କଣ୍ଟାବାଞ୍ଜି ଥାନାରେ ମହିଳା ସ୍ନାତକ ମହାବିଦ୍ୟାଳୟର ଆଇନ ସଚେତନତା ଶିବିର...
କଣ୍ଟାବାଞ୍ଜି,୨୨/୦୮(ନି.ପ୍ର): ମହିଳା ସ୍ନାତକ ମହାବିଦ୍ୟାଳୟ, କଣ୍ଟାବାଞ୍ଜିର ଶକ୍ତିଶ୍ରୀ କୋଷ ତରଫରୁ ଓଡ଼ିଶା ସରକାରଙ୍କ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଆଇନ ସଚେତନତା ଶିବିର କଣ୍ଟାବାଞ୍ଜି ଥାନା ପରିସରରେ ଆୟୋଜିତ ହୋଇଥିଲା।
Ad..
ଛାତ୍ରୀମାନଙ୍କୁ ନିଜର ଅଧିକାର, ଆଇନଗତ ସୁରକ୍ଷା ଏବଂ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ ବିଷୟରେ ସଚେତନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଅଧ୍ୟକ୍ଷତା କରିଥିଲେ।
କଣ୍ଟାବାଞ୍ଜି ପୋଲିସ ଥାନା ଅଧିକାରୀ ଶ୍ରୀ ଗୋପାଳ କର୍ଣ୍ଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀମାନଙ୍କୁ ସାମ୍ପ୍ରତିକ ଆଇନ ଓ ନାଗରିକମାନଙ୍କର ଆଇନଗତ ଅଧିକାର ସମ୍ପର୍କରେ ବିସ୍ତୃତ ଭାବେ ଉଦ୍ବୋଧନ ଦେଇଥିଲେ। ସେ ଆଇନକୁ ଜାଣିବା ସହିତ ଆଇନକୁ ସମ୍ମାନ କରିବା ଏବଂ ଆବଶ୍ୟକ ସମୟରେ ଆଇନର ସହାୟତା ନେବା ପାଇଁ ଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ASI ଶ୍ରୀମତୀ ସନ୍ତୋଷିନୀ ସାହୁ ଯୋଗଦେଇ POCSO, POSH ଏବଂ Anti-Ragging ଆଇନ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ। ବିଶେଷକରି ଯୌନ ଉତ୍ପୀଡ଼ନ, ଶିଶୁମାନଙ୍କ ପ୍ରତି ଯୌନ ଅପରାଧ, ରାଗିଂ ଓ ଏଥିରୁ ମିଳୁଥିବା ଆଇନଗତ ସୁରକ୍ଷା ବିଷୟରେ ସେ ଉପଯୁକ୍ତ ତଥ୍ୟ ପ୍ରଦାନ କରିଥିଲେ।
ଅସୁବିଧା କିମ୍ବା ଅପରାଧର ସମ୍ମୁଖୀନ ହେଲେ ଭୟଭୀତ ନହୋଇ ଆଇନର ଆଶ୍ରୟ ନେବାକୁ ସେ ଛାତ୍ରୀମାନଙ୍କୁ ଆହ୍ୱାନ କରିଥିଲେ।ଏହି ଅବସରରେ ଥାନା ଅଧିକାରୀ ଶ୍ରୀ ଗୋପାଳ କର୍ଣ୍ଣ ଙ୍କ ଦ୍ୱାରା ନିଶା ମୁକ୍ତ ଭାରତ ଅଭିଯାନ ପାଇଁ ଉପସ୍ଥିତ ଅଧାପକ, ଅଧ୍ୟାପିକା ଓ ପୋଲିସ କର୍ମଚାରୀଙ୍କୁ ନିଶାନିବାରଣ ଶପଥ ପାଠ କରାଇଥିଲେ।
କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ଜିତେନ୍ଦ୍ର ସୁନା କରିଥିଲେ। ଶକ୍ତିଶ୍ରୀ କୋଷର ସଂଯୋଜିକା ଶ୍ରୀମତୀ ରଶ୍ମୀ ରମିତା ମେହେର ଏବଂ ଆଭ୍ୟନ୍ତରୀଣ ଅଭିଯୋଗ ପ୍ରକୋଷ୍ଠର ଅଧ୍ୟକ୍ଷ ଶ୍ରୀମତୀ ସୁନନ୍ଦା ରଥ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟ ର ବରିଷ୍ଠ ଅଧ୍ୟାପକ ଯୁଧିଷ୍ଠିର ବେହେରା ଉପସ୍ଥିତ ରହି ସହଯୋଗ କରିଥିଲେ।ମହାବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜୁ ବଂଚୋର କାର୍ଯ୍ୟକ୍ରମର ତଦାରଖ କରିଥିଲେ।
ଆଇନ ସଚେତନତା ଶିବିରରେ ଛାତ୍ରୀମାନେ ଉତ୍ସାହର ସହିତ ଅଂଶଗ୍ରହଣ କରି ବିଭିନ୍ନ ଆଇନ ସମ୍ପର୍କିତ ପ୍ରଶ୍ନ ପଚାରିଥିଲେ ଏବଂ ଅତିଥିମାନଙ୍କଠାରୁ ଆବଶ୍ୟକୀୟ ତଥ୍ୟ ହାସଲ କରିଥିଲେ। ଏହି ଶିବିର ଛାତ୍ରୀମାନଙ୍କ ମଧ୍ୟରେ ଆଇନଗତ ସଚେତନତା, ଆତ୍ମବିଶ୍ୱାସ ଓ ସୁରକ୍ଷା ଭାବନା ବୃଦ୍ଧି କରିବାରେ ନିଶ୍ଚିତ ଭାବେ ସହାୟକ ହୋଇଥିଲା।
ଶେଷରେ ଶକ୍ତିଶ୍ରୀ କୋଷର ସଂଯୋଜିକା ଶ୍ରୀମତୀ ରଶ୍ମୀ ରମିତା ମେହେର ଉପସ୍ଥିତ ସମସ୍ତ ଅତିଥି, ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରୀମାନଙ୍କୁ ମିଠା ବଣ୍ଟନ କରାଯାଇବା ପରେ କାର୍ଯ୍ୟକ୍ରମର ସମାପ୍ତି ଘୋଷଣା କରାଯାଇଥିଲା।
ଏହି ଆଇନ ସଚେତନତା ଶିବିର ଛାତ୍ରୀମାନଙ୍କୁ ନିଜର ଅଧିକାର ଓ ଆଇନଗତ ସୁରକ୍ଷା ବିଷୟରେ ଅବଗତ କରାଇବା ସହିତ ଏକ ସୁରକ୍ଷିତ, ସଚେତନ ଓ ଆତ୍ମନିର୍ଭର ସମାଜ ଗଠନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିଲା।
Edited by k.s thakur...


