ପୁରୀ ବିମାନବନ୍ଦରକୁ କେନ୍ଦ୍ରର ମଞ୍ଜୁରି: ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ...

ପୁରୀ ବିମାନବନ୍ଦରକୁ କେନ୍ଦ୍ରର ମଞ୍ଜୁରି: ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ...


ଭୁବନେଶ୍ବର,୦୬/୦୫ : ଓଡ଼ିଶାର ଶ୍ରୀକ୍ଷେତ୍ର ପୁରୀରେ ନୂଆ ବିମାନ ବନ୍ଦର ନିର୍ମାଣକୁ ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜାରାପୁଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

            Ad..


କେନ୍ଦ୍ର ଶିକ୍ଷାମନ୍ତ୍ରୀ  କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ଧାର୍ମିକ ପର୍ଯ୍ୟଟନ କ୍ଷେତ୍ରରେ ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ଲାଭ କରିଛି । ପୁରୀଠାରେ ବିମାନ ବନ୍ଦର ନିର୍ମାଣ ହେବା ଦ୍ୱାରା ଏହି ଅଞ୍ଚଳରେ ଧାର୍ମିକ, ଆଞ୍ଚଳିକ ଓ ପର୍ଯ୍ୟଟନର ବିକାଶ ହେବା ସହ ଯୋଗାଯୋଗ ଏବଂ ଅର୍ଥନୀତି ଅଧିକ ସୁଦୃଢ଼ ହେବ।

Ad..


ସୂଚନାଯୋଗ୍ୟ, ପୁରୀରେ ନୂତନ ବିମାନବନ୍ଦର ସ୍ଥାପନ କରିବା ପ୍ରସ୍ତାବକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ କିଞ୍ଜାରାପୁ ନୀତିଗତ ମଞ୍ଜୁରି ପ୍ରଦାନ କରିଛନ୍ତି। ରାଜସ୍ଥାନର କୋଟା ଓ ପୁରୀ ବିମାନବନ୍ଦରକୁ ସେ ଅନୁମୋଦନ କରିଛନ୍ତି। 

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପୁରୀ ହେଉଛି ଭାରତର ଏକ ପ୍ରମୁଖ ଧାର୍ମିକ ସ୍ଥଳ। ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ପୁରୀକୁ ପ୍ରତିବର୍ଷ ସାରା ବିଶ୍ବରୁ କୋଟି କୋଟି ଭକ୍ତ ଦର୍ଶନ ପାଇଁ ଆସୁଛନ୍ତି। ପୁରୀରେ ବିମାନବନ୍ଦର ସ୍ଥାପନ ନିଷ୍ପତ୍ତି ଧାର୍ମିକ ପର୍ଯ୍ୟଟନ, ଆଞ୍ଚଳିକ ବିକାଶ ଓ ବିମାନ ସେବା ସମ୍ପ୍ରସାରଣକୁ ସୁଦୃଢ଼ କରିବ।

ଏହା ଦ୍ବାରା ଭାରତ ବିଭିନ୍ନ ସହର ସହିତ ପୁରୀର ସିଧାସଳଖ ବିମାନ ସଂଯୋଗ ସ୍ଥାପନ ହୋଇପାରିବ। ପୁରୀ ଓ ଓଡ଼ିଶା ପାଇଁ ଏହାକୁ ଏକ ମାଇଲଖୁଣ୍ଟ ପଦକ୍ଷେପ ବିଚାର କରାଯାଉଛି। ମନ୍ତ୍ରଣାଳୟର ମଞ୍ଜୁରିକୁ ଏହି ପ୍ରକଳ୍ପ ଅପେକ୍ଷା କରିଥିଲା।  କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ବିମାନବନ୍ଦର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। 

ବିମାନବନ୍ଦର ଲାଗି ୧୧୬୪ ଏକର ଜମି ଆବଶ୍ୟକ ଥିବା ବେଳେ ସେଥିରୁ ୬୮ ଏକର ହେଉଛି ଜଙ୍ଗଲ ଜମି। ୨୨୧ ଏକର ଘରୋଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏହି ପ୍ରକଳ୍ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୩୦୩ କୋଟି ଟଙ୍କା ବିନିଯୋଗ ହେବ। ଚଳିତ ବର୍ଷ ପ୍ରାରମ୍ଭରେ ପରିବେଶ ମନ୍ତ୍ରଣାଳୟର ଏକ ଚାରିଜଣିଆ ଟିମ୍ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିଥିଲେ।



Edited by k.s thakur...




Post a Comment

Previous Post Next Post