କଳା ସର୍ବଦା ସମାଜକୁ ଠିକ୍ ବାଟକୁ ଆଣିବା ପାଇଁ ଉତ୍ସର୍ଗିତ...
ବରଗଡ଼, ୧୫/୦୪ : - କୌଣସି ନୂତନ ସୃଷ୍ଟିର କଳାକୌଶଳ ଓ କାର୍ଯ୍ୟାବଳୀ ହିଁ କଳା । ପ୍ରତିଟି ମଣିଷ ଭିତରେ ଆତ୍ମଅଭିବ୍ୟକ୍ତି ଓ ଆତ୍ମପ୍ରତିଷ୍ଠାର ମୋହ ରହିଛି। ଅର୍ଥାତ୍ ମଣିଷ ସର୍ବଦା ଚାହୁଁଥାଏ ଯେ ସେ ଯାହା ଅଛି ତାହାଠାରୁ ଅଧିକ ହୋଇ ଦୁନିଆରେ ନିଜକୁ ସାବ୍ୟସ୍ତ କରିବ।
Ad..
ତେଣୁ ଅନ୍ୟମାନଙ୍କ ପରି କଳାକାର ମଧ୍ୟ ତାର କଳା ମାଧ୍ୟମରେ ନିଜଠାରୁ ଅଧିକ ହୋଇ ବିବିଧ ବିଷୟରେ ଉନ୍ନତ ସୌନ୍ଦର୍ଯ୍ୟ ଓ ଅର୍ଥ ଫୁଟାଇବାକୁ ଚେଷ୍ଟାକରେ। ଏଥିପାଇଁ ସେ କେତେବେଳେ ପ୍ରକୃତି ତ ପୁଣି କେବେ ସାମାଜିକ ଚେତନାର ଆଶ୍ରୟ ନେଇଥାଏ। କୁତ୍ସିତ ଓ ଅସୁନ୍ଦରକୁ ସୁନ୍ଦର କରି ଗଢ଼ି ତୋଳିବାର ପ୍ରୟାସ କରିଥାଏ ବୋଲି ବିଶ୍ଵ କଳା ଦିବସ ପାଳନ ସମାରୋହରେ ବକ୍ତା ଗଣ ମତବ୍ୟକ୍ତ କରିଛନ୍ତି ।
ଆଜି ବରଗଡ଼ ମହିଳା ସମିତି ପକ୍ଷରୁ ଅନୁଷ୍ଠିତ ଏହି ଉତ୍ସବରେ ବରଗଡ଼ ତହସିଲଦାର ସୋନାଲି ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସରରେ "ସମାଜ ଓ କଳା" ଶୀର୍ଷକ ଆଲୋଚନାରେ ସ୍ୱନାମଧନ୍ୟ ଚିତ୍ରଶିଳ୍ପୀ ଦ୍ବୟ ରାଜେନ୍ଦ୍ର ସିକନ୍ଦର ଓ ଅଶୋକ କୁମାର ଦାଶ ମୁଖ୍ୟ ଆଲୋଚକ ଭାବରେ ଅଂଶଗ୍ରହଣ କରି ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ ।
ସାମାଜିକ କୁରୀତି ଗୁଡ଼ିକୁ ନୂତନ ଚେତନାର ସ୍ପର୍ଶରେ ସଜାଡ଼ି ସମାଜକୁ ଠିକ୍ ବାଟକୁ ଆଣିବା ପାଇଁ ଚିତ୍ରଶିଳ୍ପୀ ସର୍ବଦା ଚେଷ୍ଟା କରିଥାଏ ବୋଲି ଶ୍ରୀ ସିକନ୍ଦର କହିଥିଲେ । ଅନ୍ୟପକ୍ଷରେ କଳା କେବେ ବି ପ୍ରଦର୍ଶନ ବା ପ୍ରଖ୍ୟାପନର ମୋହ ନେଇ ସୃଷ୍ଟି ହୋଇନଥିଲା। ସେ ଥିଲା ଜୀବନଧାରଣର ଉତ୍ସ ଓ ପ୍ରେରଣା ଏବଂ ଏହା ମଣିଷର ଦୈନନ୍ଦିନ ଜୀବନ ସହ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ରହିଆସିଛି ବୋଲି ଶ୍ରୀ ଦାଶ ମତପ୍ରକାଶ କରିଥିଲେ।
ମୁଖ୍ୟ ଅତିଥି ସୋନାଲି ପଟ୍ଟନାୟକ କହିଲେ ଯେ, ନଗରୀକରଣ, ସମାଜର ଅସ୍ଥିରତା, ସମ୍ପର୍କରେ ଫାଟ ଆସିଲା ସହ ମଣିଷ ବଜାରରେ ଫିଙ୍ଗିହୋଇ ତା ମଧ୍ୟରେ କଳାକୁ ନୂଆନୂଆ ରୂପେ ଗଢ଼ିବାରେ ଲାଗିଛି। ଆମେ ଆଧୁନିକ କଳାରେ ଦେଖିବା ମଣିଷର ଜୀବନର ଗତି ଅନୁସାରେ କଳା ମଧ୍ୟ ନିଜକୁ ଖାପଖୁଆଇ ସାମିଲ କରିନେଇଛି।
ତେଣୁ ପ୍ରତିଟି ଯୁଗରେ ଦାର୍ଶନିକ ମାନଙ୍କ କଳା ଓ ସଂଜ୍ଞା ଆଦି ଅନେକାଂଶରେ ବଦଳିଗଲେ ମଧ୍ୟ ଚିରନ୍ତନ ସତ୍ୟକୁ ଆମେ ଏଡ଼ାଇ ଯାଇପାରିବା ନାହିଁ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଚିତ୍ରକଳା ପ୍ରଦର୍ଶନୀରେ 'ସ୍କୁଲ ଅଫ ଫାଇନ୍ ଆର୍ଟ' ଏବଂ 'କଳା କଳ୍ପନା' ଚିତ୍ରକଳା ଅନୁଷ୍ଠାନର ଛାତ୍ରମାନେ ସେମାନଙ୍କ କଳା ନିପୁଣତା ପ୍ରଦର୍ଶନ କରିଥିଲେ ଏବଂ ସେମାନଙ୍କୁ ମହିଳା ସମିତି ପକ୍ଷରୁ ପ୍ରଶଂସା ପତ୍ର ଓ ମେମେଣ୍ଟୋ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦିକା ସୁଧାଂଶୁବାଲା ଦାସ, ବରିଷ୍ଠ ସଭ୍ୟା ଗୀତା ମିଶ୍ର, କନକ ପ୍ରଧାନ, ଡ଼ା. କମଳିନୀ ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ । ଉତ୍ସବରେ ସମିତିର ସଭାନେତ୍ରୀ ଅଞ୍ଜନା ଦାସ ସଭାପତିତ୍ବ କରିଥିବା ବେଳେ ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ, ପ୍ରୀତି ଗୁରୁ ସଭାକାର୍ଯ୍ୟ ପରିଚାଳନା ଏବଂ ପରିଶେଷରେ ରାଧାରାଣୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Report : Bijay ku sahu
Edited by k.s thakur...


