ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଦୁଇ ଗିରଫ...
କଣ୍ଟାବାଞ୍ଜି,୦୧/୧୨ : ବହୁଚର୍ଚ୍ଚିତ ସନ୍ସାଇ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ପୁଲିସ୍ ଆଉ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ମହାଲିଙ୍ଗ +୨ କଲେଜ ଅଧ୍ୟକ୍ଷ ରଞ୍ଜିତ ସାହୁ ଓ ଅଧ୍ୟାପକ କୃତି ଚନ୍ଦନ। ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ଉଭୟଙ୍କୁ ପୁଲିସ୍ ଗିରଫ କରିଛି।
ବୁଧବାର ରାତିରେ କଣ୍ଟାବାଞ୍ଜି ଥାନା ପୁଲିସ ଏହି ଦୁଇ ଜଣଙ୍କୁ ଉଠାଇ ଆଣିଥିଲା। ଦୀର୍ଘ ସମୟ ଧରି ପଚରା ଉଚରା କରିଥିଲେ। ପରେ ଉଭୟଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା।
ସନ୍ସାଇ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର, ସ୍କୁଲ ଆସି ସେ ଘରକୁ ଫେରିନଥିଲେ। ଝିଅ ନିଖୋଜ ନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏପରିକି ଗୋବିନ୍ଦ ସାହୁଙ୍କ ନାଁରେ ମଧ୍ୟ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ୍ ମାମଲା ରୁଜୁ କରି ଗୋବିନ୍ଦ ସାହୁକୁ ଉଠାଇ ଆଣି ପଚରା ଉଚରା କରିଥିଲା। ହେଲେ ଟିଟିଲାଗଡ଼ ଥାନା ବ୍ୟାରାକ୍ରୁ ଗୋବିନ୍ଦ ରାତିରେ ଚମ୍ପଟ ମାରିଥିଲା। ବହୁ ଖୋଜାଖୋଜି ପରେ ଗୋବିନ୍ଦର ପତ୍ତା ମିଳିଥିଲା। ପୁଲିସ୍ ତାକୁ ଗିରଫ କରି ଜେରା କରିବା ପରେ ମମିତା ମେହେର ହତ୍ୟା ଉପରୁ ପର୍ଦ୍ଦା ହଟିଥିଲା।
ଜେରା ବେଳେ ମମିତାଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଏପରିକି ତାଙ୍କୁ କେମିତି ହତ୍ୟା କରିଥିଲେ, ସେ ସମ୍ପର୍କରେ ମଧ୍ୟ କହିଥିଲା। ମମିତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରି ସ୍କୁଲ ଖେଳ ପଡ଼ିଆରେ ଦର ପୋଡ଼ା ଅବସ୍ଥାରେ ପୋତି ଦେଇଥିବା ଗୋବିନ୍ଦ ଦେଖାଇଥିଲା।
ପରେ ପୁଲିସ୍ ମୃତଦେହ ଜବତ କରି ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ସହଯୋଗୀ ରାଧେଶ୍ୟାମ ଚଣ୍ଡିକୁ ଗିରଫ କରିଥିଲା। ଏବେ ଦୁଇ ଅଭିଯୁକ୍ତ ଜେଲ୍ ଅଛନ୍ତି। ମାମଲାଟି ଏବେ କଣ୍ଟାବାଂଜି କୋର୍ଟରେ ବିଚାର ଚାଲିଛି। ତେବେ ଏହି ସମୟରେ ସାକ୍ଷୀଙ୍କୁ ପ୍ରଭାବିତ କରିବା ଅଭିଯୋଗରେ ରଞ୍ଜିତ ସାହୁ ଓ କୃତି ଚନ୍ଦନଙ୍କୁ ଗିରଫ କରିଛି ପୁଲିସ୍।
Edited by k.s thakur...


