ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦାନ ପାଇଁ ଦୁଇଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...
ଭୁବନେଶ୍ବର,୦୯/୦୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏଠାରେ ଆଜି ଉଦ୍ଘାଟିତ ହୋଇଥିବା ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦାନ ପାଇଁ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି।
Ad..
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମେଘାଳୟର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲଚରାଲ ରିସର୍ଚ୍ଚ (ଆଇସିଏଆର) ପରିସରର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗ ଦେବା ପରେ ଗୁଆହାଟୀ ବିମାନବନ୍ଦରରୁ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ଓଡ଼ିଶାର କଳାକାରମାନେ ବିମାନବନ୍ଦର ସାମ୍ନାରେ ପାରଂପରିକ ଓ ସାଂସ୍କୃତିକ ଗୀତ, ନୃତ୍ୟ ଓ ବାଦ୍ୟ ସହିତ ସ୍ବାଗତ କରିଛନ୍ତି।
Ad..
ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏଠାରେ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ସ୍ବାଗତ ସମ୍ବର୍ନ୍ଧନା ଦିଆଯାଇଛି। ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବାଗତ କରିଛନ୍ତି। ଏହା ପରେ ରାଷ୍ଟ୍ରପତି ସ୍ବତନ୍ତ୍ର କାର୍କେଡ ଯୋଗେ ବିମାନବନ୍ଦରରୁ ସିଧାସଳଖ ରାଜଭବନ ଯିବେ। ସେଠାରେ ରାତ୍ରୀଯାପନ କରିବେ। ଶୁକ୍ରବାର ସକାଳ ୧୧ଟାରେ ସମ୍ମିଳନୀସ୍ଥଳକୁ ବାହାରିବେ।
Ad..
ଉଦ୍ଯାପନୀ ଦିବସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୨୭ଜଣଙ୍କୁ ‘ପ୍ରବାସୀ ଭାରତୀୟ ସମ୍ମାନ’ ପୁରସ୍କାରରେ ସମ୍ମାନିତ କରିବେ। ଏହା ପୂର୍ବରୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ଅଧିବେଶନରେ ‘ପ୍ରବାସୀ ଭାରତୀୟ ସଂଳାପ: ସଂସ୍କୃତି, ସଂଯୋଗ ଓ ସମ୍ପର୍କର କାହାଣୀ’ ଉପରେ ଆଲୋଚନା ହେବ।
ସେହିପରି ଏହି ତିନି ଦିନରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୫ଟି ପୂର୍ଣ୍ଣାଙ୍ଗ ଅଧିବେଶନ ହେବ। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ରାଷ୍ଟ୍ରପତି ପ୍ରାୟ ୫ ଘଣ୍ଟା ବିତାଇବା ପରେ ପୁଣି ବିମାନବନ୍ଦିର ଅଭିମୁଖେ ବାହାରିବେ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋାଦୀ ଆଜି ପୂର୍ବାହ୍ଣରେ ପ୍ରଥମ ଥର ପାଇଁ ପୂର୍ବ ଭାରତୀୟ ରାଜ୍ୟ ‘ଓଡ଼ିଶା’ରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ ପ୍ରବାସୀମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ସମସ୍ତ ପ୍ରବାସୀ ଭାରତୀୟଙ୍କୁ ମହାପ୍ରଭୁ ଜଗନ୍ନାଥ ଓ ମହାପ୍ରଭୁ ଲିଙ୍ଗରାଜଙ୍କ ଭୂମିକୁ ସ୍ୱାଗତ। ଦେଶରେ ଏବେ ସବୁଠି ଉତ୍ସବର ସମାରୋହ ଆୟୋଜନ ହେଉଛି। ପ୍ରୟାଗରାଜରେ ପବିତ୍ର ମହାକୁମ୍ଭ ମେଳା ମଧ୍ୟ ଆୟୋଜନ ହେଉଛି।
ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶା କଳା ଓ ସଂସ୍କୃତିରେ ପରିପୂର୍ଣ୍ଣ। ଓଡ଼ିଶାର ପାଦେ ପାଦେ ପ୍ରମୁଖ ଐତିହ୍ୟକୁ ଦେଖିବାକୁ ମିଳେ। ଖଣ୍ଡଗିରି, ଉଦୟଗିରି, କୋଣାର୍କକୁ ଦେଖିଲେ ଗର୍ବ ଅନୁଭବ ହୁଏ। କାହିଁ କେତେ ବର୍ଷ ପୂର୍ବରୁ ଓଡ଼ିଶାର ବେପାରୀମାନେ ବାଲି, ସୁମତ୍ରା, ଜାଭା ଯାତ୍ରା କରୁଥିଲେ।
ତାହାର ସ୍ମୃତିରେ ବାଲିଯାତ୍ରା ଆୟୋଜନ କରାଯାଉଛି। ଧଉଳି ଶାନ୍ତିର ପ୍ରତୀକ ଅଟେ। ଦୁନିଆରେ ଯେତେବେଳେ ଅସ୍ତ୍ର ବଳରେ ସାମ୍ରାଜ୍ୟ ବଢ଼ାଇବାକୁ ଜୋର ଧରିଥିଲା, ସେତେବେଳେ ସମ୍ରାଟ ଅଶୋକ ଶାନ୍ତିର ରାସ୍ତା ବାଛିଥିଲେ। ସେଥିପାଇଁ ଆଜି ଭାରତ କହୁଛି ‘ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ଅଛି।
Edited by k.s thakur...
Tags:
2 days visit
Bhubaneswar
latest news
latest update
odisha daily current affairs
pravasi bharatiya Divas
president of India
smt.Dropadi Murmu




