ନବ ଦାସ ହତ୍ୟା ମାମଲା, ୫ ଦିନର ତନାଘନା ପରେ ଝାରସୁଗୁଡ଼ା ଛାଡ଼ିଲା କ୍ରାଇମବ୍ରାଞ୍ଚ ଟିମ୍...
ଭୁବନେଶ୍ୱର,୨୩/୦୩: ଝାରସୁଗୁଡ଼ାରେ ୫ ଦିନର ତନାଘନା ପରେ ଝାରସୁଗୁଡା ଛାଡ଼ିଲା କ୍ରାଇମବ୍ରାଞ୍ଚର ୨ ଜଣିଆ ଟିମ୍ । ୫ ଦିନର ତନାଘନା ମଧ୍ୟରେ ୧୫ରୁ ଅଧିକ ବ୍ୟକ୍ତିଙ୍କ ବୟାନ ରେକର୍ଡ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି ।
Ad..
କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଅନେକ ତଥ୍ୟ ହାସଲ କରିଛି । ସମସ୍ତ ତଥ୍ୟ କୋର୍ଟରେ ଉପସ୍ଥାପନ କରାଯିବ ବୋଲି କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରେ କ୍ରାଇମବ୍ରାଞ୍ଚ ସନ୍ତୁଷ୍ଟ ଥିବାବେଳେ ଆଗକୁ ଆଉ ଆବଶ୍ୟକ ହେଲେ ପୁଣି ଏହି ଟିମ୍ ଝାରସୁଗୁଡା ଆସିବ ବୋଲି କ୍ରାଇମବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।
Ad..
ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିଲା କ୍ରାଇମ୍ବ୍ରାଞ୍ଚ । ଶନିବାର ପଞ୍ଚମ ଦିନରେ ହତ୍ୟାକାଣ୍ଡର ଦୁଇ ପ୍ରତ୍ୟକ୍ଷଦର୍ଶୀ ବିଜେଡି କର୍ମୀ ସରୋଜ ସା ଏବଂ ବ୍ରଜରାଜନଗର ଅଞ୍ଚଳର ଜୀବନ ନାୟକଙ୍କୁ ଜେରା କରି ବୟାନ ରେକର୍ଡ କରିଥିଲା । କ୍ରାଇମବ୍ରାଞ୍ଚ୍ର ତଦନ୍ତକାରୀ ଅଧିକାରୀ ଅତିରିକ୍ତ ଏସ୍ପି ବିଜୟ ମଲ୍ଲିକ ସକାଳେ ବ୍ରଜରାଜନଗର ଥାନାରେ ପହଞ୍ଚିଥିଲେ ।
ପୂର୍ବରୁ ଡାକରା ପାଇ ଉପସ୍ଥିତ ସରୋଜଙ୍କୁ ପଚରା ଉଚରା କରିଥିଲେ । ଗାନ୍ଧି ଛକଠାରେ ନବ ଦାସଙ୍କୁ ଗୁଳି କରାଯିବା ସମୟରେ ସରୋଜ ସାମ୍ନାରେ ଥିଲେ । ନବ ବାବୁ କାର୍ରୁ ଓହ୍ଲାଇବା ପରେ ପ୍ରଥମ ଫୁଲ ମାଳ ତାଙ୍କ ଗଳାରେ ପକାଇଥିଲେ ସରୋଜ । ସେତିକି ବେଳେ ସାମ୍ନା ପଟୁ ଆସି ନବ ବାବୁଙ୍କୁ ନିକଟରୁ ପୁଲିସ୍ ଏଏସ୍ଆଇ ଗୋପାଳ ଦାସ ଗୁଳି କରିଥିଲେ । ପୁଲିସ୍ ଗୁଳିରେ ନବ ବାବୁ ଆହତ ହେବା ଦେଖି ଉପସ୍ଥିତ ଲୋକେ ଓ ସମର୍ଥକ ଉତ୍ତେଜିତ ହୋଇ ପଡ଼ିଥିଲେ।
ଏହି ସମୟରେ ବ୍ରଜରାଜନଗରର ତତ୍କାଳୀନ ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁଙ୍କ ବନ୍ଧୁକ କ୍ୟାପ୍ ଖୋଲାଥିବା ଦେଖି ସେ ଛଡ଼ାଇ ନେଇଥିଲେ । ପୁଲିସ୍ ବନ୍ଧୁକରୁ ନବ ଦାସଙ୍କୁ ଗୁଳି କରାଯାଇଥିଲା । ଆଇଆଇସିଙ୍କ ବନ୍ଧୁକ ଛଡ଼ାଇ ନେଇ ଆଉ କାହାରିକୁ ଗୁଳି ନ କରନ୍ତୁ ଏଭଳି ଆଶଙ୍କା ଓ ଭୟରେ ବନ୍ଧୁକ ଛଡ଼ାଇ ନେଇଥିବା ସରୋଜ କହିଥିଲେ । ପୂର୍ବରୁ ଯାହା ବୟାନ ଦେଇଥିଲେ କ୍ରାଇମବ୍ରାଞ୍ଚ ଆଗରେ ତାହା ପୁନରାବୃତ୍ତି କରିଥିବା ଗଣମାଧ୍ୟମକୁ କହିଥିଲେ ସରୋଜ।
ଅନୁରୂପ ଭାବେ ଘଟଣାସ୍ଥଳରେ ଉପସ୍ଥିତ ଜୀବନଙ୍କୁ ମଧ୍ୟ ଜେରା କରାଯାଇଥିଲା। ସେ ମଧ୍ୟ ପୂର୍ବ ବୟାନ ଦୋହରାଇଥିବା ସୂଚନା ଦେଇଛନ୍ତି। ଗୁଳିକାଣ୍ଡ ବେଳେ ନବ ବାବୁଙ୍କ ସମ୍ମୁଖରେ ଉପସ୍ଥିତ ଜୀବନଙ୍କ ପଛ ପଟୁ ଗୁଳିମାଡ଼ ହୋଇଥିଲା। ଜୀବନ ନବ ବାବୁଙ୍କ ଗୋଡ଼ ଧରି ମୁଣ୍ଡିଆ ମାରିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଅଭିଯୁକ୍ତ ଗୁଳି ଚଳାଇବା ବେଳେ ଜୀବନଙ୍କ ବେକକୁ ଛୁଇଁ ଗୁଳିଟି ନବଙ୍କ ଶରୀରକୁ ଭେଦ କରିଥିଲା। ଜୀବନଙ୍କ ବେକରେ ଆଘାତ ଲାଗିଥିଲା । ତାଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
Edited by k.s thakur...



