ଭଉଣୀକୁ ହତ୍ୟା କରି ଭାଇ ଓ ଭଉଣୀ ଗିରଫ...
ବାମରା,୧୯/୦୫ : ସମ୍ବଲପୁର ଜିଲ୍ଲା ବାମରା ବ୍ଲକ୍ ସଦର ମହକୁମା ଗୋବିନ୍ଦପୁର ମଝିପଡ଼ାରେ ସମ୍ପତ୍ତି ଓ ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ର କରି ସ୍ୱାମୀ ପରିତ୍ୟକ୍ତା ମଝିଆ ଭଉଣୀକୁ ନିଜ ବଡ଼ ଭଉଣୀ ଓ ସାନ ଭାଇ ମିଶି ହତ୍ୟା କରିଛନ୍ତି।
Ad..
ସୂଚନାନୁସାରେ, ଗୋବିନ୍ଦପୁରର ବିନୋଦ ବିହାରୀ ସାହୁଙ୍କ ମଝିଆ ଝିଅ ଲିନା ସାହୁ ବିବାହ ପରେ ଗତ କିଛିବର୍ଷ ହେବ ପରିବାର ସହ ନ ରହି ସମ୍ବଲପୁର ଅଞ୍ଚଳରେ ଏକୁଟିଆ ରହି କାମଧନ୍ଦା କରି ଚଳୁଥିଲେ। ଇତିମଧ୍ୟରେ ନିଜ ପୈତୃକ ସମ୍ପତ୍ତି ଓ ଜମିବାଡ଼ି ଭାଗବଣ୍ଟାକୁ ନେଇ ସେ କୋର୍ଟରେ କେସ୍ କରିଥିଲେ। ଯାହାକୁ ନେଇ ପରିବାର ଭିତରେ ତିକ୍ତତା ବଢ଼ିଥିଲା।
Ad..
ସେ ବହୁଦିନ ଧରି ବାପ ଘରକୁ ଯିବାଆସିବା କରୁ ନଥିଲେ। ରବିବାର ନିଜର ସଂପର୍କୀୟ ବଡ଼ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାକୁ ଆସିଥିଲେ। ରବିବାର ଦିନ ୧୧ଟାବେଳେ ସେ ନିଜ ସଂପର୍କୀୟ ଭାଇ ଅରକ୍ଷିତ ସାହୁଙ୍କ ଘରେ ଶୋଇଥିବା ବେଳେ ତାଙ୍କ ଅବିବାହିତା ବଡ଼ ଭଉଣୀ ପୁଷ୍ପାଞ୍ଜଳି ସାହୁ (୪୨) ଏବଂ ସାନଭାଇ ଗୋଲକ ସାହୁ (୩୮) ହଠାତ ପଶି ଆସି ତାଙ୍କୁ ଗାଳିଗୁଲଜ ସହ ଆକ୍ରମଣ କରିଥିଲେ।
ଗୋଲକ ତାଙ୍କୁ ଏକ ଛୁରିରେ ଆଘାତ କରିଥିଲା। ଗୁରୁତର ଅବସ୍ଥାରେ ଲିନାଙ୍କୁ ସେଠାରେ ଉପସ୍ଥିତ ଥିବା ଲୋକେ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିବାବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଖବର ପାଇ ଗୋବିନ୍ଦପୁର ପୁଲିସ ଶବ ଜବତ କରିବା ସହ ଅରକ୍ଷିତ ସାହୁଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଭଉଣୀ ପୁଷ୍ପାଞ୍ଜଳି ଓ ଭାଇ ଗୋଲକଙ୍କୁ ଗିରଫ କରାଯାଇଛି। କୁଚିଣ୍ଡା ଏସ୍ଡିପିଓ ପ୍ରଦୀପ ଦାସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।
Edited by k.s thakur...



