ପୁରୀ ରଥଖଳା : ସାରଥି ପାଇଁ ଟାଙ୍ଗି ନିର୍ମାଣ, ସଖୀରେ ଲାଗିଲା ରଙ୍ଗ...

ପୁରୀ ରଥଖଳା : ସାରଥି ପାଇଁ ଟାଙ୍ଗି ନିର୍ମାଣ, ସଖୀରେ ଲାଗିଲା ରଙ୍ଗ...


ପୁରୀ,୧୩/୦୬(ନି.ପ୍ର) : ୫୩ ଦିନରେ ପହଞ୍ଚିଛି ରଥ ନିର୍ମାଣ କାର୍ଯ୍ୟ। ଆଜି ନିର୍ମାଣକାରୀ ସେବକମାନେ ରଥ ଖଳାରେ ପହଞ୍ଚି ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ କାମ ଆରମ୍ଭ କରିଥିଲେ। ଗତକାଲି ସାରଥି ଉଠିବା ପାଇଁ ତିନିରଥର ଦୁଇଟି ଲେଖାଏଁ ଟାଙ୍ଗି କାର୍ଯ୍ୟ ସମ୍ପନ୍ନ କରାଯାଇଛି। 

Ad..



ରଥ ଚାଳିରେ ପତରା ଓ କଣ୍ଟା କାଠ ହଣାହୋଇ ରଖାଯାଇଛି। ଗତକାଲି ମୁଖ୍ୟ ମହାରଣାଙ୍କ ଉପସ୍ଥିତରେ ତିନିରଥ ସହଯୋଗୀ ମହାରଣା ଓ ଭୋଇ ସେବକମାନେ ମିଶି ତୃତୀୟ ଭୂଇଁ ବା ଅଗ ଭୂଇଁ ଉଠାଇ ମଝିଭୂଇଁ ଉପରେ ସ୍ଥାପନ କରିଥିଲେ। 

ଗୋଟିଏ ଗୋଟିଏ ଢମକ ଚାରି ନାହାକାକୁ ଲାଗି କଣ୍ଟା ବାଡ଼ିଆ ଶେଷ ହୋଇଥିଲା। ତାଳଧ୍ୱଜ ରଥ ଓ ନନ୍ଦି ଘୋଷ ରଥର ଆଗ ଆଣି ଏବଂ ପଛ ଆଣି ଦୁଇଟି ଲେଖାଏଁ ଢମକ ପଡ଼ୁଥିବା ବେଳେ ଦର୍ପଦଳନ ରଥର ତିନିଟି ଢମକ ପଡ଼ିଥାଏ।ଏହି ଢମକ ଉପରେ ପଟା ବାଡ଼ିଆ ଯାଇ ତିନିରଥର ବେଦି ସିଂହାସନ ନିର୍ମାଣ କରାଯାଇଥାଏ। 

ଏହି ଢମକ ଚାରି ନାହାକାକୁ ଦୃଢ଼ କରି ବାନ୍ଧି ରଖିଥାଏ। ସେପଟେ ଆଜିଠାରୁ ଚିତ୍ରକର ସେବକମାନେ ଯୋଗଦାନ କରି ପାର୍ଶ୍ବଦେବାଦେବୀ, ଶିଖର ଡମ୍ବୁରୁ ଓ ସଖୀଗୁଡ଼ିକ କାଢ଼ି ତାହାକୁ ସଫା କରାଯାଇଥିଲା। ପରେ ରଙ୍ଗ ଦେବା କାର୍ଯ୍ୟ ଆରମ୍ଭ କରାଯାଇଛି। 

ରୂପକାର ସେବକମାନେ ଦୁଆର ବେଢ଼ାରେ ଲାଗିବା ପାଇଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଶେଷ କରିଛନ୍ତି। ବାକି ଚାରିଟି ଲେଖାଏଁ ନାଟ ଗୋଡ଼ରେ ରୂପ ଖୋଦେଇ ସହ ଗୋଟିଏ ଗୋଟିଏ ଚାର ପରିଛାରେ ପଦ୍ମଫୁଲ ସହ ଡାଳି ଲତା ପଦ୍ମ କାଢ଼ି ଚିତ୍ର ଖୋଦେଇ ଜାରି ରଖିଛନ୍ତି। 

ଦୋଳ ବେଦି ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ତୃତୀୟ ଭୂଇଁ କଣ୍ଟା ନିର୍ମାଣ କରି ରଥ ଖଳାକୁ ଯୋଗାଇ ଦେବା ସହ ତିନିରଥର କଣ୍ଟା ପୋଟଳ ପାଇଁ ଗୋଡ଼ିଛାଲ କଣ୍ଟା ନିର୍ମାଣ କରିଛନ୍ତି। ଦୋଳ ବେଦିଠାରେ ପାହି ମହାରଣାମାନେ ଅଣସର ଓ ରଥଯାତ୍ରା ନିମନ୍ତେ ସେବାପୂଜା ପାଇଁ କାଠ, ବାଉଁଶ ନିର୍ମିତ ସରଞ୍ଜାମ ନିର୍ମାଣ ଜାରି ରଖିଛନ୍ତି।



Edited by k.s thakur...

Post a Comment

Previous Post Next Post