ଫରେଷ୍ଟର୍ ପୋଡ଼ିଥିଲେ ଫୁଲବାଣୀ ବିଧାୟକଙ୍କ ଗାଡ଼ି...
ଫୁଲବାଣୀ,୦୫/୦୧ : ଫୁଲବାଣୀ ସର୍କିଟ୍ ହାଉସ୍ ପରିସରରେ ଗତମାସ ୨୬ ତାରିଖ ରାତିରେ ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ ଇନୋଭା କାର୍ ପୋଡ଼ି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଫରେଷ୍ଟର୍ (ବନପାଳ) ସୁଜିତ ବେହେରାଙ୍କୁ ପୁଲିସ ଗିରଫ କରିଛି।
Ad..
ତାଙ୍କ ଘର ଫୁଲବାଣୀ ଟାଉନ୍ ଥାନା ଅନ୍ତର୍ଗତ ଡାମିଗାଁ। ସେ ଏବେ ଫୁଲବାଣୀ ବନଖଣ୍ଡ ଅଧୀନରେ କାର୍ଯ୍ୟରତ। ପୂର୍ବ ଶତ୍ରୁତାରୁ ସେ ଏଭଳି କାଣ୍ଡ ଘଟାଇ ଥିବା ଆଜି ସ୍ଥାନୀୟ ଟାଉନ୍ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସ୍ପି ସ୍ନେହାଶିଷ ସାହୁ ସୂଚନା ଦେଇଛନ୍ତି।
Ad..
ସୂଚନା ଅନୁଯାୟୀ, ସୁଜିତଙ୍କ ମାଆ ପୂର୍ବରୁ ଫୁଲବାଣୀ ସର୍କିଟ୍ ହାଉସ୍ରେ କାମ କରୁଥିଲେ। ତାଙ୍କୁ କୌଣସି କାରଣରୁ ସେଠାରୁ ବାହାର କରି ଦିଆଯାଇଥିଲା। ଏହାକୁ ନେଇ ମନରେ ରାଗ ରଖିଥିଲେ ସୁଜିତ। ଗତ ୨୬ ରାତିରେ ସେ ସର୍କିଟ୍ ହାଉସ୍ ପରିସରରେ ଥିବା ଜଣେ କର୍ମଚାରୀଙ୍କ ସ୍କୁଟିରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ।
Ad..
ଫଳରେ ସ୍କୁଟି ସମେତ ପାଖରେ ଥିବା ଅନ୍ୟ ଏକ ବାଇକ୍ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ନିକଟରେ ଥିବା ଫୁଲବାଣୀ ବିଧାୟକ ଉମାଚରଣ ମଲିକଙ୍କ କାର୍ ମଧ୍ୟ ଏଥିରେ କ୍ଷତିଗ୍ରସ୍ତ ହୋଇଥିଲା। ଘଟଣାକୁ ଗୁରୁତ୍ବର ସହ ନେଇ ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍ଡିପିଓ ସୁବ୍ରତ ବେହେରା ଓ ଟାଉନ ଥାନା ଅଧିକାରୀ କନକ କୁମାର ମାଝୀଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା।
ଅଭିଯୁକ୍ତ ସୁଜିତକୁ ଫୁଲବାଣୀ ସହର ନିକଟରୁ ଟାଉନ୍ ଥାନା ପୁଲିସ ଗିରଫ କରିଥିବା ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି। ଅଭିଯୁକ୍ତ ବିରୋଧରେ ପୂର୍ବରୁ ମଧ୍ୟ ପାଞ୍ଚଟି ଆପରାଧିକ ମାମଲା ରହିଛି। ଏଥିସହ ଡିସେମ୍ବର ୨୭ ରାତିରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ହୋଇଥିବା ଅନ୍ୟ ଏକ ବାଇକ୍ ପୋଡ଼ି ଘଟଣାର ଅଭିଯୁକ୍ତକୁ ମଧ୍ୟ ଠାବ କରିବାରେ ପୁଲିସ ସଫଳ ହୋଇଛି ଏବଂ ଖୁବ୍ଶୀଘ୍ର ତାକୁ ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Edited by k.s thakur...
Tags:
accused arrested
forester
latest news
latest update
MLA vehicle burn
odisha daily current affairs
phulbani




