ଗୋପାଳପୁର-ରାୟଗଡ଼ା ରେଳ ଲାଇନର ଡିପିଆର ପ୍ରସ୍ତୁତି ପାଇଁ କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି : ରେଳ ମନ୍ତ୍ରୀ...

ଗୋପାଳପୁର-ରାୟଗଡ଼ା ରେଳ ଲାଇନର ଡିପିଆର ପ୍ରସ୍ତୁତି ପାଇଁ କ୍ଷେତ୍ର ସର୍ବେକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି : ରେଳ ମନ୍ତ୍ରୀ...


ଭୁବନେଶ୍ଵର,୩୦/୦୭(ନି.ପ୍ର) : ଗୋପାଳପୁରରୁ ରାୟଗଡ଼ାକୁ ସିଧାସଳଖ ରେଳ ପଥ ଯୋଗେ ଯୋଡ଼ିବା ଲାଗି ୨୫୦ କିଲୋମିଟର ବିଶିଷ୍ଟ ରେଳ ଲାଇନକୁ ମଞ୍ଜୁରି ମିଳିଛି।ଏହି ରେଳ ଲାଇନର ଚୁଡ଼ାନ୍ତ କ୍ଷେତ୍ର ସର୍ବେକ୍ଷଣକୁ ମଞ୍ଜୁରି ଦିଆସରିଛି।

         Ad..


ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତି ଲାଗି କ୍ଷେତ୍ର ସର୍ବେକ୍ଷଣ କାମ ଆରମ୍ଭ ହୋଇସାରିଛି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଗତକାଲି ଲୋକସଭାରେ ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ଦେଇ ବୈଷ୍ଣବ କହିଛନ୍ତି, ଗୋପାଳପୁର ଏବଂ ରାୟଗଡ଼ା ମଧ୍ୟରେ ପୂର୍ବରୁ ବିଜୟନଗରମ୍ ଜଙ୍କସନ୍ ଜରିଆରେ ରେଳ ସଂଯୋଗ ସୁବିଧା ରହିଛି । 

ତେବେ ଏକ ସିଧାସଳଖ ବିକଳ୍ପ ରେଳ ମାର୍ଗ ଯୋଗାଇ ଦେବା ଲାଗି ଗୋପାଳପୁର-ରାୟଗଡ଼ା ନୂଆ ରେଳ ଲାଇନକୁ ମଞ୍ଜୁର କରାଯାଇଛି । ଏଥିପାଇଁ ଆରମ୍ଭ ହୋଇଥିବା କ୍ଷେତ୍ର ସର୍ବେକ୍ଷଣରେ ବିଭିନ୍ନ ଦିଗକୁ ସାମିଲ କରାଯିବ। 

ଏଥିରେ ବିକଳ୍ପ ମାର୍ଗର ଅଧ୍ୟୟନ, ଆର୍ଥିକ କେନ୍ଦ୍ରଗୁଡ଼ିକୁ ସଂଯୋଗ, ରାଜ୍ୟ ସରକାର ଓ ବନ ବିଭାଗ, ଜିଲ୍ଲା ରାଜସ୍ବ ଅଧିକାରୀ, ଉଦ୍ୟୋଗ, ଖଣି ଭଳି ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଆଧାରରେ ବୈଷୟିକ ତଥା ଆର୍ଥିକ ଭାବେ ସଠିକ୍ ମାର୍ଗ ବା ଆଲାଇନମେଣ୍ଟ ନିର୍ଦ୍ଧାରଣ କରାଯିବା ରେଳ ମନ୍ତ୍ରୀ କହିଛନ୍ତି, ଡିପିଆର ପ୍ରସ୍ତୁତ ହେବା ପରେ, ପ୍ରକଳ୍ପ ମଞ୍ଜୁର ପାଇଁ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ସହିତ ବିଚାରବିମର୍ଶ କରାଯିବ।

ନୀତି ଆୟୋଗ ଏବଂ ଅର୍ଥ ମନ୍ତ୍ରଣାଳୟ ଆଦି କର୍ତ୍ତୃପକ୍ଷଙ୍କ ମୂଲ୍ୟାଙ୍କନ ଭଳି ଆବଶ୍ୟକ ଅନୁମୋଦନ ଲୋଡ଼ାଯିବ । ପ୍ରକଳ୍ପ ମଞ୍ଜୁରି ଏକ ନିରନ୍ତର ଏବଂ ଗତିଶୀଳ ପ୍ରକ୍ରିୟା ହୋଇଥିବାରୁ ଏହି ପ୍ରକଳ୍ପକୁ ସାରିବା ନେଇ ସଠିକ୍ ସମୟସୀମା ସ୍ଥିର କରାଯାଇପାରିବ ନାହିଁ।

ସେ ଆହୁରି କହିଛନ୍ତି, ୨୦୦୯ରୁ ୨୦୧୪ ତୁଳନାରେ ୨୦୨୬-୨୭ରେ ଓଡ଼ିଶାକୁ ମିଳିଥିବା ରେଳ ବଜେଟ୍ ପ୍ରାୟ ୧୩ ଗୁଣ ବୃଦ୍ଧି ପାଇ ୧୦,୨୩୬ କୋଟି ଟଙ୍କାରେ ପହଞ୍ଚିଛି। ରାଜ୍ୟରେ ଗତ ଦଶ ବର୍ଷ ମଧ୍ୟରେ ନୂଆ ଟ୍ରାକ୍ କାର୍ଯ୍ୟକ୍ଷମ ହେବା ମଧ୍ୟ ହାରାହାରୀ ସାଢ଼େ ୩ଗୁଣ ବଢ଼ିଛି।

ବର୍ତ୍ତମାନ ବାର୍ଷିକ ୧୮୬ କିମି ନୂଆ ଟ୍ରାକ୍ କାର୍ଯ୍ୟକ୍ଷମ ହେଉଥିବା ବେଳେ ୨୦୦୯ରୁ ୨୦୧୪ରେ ଏହା ବାର୍ଷିକ ମାତ୍ର ୫୩ କିମି ଥିଲା । ଚଳିତ ବର୍ଷ ଏପ୍ରିଲ ପହିଲା ସୁଦ୍ଧା ମୋଟ୍ ୮୧,୭୩୯ କୋଟି ଟଙ୍କାର ୫୫ଟି ରେଳ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। 

ଏଥିମଧ୍ୟରେ ୧୯ଟି ନୂଆ ରେଳ ଲାଇନ ଏବଂ ୩୬ଟି ରେଳ ଲାଇନର ଦୋହରୀକରଣ/ପ୍ରଶସ୍ତିକରଣ ସାମିଲ ରହିଛି।ରେଳ ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, ଜମି ଅଧିଗ୍ରହଣ, ଜଙ୍ଗଲ ମଞ୍ଜୁରି, ବିଭିନ୍ନ ଭିତ୍ତିଭୂମିର ସ୍ଥାନାନ୍ତର, ବୈଧାନିକ ମଞ୍ଜୁରି, ଭୌଗଳିକ ସ୍ଥିତି, ପ୍ରକଳ୍ପ କ୍ଷେତ୍ରରେ ଆଇନଶୃଙ୍ଖଳା ସ୍ଥିତି ଆଦି ଉପରେ ରେଳ ପ୍ରକଳ୍ପର ସମ୍ପୂର୍ଣ୍ଣ ହେବାର ସମୟ ଏବଂ ଖର୍ଚ୍ଚ ପ୍ରଭାବିତ ହୋଇଥାଏ।



Edited by k.s thakur...

Post a Comment

Previous Post Next Post