କୋରାପୁଟରେ ବେକାବୁ ମ୍ୟାଲେରିଆ: ୬ ମାସରେ ୩୦୮୧ ପଜିଟିଭ୍...

କୋରାପୁଟରେ ବେକାବୁ ମ୍ୟାଲେରିଆ: ୬ ମାସରେ ୩୦୮୧ ପଜିଟିଭ୍...



କୋରାପୁଟ,୧୬/୦୭(ନି.ପ୍ର) : ଘଞ୍ଚ ଜଙ୍ଗଲପର୍ବତ ଘେରା ମାଳଭୂମି କୋରାପୁଟରେ ନିୟନ୍ତ୍ରଣକୁ ଆସିପାରୁନି ମ୍ୟାଲେରିଆ। ଏହାମଧ୍ୟରେ ସପ୍ତାହକ ଭିତରେ ଦୁଇ ଜଣ ଆଶ୍ରମ ସ୍କୁଲ ଛାତ୍ରଙ୍କ ମ୍ୟାଲେରିଆରେ ମୃତ୍ୟୁ ଉଦ୍‌ବେଗର କାରଣ ହୋଇଛି। 

            Ad..


ବର୍ଷାଦିନେ କମ୍‌ ବର୍ଷା ଓ ତାପମାତ୍ରା ବୃଦ୍ଧି ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସନ୍ତସନ୍ତିଆ ପରିବେଶ ମଶାବଂଶ ବୃଦ୍ଧିରେ ସହାୟକ ହେଉଛି। ଫଳରେ ଜୁନ୍‌ରୁ ଅକ୍ଟୋବର ମଧ୍ୟରେ ମ୍ୟାଲେରିଆର ପ୍ରକୋପ ଅଧିକ ରହୁଛି। 

ଚଳିତବର୍ଷ ୬ ମାସ ମଧ୍ୟରେ ଜିଲ୍ଲାରେ ୨୦ ହଜାର ରକ୍ତନମୁନା ପରୀକ୍ଷାରୁ ୩୦୮୧ ପଜିିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋଟ ପଜିଟିଭ୍‌ଙ୍କ ମଧ୍ୟରୁ କେବଳ ବନ୍ଧୁଗାଁ ବ୍ଲକ୍‌ରେ ୪୦ ପ୍ରତିଶତ ଅର୍ଥାତ୍‌, ୧୧୮୨ ଆକ୍ରାନ୍ତ ରହିଛନ୍ତି।

ସୂଚନା ଅନୁଯାୟୀ, ଜିଲ୍ଲାରେ ବନ୍ଧୁଗାଁ ଓ ନାରାୟଣପାଟଣା ବ୍ଲକ୍‌ ଏବେ ମ୍ୟାଲେରିଆ ହଟସ୍ପଟ୍‌ ପାଲଟିଛି। ଗତ ୪୫ ଦିନ ମଧ୍ୟରେ ବନ୍ଧୁଗାଁ ବ୍ଲକରୁ ୪୭୭ ମ୍ୟାଲେରିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। 

ସେହିପରି ନାରାୟଣପାଟଣା ବ୍ଲକ୍‌ରୁ ଗତ ୬ ମାସରେ ୪୮୦ ମ୍ୟାଲେରିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାର ୧୪ ବ୍ଲକ୍‌ରୁ ୯ ବ୍ଲକ୍‌ ବଣ, ପାହାଡ଼ ଘେରା। ଅଧିକାଂଶ ଗାଁ ନିକଟରେ ଝରଣା, ଜଙ୍ଗଲ ଓ ଜଳାଶୟ ରହିଥିବାରୁ ମଶାବଂଶ ବୃଦ୍ଧି ପାଉଛି। 

ଲମତାପୁଟ, ବନ୍ଧୁଗାଁ, ନାରୟଣପାଟଣା, ଦଶମନ୍ତପୁର, ଲକ୍ଷ୍ମୀପୁର, ପଟାଙ୍ଗି ଓ ବୈପାରୀଗୁଡ଼ା ବ୍ଲକ୍‌ରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କିଛି କମ୍‌ ନୁହେଁ।  ଗତ ୫ ବର୍ଷର ରିପୋର୍ଟକୁ ଅନୁଧ୍ୟାନ କଲେ ୩ ବର୍ଷ ହେଲା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। 

୨୦୨୧ରେ ଜିଲ୍ଲାରୁ ୨୪୧୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ୨୦୨୨ରେ ୨୮୩୦, ୨୦୨୩ରେ ସଂଖ୍ୟା ୩ ଗୁଣକୁ ବୃଦ୍ଧି ପାଇ ଆକ୍ରାନ୍ତଙ୍କ ସଂଖ୍ୟା ୭୦୦୭ରେ ପହଞ୍ଚିଥିଲା। ୨୦୨୪ରେ ପୁଣି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୯୪୫୧ ହୋଇଥିବା ବେଳେ ୨୦୨୫ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୯୫୦କୁ ଖସି ଆସିଥିଲା। 

ଦମନ ଓ ସଚେତନତା କାର୍ଯ୍ୟକ୍ରମ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଜିଲ୍ଲାରେ ମ୍ୟାଲେରିଆକୁ ଦମନ ପାଇଁ ବ୍ୟାପକ ସଚେତନତା ସହ ସମୂହ ସ୍କ୍ରିନିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। 

ପ୍ରତି ପରିବାରକୁ ମଶାରୀ ବଣ୍ଟନ କରାଯାଇଛି। ଆଶା, ଅଙ୍ଗନବାଡ଼ି ଓ ସ୍ବାସ୍ଥ୍ୟକର୍ମୀ ଲୋକଙ୍କୁ ସଚେତନ କରିବା ସହ ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ହୋଇଛି।



Edited by k.s thakur...

Post a Comment

Previous Post Next Post