ଲକ୍ଷ୍ମୀ ବସ୍ ଚାଳକଙ୍କୁ ବନ୍ଧୁକ ଦେଖାଇ ଧମକ, ନକଲି ବନ୍ଧୁକ ଜବତ...
ବେଲପଡ଼ା,୨୧/୦୭(ତ୍ରିନାଥ ବାଗ) : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ବନମାଲ ଗାଁରେ ସୋମବାର ସକାଳେ ଲକ୍ଷ୍ମୀ ବସ୍ର ଚାଳକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ଘଟଣା ଘଟିଛି। ଏହି ଘଟଣା ଅଞ୍ଚଳରେ ତୀବ୍ର ଚର୍ଚ୍ଚାର ବିଷୟ ସାଜିଛି।
Ad..
ସୂଚନା ଅନୁସାରେ, ସକାଳ ପ୍ରାୟ ୭:୩୦ ସମୟରେ ଥୁଡିବାହାଲରୁ ଆସୁଥିବା ମୁଖ୍ୟମନ୍ତ୍ରୀ ବସ୍ ବନମାଲ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ଏହି ସମୟରେ ବନମାଲ ଗାଁର ନବୀନ ସାହୁ ହଠାତ୍ ବସ୍ ନିକଟକୁ ଆସି ଚାଳକଙ୍କୁ ବନ୍ଧୁକ ଦେଖାଇ ଧମକ ଦେଇଥିଲା।
ରାସ୍ତାରେ ତାଙ୍କ ବାଇକ୍କୁ ଧକ୍କା ଦିଆଯାଇଥିବା ଅଭିଯୋଗ କରି ସେ ଚାଳକଙ୍କ ସହ ଯୁକ୍ତିତର୍କ କରିବା ସହ ବାରମ୍ବାର ମାରିଦେବାକୁ ଧମକ ଦେଇଥିଲା। ଫଳରେ ବସ୍ ଚାଳକ, କର୍ମଚାରୀ ଏବଂ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ।
ଏହି ସମୟରେ ଜଣେ ବସ୍ କର୍ମଚାରୀ କୌଶଳକ୍ରମେ ଅଭିଯୁକ୍ତଙ୍କ ହାତରୁ ବନ୍ଧୁକ ଛଡାଇ ନେଇଥିଲେ। ଖବର ପାଇ ବେଲପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବନ୍ଧୁକଟି ଜବତ କରିଥିଲା। ଜବତ ବନ୍ଧୁକଟି ନକଲି ବୋଲି ବେଲପଡ଼ା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି।
ଘଟଣା ପରେ ଅଭିଯୁକ୍ତ ନବୀନ ସାହୁ ଫେରାର ମାରିଥିବା ବେଳେ ପୋଲିସ ତାଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଖବର ଲେଖାଯିବା ସୁଦ୍ଧା ସେ ଗିରଫ ହୋଇନାହାଁନ୍ତି।
ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ତେଣୁ କୌଣସି ବଡ଼ ଅପରାଧ ଘଟାଇବା ପୂର୍ବରୁ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
Edited by k.s thakur...


