ଦୁର୍ଘଟଣା ଘଟାଇ ଗାଡି ଚାଳକ ଫେରାର୍ : ଦେବଦୂତ ସାଜି ଗୁରୁତର ବାଇକ୍ ଚାଳକଙ୍କ ଜୀବନ ବଞ୍ଚାଇଲେ 'ସଂକଳ୍ପ ପରିବାର'ର ସଦସ୍ୟ...
ବରଗଡ଼,୦୮/୦୬(ବିଜୟ କୁମାର ସାହୁ): ଦୁର୍ଘଟଣାଗ୍ରସ୍ତ ଜଣେ ଅସହାୟ ଯୁବକଙ୍କ ପାଇଁ ଦେବଦୂତ ସାଜିଛନ୍ତି ବରଗଡ଼ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ସଂକଳ୍ପ ପରିବାର' ର ସଦସ୍ୟ।
Ad..
ନିଜର ଜୀବନ ବିକଳରେ ରାସ୍ତାରେ ପଡ଼ି ଛଟପଟ ହେଉଥିବା ଗୁରୁତର ଯୁବକଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇବା ସହ ଏକ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସେମାନେ ସଫଳ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ଦୁଇପହର ପ୍ରାୟ ୩:୦୦ ଘଣ୍ଟା ସମୟରେ ବରଗଡ଼ ଖଜୁରଟିକ୍ରା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଏକ ଗମ୍ଭୀର ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ବେପରୁଆ କାର ଚାଳକ ଜଣେ ବାଇକ୍ ଚାଳକଙ୍କୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କା ଏତେ ଶକ୍ତ ଥିଲା ଯେ ବାଇକ୍ ଚାଳକ ଯୁବକ ଜଣକ ପ୍ରବଳ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ଛଟପଟ ହେଉଥିଲେ। ତାଙ୍କର ଡାହାଣ ଗୋଡ଼ଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା।
ଦୁର୍ଘଟଣାର ଗାମ୍ଭୀର୍ଯ୍ୟକୁ ଦେଖି କାର ଚାଳକ ଜଣକ ଯୁବକଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଅତି ଚତୁରତା ସହ ଅମାନୁଷିକତା ପ୍ରଦର୍ଶନ କରିଥିଲେ। "ଗାଡ଼ିକୁ ସାଇଡ୍ କରୁଛି" ବୋଲି ବାହାନା କରି ସେ ସେଠାରୁ ଗାଡ଼ି ନେଇ ଫେରାର୍ ହୋଇଯାଇଥିଲେ।
ଏହି ଦୁର୍ଘଟଣାର ଖବର ତୁରନ୍ତ 'ସଂକଳ୍ପ ପରିବାର' ପାଖରେ ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ବିନା କୌଣସି ବିଳମ୍ବରେ ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲ, ଚିନ୍ମୟ ପାଣ୍ଡେ ଓ ଅମର କୁମାର ତୁରନ୍ତ ନିଜର ବ୍ୟକ୍ତିଗତ କାର୍ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ।
ସେମାନେ ନିଜ ଗାଡ଼ିରେ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ଆଣିଥିଲେ। ସେଠାରେ ତୁରନ୍ତ ଡାକ୍ତରଙ୍କ ଦ୍ୱାରା ପ୍ରାଥମିକ ଚିକିତ୍ସା କରାଇବା ସହ ଆହତ ଯୁବକଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରି ସେମାନଙ୍କୁ ହସ୍ତାନ୍ତର କରିଥିଲେ।
ଆହତ ଯୁବକ ଜଣକ ହେଉଛନ୍ତି ବରଗଡ଼ ବିସି ପଡ଼ା (BC Pada) ର ବାସିନ୍ଦା ଗଜପତି ସୁନାଙ୍କ ପୁଅ ଧୀରଜ ସୁନା (୩୨)। ତେବେ ତାଙ୍କ ମୁଣ୍ଡ ଏବଂ ଗୋଡ଼ର ଅବସ୍ଥା ଗୁରୁତର ଥିବାରୁ, ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାଙ୍କୁ ଉଚ୍ଚତର ଚିକିତ୍ସା ପାଇଁ ବୁର୍ଲା ଭିମସାର୍ (VIMSAR) କୁ ରେଫର କରିଛନ୍ତି।
ସଂକଳ୍ପ ପରିବାରର ସଦସ୍ୟଙ୍କ ଏଭଳି ତ୍ୱରିତ ଓ ମାନବୀୟ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଉଛି। ଅନ୍ୟପଟେ ଦୁର୍ଘଟଣା ଘଟାଇ ଫେରାର୍ ହୋଇଥିବା କାର ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Edited by k.s thakur...


