ଏନିମେଟେଡ ସିନେମା ‘ମହାପ୍ରଭୁ ଜଗନ୍ନାଥ’ ରିଲିଜ ଉପରେ ଅନ୍ତରୀଣ ରୋକ...

ଏନିମେଟେଡ ସିନେମା ‘ମହାପ୍ରଭୁ ଜଗନ୍ନାଥ’ ରିଲିଜ ଉପରେ ଅନ୍ତରୀଣ ରୋକ...


କଟକ,୧୬/୦୭(ନି.ପ୍ର) : ଆନିମେଟେଡ ସିନେମା ‘ମହାପ୍ରଭୁ ଜଗନ୍ନାଥ’ ରିଲିଜ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ଜୁଲାଇ ୧୭ରେ ଏଲି ଆନିମେସନସ୍‌ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଏହି ଫିଲ୍ମ ରିଲିଜ ପାଇଁ ପ୍ରସ୍ତାବ ରହିଥିବା ବେଳେ ଏହା ଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି।

      Ad..


ଅଦାଲତଙ୍କ ବିନା ଅନୁମତିରେ ବା ପରବର୍ତ୍ତୀ ତାରିଖ ପର୍ଯ୍ୟନ୍ତ ଏହି ଫିଲ୍ମ ରିଲିଜ ଉପରେ ରୋକ ଲଗାଯାଉଛି ବୋଲି ହାଇକୋର୍ଟ କହିଛନ୍ତି। 

ଏଥି ସହିତ ମାମଲାରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ସେଣ୍ଟ୍ରାଲ ବୋର୍ଡ ଅଫ ଫିଲ୍ମ ସାର୍ଟିଫିକେସନ(ସିବିଏଫସି), ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଏଲି ଆନିମେସନ ସଂସ୍ଥା ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। 

ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଓ ଜଷ୍ଟିସ ଏମ.ଏସ.ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ମହେଶ କୁମାର ସାହୁ ଓ ଅନ୍ୟମାନଙ୍କ ତରଫରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। 

ଅଗଷ୍ଟ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।ମାମଲାର ବିବରଣୀରୁ ପ୍ରକାଶ ଯେ ଏହି ଫିଲ୍ମ ରିଲିଜ ବିରୋଧରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଫିଲ୍ମର ଟିଜର ଜୁନ ୬ରେ ଯ୍ୟୁଟ୍ୟୁବରେ ରିଲିଜ ହେବା ସହିତ ରିଲିଜ ତାରିଖ ଜୁଲାଇ ୧୦ ଘୋଷଣା କରାଯାଇଥିଲା। 

କିନ୍ତୁ ଉପଲବ୍ଧ ତଥ୍ୟରୁ ପ୍ରଭୁ ଜଗନ୍ନାଥଙ୍କୁ ମନଗଢା ଢଙ୍ଗରେ ପ୍ରଦର୍ଶନ କରାଯାଇଛି, ଯାହାକି ଶ୍ରୀ ଜଗନ୍ନାଥ ସଂସ୍କୃତି, ରୀତିନୀତି, ପରମ୍ପରାର ବିରୋଧାଚରଣ କରୁଛି ବୋଲି ଅଭିଯୋଗ ହୋଇଥିଲା। 

ଏହାପରେ ଫିଲ୍ମକୁ ଗଜପତି ମହାରାଜା ଓ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କର୍ତ୍ତୃପକ୍ଷଙ୍କ ପାଇଁ ଅଡିଟୋରିୟମରେ ପ୍ରଦର୍ଶନ କରାଇବା ଲାଗି ପ୍ରଯୋଜକ ବ୍ୟବସ୍ଥା କରିଥିଲେ।ପ୍ରତିଷ୍ଠିତ ଧାର୍ମିକ ପରମ୍ପରା ବିରୋଧରେ କେତେକ ଘଟଣା ଫିଲ୍ମରେ ରହିଥିବା ଅଭିଯୋଗ ହୋଇଥିଲା। 

ଆପତ୍ତି ଉଠିଥିଲା ଏପରି ପ୍ରଦର୍ଶନ ସମୟରେ। ଏହାପରେ ଆବଶ୍ୟକ ପରିବର୍ତ୍ତନ କରିବାକୁ ପ୍ରଯୋଜକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ପାଳନ କରି ନଥିବା ଅଭିଯୋଗ ହୋଇଥିଲା। 

ଆବଶ୍ୟକ ପରିବର୍ତ୍ତନ ନ କରି ଜୁଲାଇ ୧୭‌ରେ ଫିଲ୍ମ ରିଲିଜ ପାଇଁ ଯୋଜନା କରାଯାଇଥିବା ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଥିଲେ। 

ସିନେମାରେ ଆପତ୍ତିଜନକ ଦୃଶ୍ୟରେ ସଂଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯିବା ଆବଶ୍ୟକ। ଏଥି ସହିତ ସିବିଏଫସି ପକ୍ଷରୁ ଫିଲ୍ମକୁ ଦିଆଯାଇଥିବା ସାର୍ଟିଫିକେଟ ପ୍ରତ୍ୟାହାର କରିବାକୁ ନିର୍ଦେଶ ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। 

ଏଥି ସହିତ ମାମଲା ବିଚାରାଧୀନ ଥିବା ବେଳେ ରିଲିଜ ଉପରେ ଅନ୍ତରୀଣ ରୋକ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଥିଲା। ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ର, ଆଇନଜୀବୀ ସମ୍ବିତ କୁମାର ପତ୍ରୀ, ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି।



Edited by k.s thakur...

Post a Comment

Previous Post Next Post