ସାମାଜିକ ବାସନ୍ଦର କରୁଣ ଚିତ୍ର: ମୃତ୍ୟୁ ପରେ ବି ମିଳିଲାନି କାନ୍ଧ, ମାନବିକତାର ପରିଚୟ ଦେଇ ଅସହାୟ ବୃଦ୍ଧାଙ୍କ ଶେଷକୃତ୍ୟ ସମ୍ପନ୍ନ କଲା 'ସଂକଳ୍ପ ପରିବାର'...

ସାମାଜିକ ବାସନ୍ଦର କରୁଣ ଚିତ୍ର: ମୃତ୍ୟୁ ପରେ ବି ମିଳିଲାନି କାନ୍ଧ, ମାନବିକତାର ପରିଚୟ ଦେଇ ଅସହାୟ ବୃଦ୍ଧାଙ୍କ ଶେଷକୃତ୍ୟ ସମ୍ପନ୍ନ କଲା 'ସଂକଳ୍ପ ପରିବାର'...


ଅତାବିରା,୦୩/୦୬(ବିଜୟ କୁମାର ସାହୁ): ଆଧୁନିକ ସମାଜରେ ଆଜି ବି ମାନବିକତା କେତେ ତଳକୁ ଖସିପାରେ ଏବଂ ସାମାଜିକ ବାସନ୍ଦ ନାମରେ ମଣିଷ କେତେ ନିଷ୍ଠୁର ହୋଇପାରେ, ତାର ଏକ ଜ୍ୱଳନ୍ତ ତଥା ହୃଦୟବିଦାରକ ଉଦାହରଣ ଦେଖିବାକୁ ମିଳିଛି ଅତାବିରା ବ୍ଲକ୍ ଅନ୍ତର୍ଗତ ମର୍ହାଟିକ୍ରା ଗ୍ରାମରେ। 

      Ad..


ତେବେ ଅନ୍ଧକାର ଭିତରେ ଆଲୋକର କିରଣ ସାଜି, ସମାଜକୁ ଏକ ବଡ଼ ବାର୍ତ୍ତା ଦେବା ସହ ମାନବିକତାର ଶ୍ରେଷ୍ଠ ଉଦାହରଣ ସୃଷ୍ଟି କରିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ସଂକଳ୍ପ ପରିବାର'। ମୃତ ବୃଦ୍ଧା ଜଣକ ହେଲେ ମର୍ହାଟିକ୍ରା (ବରାହମୁଣ୍ଡା)ଗ୍ରାମର ଶାନ୍ତି ବରିହା (ବୟସ ୬୦-୬୫)। 

ଅତୀତରେ ସେ ନିଜ ଇଚ୍ଛାରେ ଅନ୍ୟ ଜାତିରେ ବିବାହ କରିଥିଲେ। କିନ୍ତୁ ଏହି ନିଷ୍ପତ୍ତି ତାଙ୍କ ପାଇଁ ଅଭିଶାପ ପାଲଟିଥିଲା। ପରିବାର ତଥା ଗ୍ରାମବାସୀ ତାଙ୍କୁ ଆକ୍ରୋଶର ଶିକାର କରିବା ସହ ଗାଁରୁ ସବୁଦିନ ପାଇଁ ବାସନ୍ଦ କରିଦେଇଥିଲେ। 

ସମାଜର ଏହି କଠୋର ଓ ଅନ୍ଧବିଶ୍ୱାସୀ ନିୟମ ଯୋଗୁଁ ତାଙ୍କର ନିଜର କହିଲେ ଆଉ କେହି ନଥିଲେ, ଏବଂ ସେ ଏକାକୀ ନିର୍ବାସିତ ଜୀବନ ବିତାଉଥିଲେ। 

ସବୁଠାରୁ ଲୋମଟାଙ୍କୁରା ଓ ଦୁଃଖର ବିଷୟ ହେଉଛି, ଆଜିକୁ ୫ ବର୍ଷ ପୂର୍ବେ ଯେତେବେଳେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା, ସେହି ଦୁଃଖଦ ସମୟରେ ମଧ୍ୟ ଗାଁର କୌଣସି ବ୍ୟକ୍ତି ସାହାଯ୍ୟ କରିବାକୁ ଆଗେଇ ଆସିନଥିଲେ। 

ଅନ୍ୟ କୌଣସି ଉପାୟ ନପାଇ ଅସହାୟ ଶାନ୍ତି ଦେବୀ ମାତ୍ର ୫୦୦ ଟଙ୍କା ଦେଇ ଦୁଇଜଣ ଲୋକଙ୍କ ସାହାଯ୍ୟରେ ଏକ ଗାତ ଖୋଳାଇଥିଲେ ଏବଂ ନିଜେ ନିଜ ସ୍ୱାମୀଙ୍କ ମୃତଦେହକୁ ଘୋଷାଡ଼ି ଘୋଷାଡ଼ି ନେଇ କବର ଦେଇଥିଲେ। ବୋଧହୁଏ ସେହି ଦିନ ହିଁ ସମାଜର ବିବେକ ଓ ମାନବିକତା ମରିଯାଇଥିଲା। 

ବର୍ତ୍ତମାନ ଏହି ଦୁଃଖିନୀ ବୃଦ୍ଧାଙ୍କର ମଧ୍ୟ ପରଲୋକ ଘଟିଛି। ମୃତ୍ୟୁ ପରେ ବି ସେହି ସମାନ ପରିସ୍ଥିତି ଉପୁଜିଥିଲା, କେହି ପାଖ ମାଡ଼ିନଥିଲେ। ତେବେ ପଡ଼ୋଶୀ ବରାହମୁଣ୍ଡା ଗ୍ରାମର ଜଣେ ସହୃଦୟ ବ୍ୟକ୍ତି ତରଣୀ ଦଳେଇ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ 'ସଂକଳ୍ପ ପରିବାର' ସହ ଯୋଗାଯୋଗ କରିଥିଲେ। 

ପରେ ଅତାବିରା ପୋଲିସର ଅନୁରୋଧ ତଥା ସହଯୋଗ କ୍ରମେ 'ସଂକଳ୍ପ ପରିବାର'ର ସଦସ୍ୟମାନେ ଆଗେଇ ଆସିଥିଲେ। ଅନୁଷ୍ଠାନର ସଂପାଦକ ଜି. ରମେଶଙ୍କ ତତ୍ତ୍ୱାବଧାନରେ ସଦସ୍ୟ ନିଲେଶ ପ୍ରଧାନ, ଚିନ୍ମୟ ପାଣ୍ଡେ, ଯୋଗେନ୍ଦ୍ର ପାଣ୍ଡେ, ଦିନେଶ ମହତ୍ତମ୍, ରୋହନ, ଅମର ସିଂ ଓ ସାହିଲ ଭୋଇ ପ୍ରମୁଖ ମର୍ହାଟିକ୍ରାଠାରେ ପହଞ୍ଚି ବୃଦ୍ଧାଙ୍କ ଶବକୁ ଅତି ସସମ୍ମାନେ ସତ୍କାର କରିଥିଲେ। 

ବୃଦ୍ଧା ଶାନ୍ତି ବରିହାଙ୍କ ଏହି କାହାଣୀ ଆମ ସମାଜର ରକ୍ଷଣଶୀଳ ମନୋଭାବ ଉପରେ ଏକ ଶକ୍ତ ଚାପୁଡ଼ା। ପଅନ୍ୟ ଜାତିରେ ବିବାହ କରିବା କଣ ଏତେ ବଡ଼ ଅପରାଧ ଯେ ଜଣେ ମଣିଷର ମୃତ୍ୟୁ ପରେ ବି ତାର ଶେଷକୃତ୍ୟ ପାଇଁ ୪ ଜଣ କାନ୍ଧ ଦେବାକୁ ଆସିବେ ନାହିଁ? 

'ସଂକଳ୍ପ ପରିବାର'ର ଏହି ପଦକ୍ଷେପ ପ୍ରମାଣ କରିଦେଇଛି ଯେ ସାମାଜିକ ବାସନ୍ଦ, ଜାତି ଓ ଧର୍ମ ଠାରୁ ମାନବିକତା ଢେର୍ ଉର୍ଦ୍ଧ୍ୱରେ। ଜଣେ ଅସହାୟର ଶେଷ ସମୟରେ ପାଖରେ ଠିଆ ହେବା ହିଁ ପ୍ରକୃତ ମାନବ ଧର୍ମ। 

ଆଶା କରାଯାଉଛି, ଏହି ଘଟଣାରୁ ଶିକ୍ଷା ଲାଭ କରି ଆମ ସମାଜରୁ 'ବାସନ୍ଦ' ଭଳି ଘୃଣ୍ୟ କୁପ୍ରଥାର ଅନ୍ତ ଘଟିବ ଏବଂ ଲୋକଙ୍କ ମଧ୍ୟରେ ଭାଇଚାରା ଓ ସହାନୁଭୂତିର ଜାଗରଣ ହେବ।



Edited by k.s thakur...

Post a Comment

Previous Post Next Post