜି ପବିତ୍ର ଚମ୍ପକ ଦ୍ବାଦଶୀରେ ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିଛନ୍ତି ମହାପ୍ରଭୁ। 

           Ad..


ଜ୍ୟେଷ୍ଠ ଶୁକ୍ଳ ଦ୍ବାଦଶୀ ତିଥି‌ରେ ଶ୍ରୀମଦନ ମୋହନ ଓ ଶ୍ରୀଦେବୀ ପାଲିଙ୍କିରେ ନଗର ପରିକ୍ରମା କରିଛନ୍ତି। ସକାଳ ଧୂପ ଓ ଭୋଗମଣ୍ଡପ ନୀତି ସରିବା ପରେ ଆଲଟ ଲାଗି ହୋଇ ତିନି ବାଡ଼ରେ ମହାସ୍ନାନ ଓ ନୂଆଲୁଗା ଲାଗି କରାଯାଇଥିଲା। ରୁପା ପିଙ୍ଗଣରେ ପୂଜାପଣ୍ଡା, ପତି ମହାପାତ୍ର, ମୁଦିରଥ ଚନ୍ଦନ ବିଜେ କରାଇ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗରେ ଲାଗି କରାଇଥିଲେ।

            Ad..


ବରକନ୍ୟା ଶ୍ରୀମଦନମୋହନ ଓ ଶ୍ରୀଦେବୀ ରତ୍ନ ସିଂହାସନକୁ ବିଜେ କରିବା ପରେ ସେଠାରେ ବନ୍ଦାପନା ହୋଇଥିଲା। ବନ୍ଦାପନା ନୀତି ସରିବା ପରେ ବରକନ୍ୟାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ଝୁଲଣ ମଣ୍ଡପ ନିକଟରେ ରଖାଯାଇଥିବା ପାଲିଙ୍କିରେ ବରକନ୍ୟା ଅଧିଷ୍ଠିତ ହୋଇଥିଲେ। 

ବିମାନବଡ଼ୁ ସେବକମାନେ ବଡ଼ ଦେଉଳର ଚତୁଃପାର୍ଶ୍ବରେ ବେଢ଼ା ବୁଲିବା ପରେ ବିମାନ ସରଘର ଓ ଆନନ୍ଦ ବଜାରରେ ପନ୍ତିଭୋଗ ଖାଇ ସିଂହଦ୍ବାର ଦେଇ ରାଜାଙ୍କ ଶ୍ରୀନଅରକୁ ବିଜେ କରିଥିଲେ। ଘଣ୍ଟ, ଘଣ୍ଟା, କାହାଳି ଓ ଆଲୋକମାଳାରେ ପଟୁଆରେ ମହାପ୍ରଭୁଙ୍କ ଶୋଭାଯାତ୍ରାରେ ଶହଶହ ଭକ୍ତ ଶ୍ରୀନଅରରେ ଗଜପତି ମହାରାଜ ବର କନ୍ୟାଙ୍କୁ ପାଛୋଟି ନେଇ ଏକ ଖଟ ଉପରେ ବିଜେ କରାଇଥିଲେ। 

ମହାସୁଆର ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ପିଠା ପୂଜାପଣ୍ଡା ସେବକ ପଞ୍ଚ ଉପଚାର ବିଧିରେ ମଣୋହି କରିଥିଲେ। ପ୍ରସାଦ ଲାଗି ପରେ ଗଜପତି ଚଳନ୍ତି ପ୍ରତିମାଙ୍କ ବନ୍ଦାପନା କରିବା ସହ ଚାମର ଆଲଟ ସେବା କରିଥିଲେ। ବିଧି ଅନୁସାରେ କିଛି ଭେଟ ଦେଇଥିଲେ। ପରେ ଶ୍ରୀନଅର ଭିତର ଶୋଧ ହୋଇଥିଲା।  

ଶ୍ରୀନଅରରୁ ମହାଜଜନ ସେବକମାନେ ବରକନ୍ୟାଙ୍କୁ ପାଲିଙ୍କିରେ ବିଜେ କରାଇଥିଲେ। ବିଳମ୍ବିତ ରାତିରେ ପାଲିଙ୍କିରେ ବର କନ୍ୟା ଶ୍ରୀଜମ୍ବେଶ୍ବର ମହାଦେବଙ୍କ ମନ୍ଦିରକୁ ବିମାନ‌ବଡ଼ୁ ସେବାୟତଙ୍କ ସହଯୋଗରେ ଯି‌ବେ। ସେଠାରେ ବରକନ୍ୟାଙ୍କ ଉଦ୍ଦେଶ୍ୟରେ ପଞ୍ଚୁଗ୍ରାସୀ ଭୋଗ ଓ ବନ୍ଦାପନା କରାଯିବ। 

ପରେ ବାହୁଡ଼ା ବିଜେ କରି ଦକ୍ଷିଣ ଘରକୁ ଆସିବେ। ଶ୍ରୀମନ୍ଦିରରେ ଆଲଟ, ଚନ୍ଦନ ଲାଗି ନୀତି ଓ ବଡ଼ସିଂହାର ଭୋଗ ସରିବା ପରେ ବର କନ୍ୟା ଦକ୍ଷିଣୀ ଘରୁ ଭିତର ସିଂହାସନ ବିଜେ କରିବାର କାର୍ଯ୍ୟକ୍ରମ ରହିଛି। 



Edited by k.s thakur...




Post a Comment

Previous Post Next Post