ଯାଜପୁର କୋରେଇ ରେ ଟ୍ରେନ ଦୁର୍ଘଟଣା , ୩ ମୃତ ୨ ଗୁରୁତର ...

ଯାଜପୁର କୋରେଇ ରେ ଟ୍ରେନ ଦୁର୍ଘଟଣା , ୩ ମୃତ ୨ ଗୁରୁତର ...

ଯାଜପୁର,୨୧/୧୧ : ଯାଜପୁର ଜିଲ୍ଲା କୋରେଇ ଷ୍ଟେସନରେ ଆଜି ପ୍ରାତଃ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଦ୍ରୁତ ଗତିରେ ଆସୁଥିବା ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ୍‌ ହେବାରୁ  ପ୍ରାୟ ୧୦ରୁ  ଊର୍ଦ୍ଧ୍ୱ  ବଗି ଯାତ୍ରୀ ବିଶ୍ରାମାଗାରମ ଭିତରକୁ ପଶି ଯାଇଥିଲା। ଫଳରେ କ୍ଷଣକ ମଧ୍ୟରେ ଯାତ୍ରୀ ବିଶ୍ରାମାଗାରଟି ତାସ ଘର ପରି ଭୁଶୁଡ଼ି ପଡ଼ିଥିବା ବେଳେ ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଇଛି।
   Ad..



ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ, ମାଲବାହୀ ଟ୍ରେନ୍‌ଟି ଆଜି ସକାଳ ପ୍ରାୟ ୬ଟା ୪୦ ମିନିଟ୍‌ରେ କୋରେଇ ଷ୍ଟେସନରେ  ପଶିଥିଲା। ଟ୍ରେନ୍‌ଟି ଦ୍ରୁତ ଗତିରେ ଥିବା ବେଳେ ପ୍ରଥମ ୬ଟି ବଗି ଚାଲି ଯାଇଥିଲା। ଏହାପରେ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବଗି ଲାଇନ୍‌ଚ୍ୟୁତ ହୋଇ ଯାଇଥିଲା। ଏହି ବଗିଗୁଡ଼ିକ ମଧ୍ୟରୁ ପ୍ରାୟ ୪ ବଗି ଯାତ୍ରୀ ବିଶ୍ରାମାଗାଗ ଉପରକୁ ମାଡ଼ି ଯାଇଥିଲା।

ଉକ୍ତ ସମୟରେ ସେଠାରେ ବହୁ ଲୋକ ବିଶ୍ରାମ ନେଉଥିବା ବେଳେ ବହୁ ଲୋକ ଟ୍ରେନ୍‌କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ। ଟ୍ରେନ୍‌ଟି ମାଡ଼ି ଆସିବା ଦେଖି  ବହୁ ଲୋକ ଛତ୍ରଭଙ୍ଗ ଦେଖି ସେଠାରୁ ଦୌଡ଼ି ପଳାଇଥିଲେ। ମାତ୍ର ଟ୍ରେନ୍‌ ବଗି ତଳେ ଚାପି ହୋଇ ୩ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ମହିଳା ଥିବା ଜଣାଯାଇଛି। ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି। ସେମାନଙ୍କୁ ଯାଜପୁର ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ଯୋଗୁ ଷ୍ଟେସନ୍‌ରେ ଥିବା ଯାତ୍ରୀ ବିଶ୍ରାମାଗାର ସମେତ ଫୁଟ ଓଭର ବ୍ରିଜ ମଧ୍ୟ ଭାଙ୍ଗି ଚୁରମାର ହୋଇ ଯାଇଛି।  ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିବା ବେଳେ ଆରପିଏଫ, ପୁଲିସ୍‌ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ଟ୍ରେନ୍‌ ବଗି ତଳେ ତଥା ଭଙ୍ଗା କାନ୍ଥ ତଳେ ଆହୁରି ବହୁ ଲୋକ ଚାପି ହୋଇଥିବା ଜଣାଯାଇଛି।

ଦୁର୍ଘଟଣା ଏତେ ଭୟଙ୍କର ଯେ, ବଗି ଗୁଡ଼ିକ ବିକ୍ଷିପ୍ତ ହୋଇ ଏଣେ ତେଣେ ଚଢ଼ିଯାଇଥିବା ଦେଖିବାକୁ ମିଳୁଛି । ଦୁର୍ଘଟଣା କିପରି ଘଟିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ।

ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ-କପିଳାସ ରୋଡର କୋରେଇ ଷ୍ଟେସନରେ ସକାଳ ୬ଟା ୪୪ରେ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ଯୋଗୁଁ ଉଭୟ ଲାଇନ ବ୍ଲକ ହୋଇଯାଇଛି ।

ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ଦାବି କରାଯାଇଛି।  ବିଳମ୍ବ ହେଲେ ଅଧିକ ଜୀବନହାନି ଆଶଙ୍କା କରିଛନ୍ତି ପ୍ରତ୍ୟକ୍ଷଦର୍ଶୀ । ଟ୍ରେନ୍‌ଟି ଲାଇନଚ୍ୟୁତ୍‌ ହେବାରୁ ଷ୍ଟେସନ ବିଲ୍ଡିଂ ଭାଙ୍ଗିରୁଜି ଯାଇଛି।  ରିଲିଫ ଟ୍ରେନକୁ ଦୁର୍ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଖୋର୍ଦ୍ଧା ରୋଡ୍ DRM  ମଦ୍ୟ ଦୁର୍ଘଟଣାସ୍ଥଳ ଅଭିମୁଖେ ବାହାରିଥିବା ଜଣାଯାଇଛି।

ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ସେ ଟ୍ୱିଟ କରି କହିଛନ୍ତି, ଯାଜପୁର କୋରେଇ ଷ୍ଟେଶନରେ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ  । ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।







Edited by k.s thakur...

Post a Comment

Previous Post Next Post