ନାମଯଜ୍ଞ ସହ ଜମୁଛି ମିନାବଜାର: ଶନିବାର ବିଛୁବାହାଲିରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ...

ନାମଯଜ୍ଞ ସହ ଜମୁଛି ମିନାବଜାର: ଶନିବାର ବିଛୁବାହାଲିରେ ପୂର୍ଣ୍ଣାହୁତି ଓ ପ୍ରସାଦ ସେବନ...


ବେଲପଡ଼ା,୧୯/୦୬(ତ୍ରିନାଥ ବାଗ) : ବେଲପଡ଼ା ବ୍ଲକ ଅନ୍ତର୍ଗତ ବିଛୁବାହାଲି ଗ୍ରାମରେ ଅନୁଷ୍ଠିତ ହେଉଥିବା ଷୋହଳ ପ୍ରହରୀ ଅଖଣ୍ଡ ନାମଯଜ୍ଞ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି। ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏହି ମହାନ ହରିନାମ ସଂକୀର୍ତ୍ତନ ଦିନ-ରାତି ନିରବଚ୍ଛିନ୍ନ ଭାବେ ଚାଲିଛି।

Ad..



ନାମଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆସନ୍ତା କାଲି ଶନିବାର ୨୦ ଜୁନ୍ ୨୦୨୬ ଦିନ ସକାଳ ୧୦ ଘଟିକା ସମୟରେ ଏହି ଯଜ୍ଞର ପୂର୍ଣ୍ଣାହୁତି ଅନୁଷ୍ଠିତ ହେବ। ପୂର୍ଣ୍ଣାହୁତି ପରେ ଭବ୍ୟ ନଗର କୀର୍ତ୍ତନ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିବ। 

ପୂର୍ଣ୍ଣାହୁତି ଓ ନଗର କୀର୍ତନ ପରେ ସମସ୍ତ ଭକ୍ତଙ୍କ ପାଇଁ ମହାପ୍ରସାଦ ସେବନର ଆୟୋଜନ କରାଯାଇଛି। ନାମଯଜ୍ଞ ଉପଲକ୍ଷେ ଗ୍ରାମରେ ମିନି ମିନାବଜାର ଜମିଲାଣି। ଏଥିରେ ଛୁଆମାନଙ୍କ ପାଇଁ ବିଭିନ୍ନ ପ୍ରକାର ଖେଳଣା ଦୋକାନ, ଚାଟ୍ ଦୋକାନ, ଆମ୍ବ ସହ ଅନ୍ୟାନ୍ୟ ଜଳଖିଆ ଓ ମିଠା ଦୋକାନଗୁଡ଼ିକ ମଧ୍ୟ ଖୋଲିଛି। ଯଜ୍ଞକୁ ଆସୁଥିବା ଶ୍ରଦ୍ଧାଳୁ ଓ ପିଲାମାନେ ବଜାରରେ କିଣାକିଣି କରି ଆନନ୍ଦ ନେଉଛନ୍ତି।

ହଜାର ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ, ଡାଲି, ତରକାରୀ, ଖେଚେଡ଼ି ପ୍ରସାଦ ପ୍ରସ୍ତୁତ କରାଯାଉଛି। ଏହି ନାମଯଜ୍ଞର କର୍ତା ଅଛନ୍ତି ନରହରି ମାଝୀ ଓ ତାଙ୍କ ଧର୍ମପତ୍ନୀ ପୁତୁଳି ମାଝୀ, ଚକାଡୋଳା ମାଝୀ ଓ ତାଙ୍କ ଧର୍ମପତ୍ନୀ ଶୋଭାଗିନୀ ମାଝୀ। ପୂଜକ ବିକ୍ରମ ହୋତା ଓ ଜପକ ବାବୁଲା ଦାଶ ଦାୟିତ୍ୱରେ ଅଛନ୍ତି।

ନାମଯଜ୍ଞ କମିଟି, ବିଛୁବାହାଲି ତରଫରୁ ସମସ୍ତ ଜନସାଧାରଣ ତଥା ଭକ୍ତଗଣଙ୍କୁ ପୂର୍ଣ୍ଣାହୁତି ଉତ୍ସବରେ ଯୋଗଦାନ କରି ମହାପ୍ରଭୁଙ୍କ ଆଶୀର୍ବାଦ ଲାଭ କରିବାକୁ ଅନୁରୋଧ କରାଯାଇଛି।



Edited by k.s thakur...

Post a Comment

Previous Post Next Post