ଆନ୍ଧ୍ର ବିଏଡ୍ ନାମରେ ଠକେଇ, ୨୦ ଆଶାୟୀଙ୍କ ଠାରୁ ୩୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା...
କଣ୍ଟାବାଞ୍ଜି,୧୬/୦୬(ନି.ପ୍ର) : ପଶ୍ଚିମ ଓଡ଼ିଶାରେ ଆନ୍ଧ୍ର ବିଏଡ୍ ନାମରେ ବଡ଼ଧରଣର ଠକେଇ। ବଲାଙ୍ଗିର, ନୂଆପଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୨୦ ଆଶାୟୀଙ୍କଠାରୁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚଳୁ କରି ନେଇଛି ଜଣେ ମଧ୍ୟସ୍ଥି।
Ad..
ଠକେଇର ଶିକାର ଛାତ୍ରଛାତ୍ରୀ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।ଅଭିଯାଗକାରୀଙ୍କ କହିବା କଥା, ମଧ୍ୟସ୍ଥି ପତିତପାବନ ହେର୍ଣ୍ଣାଙ୍କ ଜରିଆରେ ସେମାନେ ଆନ୍ଧ୍ରର ଏକ ଅନୁଷ୍ଠାନରେ ବି.ଏଡ୍ ପାଠ୍ୟକ୍ରମରେ ନାମ ଲେଖାଇଥିଲେ।
ଏଥିନିମନ୍ତେ ଜଣ ପିଛା ୧.୫ ଲକ୍ଷ ଟଙ୍କା ପାଠକ୍ରମ ଫିସ୍ ଏବଂ ପ୍ରମାଣପତ୍ର ପାଇଁ ଅତିରିକ୍ତ ୧୦ ହଜାର ଟଙ୍କା ଦେଇଥିଲେ। ସମସ୍ତେ ପରୀକ୍ଷା ଦେଇ ସଫଳତାର ସହ ପାସ୍ କରିଥିଲେ। ପ୍ରାୟ ବର୍ଷେ ହେଲା ପାଠ୍ୟକ୍ରମ ସରିଲାଣି।କିନ୍ତୁ ପ୍ରମାଣପତ୍ର ମାଗିବା ବେଳକୁ ମଧ୍ୟସ୍ଥି ଜଣକ ଭୁଆଁ ବୁଲାଉଛନ୍ତି ।
ଧରାଛୁଆଁ ଦେଉନାହାନ୍ତି।ଅଭିଯୋଗକାରୀଙ୍କ କହିବା କଥା ସେମାନେ ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ବି.ଏଡ୍ କଲେଜ ସହିତ ଯୋଗାଯାଗ କରିଥିଲେ। ହେଲେ ଫିସ୍ ବକେୟା ଥିବା କର୍ତ୍ତୃପକ୍ଷ କହିବା ପରେ ସମସ୍ତଙ୍କ ଅକଲଗୁଡୁମ ହୋଇଯାଇଥିଲା।
ଠକେଇର ଶିକାର ହୋଇଥିବା ଆଶଙ୍କାରେ ସେମାନେ କଣ୍ଟାବାଞ୍ଜି ଥାନାର ଦ୍ୱାରସ୍ଥ ହୋଇ ଏତଲା ଦେଇଛନ୍ତି। ଅଶାୟୀଙ୍କ ସହ ଆସିଥିବା ଅଭିଭାବକମାନେ କହିଛନ୍ତି, ଖରିଆର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବଙ୍ଗୋମୁଣ୍ଡା ଏବଂ ସିନାପାଲିର ଅନେକ ପିଲା ଠକେଇର ଶିକାର ହୋଇଛନ୍ତି।
ପ୍ରମାଣପତ୍ର ମିଳିବାରେ ବିଳମ୍ବ ହେବା କାରଣରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଛି। ପ୍ରମାଣପତ୍ର ପାଇଁ କଲେଜ କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ଦାବି କରୁଛନ୍ତି।ସେପଟେ ମଧ୍ୟସ୍ଥି ଜଣକ ଜୁନ୍ ୧୫ ସୁଦ୍ଧା ଟଙ୍କା ଫେରାଇବାକୁ ସମୟ ଦେଇଥିଲେ।
ସେ ପ୍ରତିଶ୍ରୁତି ପୂରଣରେ ବିଫଳ ହୋଇଛନ୍ତି। ତେଣୁ ଥାନାର ଦ୍ୱାରସ୍ଥ ହୋଇଥିବା ଅସୀମ ବନଛୋର, ବିକାଶ ସାହୁ ପ୍ରମୁଖ କହିଛନ୍ତି। ପୂର୍ବରୁ ଜାଲ୍ ବିଏଡ୍ ସାର୍ଟିଫିକେଟ୍ ପ୍ରସଙ୍ଗରେ ପଶ୍ଚିମ ଓଡ଼ିଶା ସ୍କାନରରେ ରହିଥିବାବେଳେ ଏବେ ଏହି ଘଟଣା ପୁଣି ଆଲୋଡ଼ନ ଖେଳାଇ ଦେଇଛି। ଏଥିରେ ବଡ଼ଧରଣର ରାକେଟ୍ କାମ କରୁଥିବା ସନ୍ଦେହ ବଢ଼ିଛି। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଛି।
Edited by k.s thakur...


