ପୁରୀରେ ବ୍ରିକ୍ସ୍ ଡିଆର୍‌ଆର୍‌ଜିର ବୈଠକ, ଓଡ଼ିଶାର ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ...

ପୁରୀରେ ବ୍ରିକ୍ସ୍  ଡିଆର୍‌ଆର୍‌ଜିର ବୈଠକ, ଓଡ଼ିଶାର ସଫଳ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାର ମଡେଲ୍ ପ୍ରଦର୍ଶିତ...


ପୁରୀ,୦୪/୦୬(ନି.ପ୍ର):  ପୁରୀଠାରେ ବ୍ରିକ୍ସ୍-୨୦୨୬ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ (ଡିଆର୍‌ଆର୍‌ଜି)ର ବୈଠକ ଅନୁଷ୍ଠିତ ହୋଇଛି। ଭାରତର ବ୍ରିକ୍ସ୍ ୨୦୨୬ ଅଧ୍ୟକ୍ଷତା ଅଧୀନରେ ଭାରତ ସରକାରଙ୍କ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଏନ୍‌ଡିଏମ୍‌ଏ) ପକ୍ଷରୁ ଆୟୋଜନ  କରାଯାଇଛି। 

Ad..



“ପ୍ରତିରୋଧ କ୍ଷମତା, ନୂତନ ଜ୍ଞାନକୌଶଳ, ପାରସ୍ପରିକ ସହଯୋଗ ତଥା ସମନ୍ଵୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ” ଶୀର୍ଷକକୁ ନେଇ ଏହି ବୈଠକ ଆୟୋଜିତ ହୋଇଛି।ଏହା ୩ ଦିନ ଧରି ଜୁନ ୩ରୁ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ଏଥିରେ ବ୍ରିକ୍ସ୍ ସଦସ୍ୟ ରାଷ୍ଟ୍ର ବ୍ରାଜିଲ୍, ଚୀନ୍, ଇଜିପ୍ଟ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ଇରାନ୍, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ବରିଷ୍ଠ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ବିପଦ ହ୍ରାସ କ୍ଷେତ୍ରରେ ପାରସ୍ପରିକ ସହଯୋଗକୁ ସୁଦୃଢ଼ କରିବେ।

ଗୋଷ୍ଠୀଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ବିପର୍ଯ୍ୟୟ ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ବିପଦ ପାଇଁ ପୂର୍ବ ସତର୍କୀକରଣ ବ୍ୟବସ୍ଥା, ବିପର୍ଯ୍ୟୟ-ପ୍ରତିରୋଧକ ଭିତ୍ତିଭୂମି,ପ୍ରକୃତିଭିତ୍ତିକ ସମାଧାନ ଏବଂ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳର ବ୍ୟବହାର ମାଧ୍ୟମରେ ବିପର୍ଯ୍ୟୟ ପ୍ରତିରୋଧ କ୍ଷମତା ବୃଦ୍ଧି ଭଳି ପ୍ରମୁଖ ବିଷୟ ଉପରେ ଆଲୋଚନା ହେବ।

ସାଧାରଣ ବିପର୍ଯ୍ୟୟଜନିତ ଆହ୍ଵାନଗୁଡ଼ିକର ମୁକାବିଲା ପାଇଁ ପାରସ୍ପରିକ ଶିକ୍ଷା, ସହଯୋଗ ଓ ଅନୁଭୂତି ବିନିମୟ ମାଧ୍ୟମରେ ବିପର୍ଯ୍ୟୟ-ପ୍ରତିରୋଧୀ ସମାଜ ଏବଂ ସ୍ଥାୟୀ ବିପର୍ଯ୍ୟୟ ବିପଦ ହ୍ରାସ ଢାଞ୍ଚା ଗଠନ କ୍ଷେତ୍ରରେ ବ୍ରିକ୍ସ୍ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗକୁ ଏହି ବୈଠକ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।

ବାତ୍ୟା ପରିଚାଳନା, ପୂର୍ବ ସତର୍କୀକରଣ ପ୍ରସାରଣ, ସ୍ଥାନାନ୍ତରଣ ଯୋଜନା ଏବଂ ଗୋଷ୍ଠୀଭିତ୍ତିକ ପ୍ରତିକ୍ରିୟା ବ୍ୟବସ୍ଥାରେ ଓଡ଼ିଶାର ବିଶ୍ୱସ୍ତରୀୟ ସଫଳତା ଓ ସ୍ୱୀକୃତିକୁ ଦୃଷ୍ଟିରେ ରଖି ରାଜ୍ୟକୁ ଏହି ବୈଠକର ଆୟୋଜକ ରାଜ୍ୟ ଭାବେ ଚୟନ କରାଯାଇଛି। 

ବିଶେଷକରି ବାତ୍ୟା ପରିଚାଳନାରେ ଶୂନ୍ୟ ଜନହାନି (ଜିରୋ କାଜୁଆଲିଟି) ସୁନିଶ୍ଚିତ କରିବା କ୍ଷେତ୍ରରେ ଓଡ଼ିଶାର ସଫଳତା ଆନ୍ତର୍ଜାତିକସ୍ତରରେ ପ୍ରଶଂସିତ ହୋଇଛି।କାର୍ଯ୍ୟକ୍ରମର ଅଂଶସ୍ୱରୂପ ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିମାନେ ରାମଚଣ୍ଡୀଠାରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ତ୍ୱରିତ କାର୍ଯ୍ୟାନୁଷ୍ଠାନ ବାହିନୀ(ଓଡ୍ରାଫ୍) ପକ୍ଷରୁ ଜଳ ଉଦ୍ଧାର ପ୍ରସ୍ତୁତି ଓ ପ୍ରତିକ୍ରିୟା ପ୍ରଦର୍ଶନୀ ପରିଦର୍ଶନ କରିବେ। 

ଏହାସହ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସ୍‌ଡିଏମ୍‌ଏ)ଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶିକ୍ଷିତ ଗୋଷ୍ଠୀର ସ୍ୱେଚ୍ଛାସେବୀମାନଙ୍କ ସହ ମତବିନିମୟ କରି ଉପକୂଳୀୟ ବିପର୍ଯ୍ୟୟ ପ୍ରତିରୋଧ ତଥା ପରିଚାଳନା ଏବଂ ସମୁଦାୟ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାର ଶ୍ରେଷ୍ଠ ଅଭ୍ୟାସଗୁଡ଼ିକୁ ପ୍ରତିନିଧିଗଣ ପ୍ରତ୍ୟକ୍ଷ କରିବେ। 

ଏହାବ୍ୟତୀତ ପ୍ରତିନିଧିମାନେ ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳୀ କୋଣାର୍କ ମଧ୍ୟ ପରିଦର୍ଶନ କରିବେ।ବୈଠକର ଉଦ୍‌ଘାଟନୀ ଅଧିବେଶନ ଏବଂ ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଏନ୍‌ଡିଏମ୍‌ଏର ସଦସ୍ୟ ତଥା ବିଭାଗୀୟ ମୁଖ୍ୟ ଡଃ କୃଷ୍ଣ ସ୍ୱରୂପ ବତ୍ସ ଏବଂ ଗୃହ ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବେ



Edited by k.s thakur...

Post a Comment

Previous Post Next Post