ସ୍ବାଧୀନତାର ୭୯ବର୍ଷ ପରେ ପଛୁଆବର୍ଗଙ୍କୁ ଉଚ୍ଚଶିକ୍ଷାରେ ସଂରକ୍ଷଣ : ଚଳିତ ବର୍ଷରୁ ସଂରକ୍ଷଣ ବ୍ୟବସ୍ଥା...
ଭୁବନେଶ୍ବର,୦୩/୦୬(ନି.ପ୍ର): ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବର୍ଦ୍ଧିତ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
Ad..
ଏସ୍ଟିଙ୍କୁ ୨୨.୫%, ଏସ୍ସିଙ୍କୁ ୧୬.୨୫%, ଏସ୍ଇବିସି ଓ ଓବିସିଙ୍କୁ ୧୧.୨୫% ସଂରକ୍ଷଣ ମିଳିବ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ସ୍ମାରକ ପ୍ରକାଶ ପାଇଛି। ଏପ୍ରିଲ୍ ୪ରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା।
ଏହାକୁ ତୁରନ୍ତ ଲାଗୁ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।ରାଜ୍ୟରେ ପୂର୍ବରୁ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ନ୍ୟାୟ ପ୍ରଦାନ ପାଇଁ ଅନେକ ଉଦ୍ୟମ ହୋଇଥିଲେ ମଧ୍ୟ ଏହା ସଫଳ ହୋଇ ନଥିଲା। ୨ ବର୍ଷ ଭିତରେ ନ୍ୟାୟ ପ୍ରଦାନ କରାଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ଏଥିସହିତ ସ୍ବାଧୀନତାର ୭୯ବର୍ଷ ପରେ ଓଡ଼ିଶାରେ ପଛୁଆବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ସହ ଏସ୍ଟି ଓ ଏସ୍ସି ବର୍ଗଙ୍କ ସଂରକ୍ଷଣ ବଢ଼ାଇ ରାଜ୍ୟର ମୋହନ ସରକାର ବଡ଼ ସଫଳତା ହାସଲ କରିଛନ୍ତି।ସୂଚନାଯୋଗ୍ୟ, ନିଯୁକ୍ତି ଏବଂ ବିଏ, ବିକମ୍, ବିଏସ୍ସି ଭଳି ସାଧାରଣ ଉଚ୍ଚଶିକ୍ଷାରେ ଏହି ସବୁ ବର୍ଗର ପିଲାମାନଙ୍କ ପାଇଁ ସମାନୁପାତିକ ସଂରକ୍ଷଣ ରହିଛି।
ମାତ୍ର ଇଞ୍ଜିନିୟରିଂ ଓ ମେଡିକାଲ ପରି ବୈଷୟିକ ଶିକ୍ଷାରେ ଅନୁସୂଚିତ ଜନଜାତିଙ୍କ ପାଇଁ ମାତ୍ର ୧୨%, ଅନୁସୂଚିତ ଜାତି ପିଲାଙ୍କ ପାଇଁ ୮% ଏବଂ ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିଲା।
ଏବେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସେମାନଙ୍କର ଅନୁବନ୍ଧିତ କଲେଜ ଓ ଶିକ୍ଷାନୁଷ୍ଠାନ, ଆଇ.ଟି.ଆଇ ଏବଂ ପଲିଟେକ୍ନିକ୍ ଗୁଡ଼ିକରେ ପ୍ରଦାନ କରାଯାଉଥିବା ଇଞ୍ଜିନିୟରିଂ, ଟେକ୍ନୋଲୋଜି, ମ୍ୟାନେଜ୍ମେଣ୍ଟ, କମ୍ପ୍ୟୁଟର ଆପ୍ଲିକେସନ୍, ମେଡିସିନ୍...
ସର୍ଜରୀ, ଡେଣ୍ଟାଲ, ନର୍ସିଂ,ଫାର୍ମାସି, ଆନୁଷଙ୍ଗିକ ସ୍ୱାସ୍ଥ୍ୟ ବିଜ୍ଞାନ, ପ୍ରାଣୀଚିକିତ୍ସା ବିଜ୍ଞାନ, ଆୟୁର୍ବେଦ, ହୋମିଓପାଥି, ଏଗ୍ରିକଲ୍ଚର ଆଣ୍ଡ ଆଲାଏଡ୍ ସାଇନ୍ସେସ୍, ଆର୍କିଟେକ୍ଚର୍, ପ୍ଲାନିଂ, ସିନେମାଟିକ ଆର୍ଟ ଆଣ୍ଡ ଟେକ୍ନୋଲୋଜି ଆଦି ଶିକ୍ଷାନୁଷ୍ଠାନରେ ନୂଆ ସଂରକ୍ଷଣ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।
Edited by k.s thakur...


