ଜଙ୍ଗଲ ଜାତ ଦ୍ରବ୍ୟର ସଠିକ ପାଉଣାରୁ ବଞ୍ଚିତ ବନବାସୀ: ଶୋଷଣର ଶିକାର...

ଜଙ୍ଗଲ ଜାତ ଦ୍ରବ୍ୟର ସଠିକ ପାଉଣାରୁ ବଞ୍ଚିତ ବନବାସୀ: ଶୋଷଣର ଶିକାର...


ବାଲିଶଙ୍କରା,୨୪/୦୫(ନି.ପ୍ର) : ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ବାଲିଶଙ୍କରା ବ୍ଲକରେ ଆଜି ମଧ୍ୟ ଅନେକ ପରିବାରଙ୍କ ଜୀବନ ଓ ଜୀବିକା ଜଙ୍ଗଲ ସହ ଅଂଗାଙ୍ଗୀ ଭାବେ ଜଡିତ। 

Ad..


ବ୍ଲକର ୧୯ଟି ପଞ୍ଚାୟତ ମଧ୍ୟରୁ ଅଧାରୁ ଅଧିକ ଅଞ୍ଚଳରେ ଆଦିବାସୀ ଓ ବନବାସୀ ସମ୍ପ୍ରଦାୟ ବସବାସ କରୁଥିବାବେଳେ କିଛି ଗ୍ରାମ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତ ଘନ ଜଙ୍ଗଲ ଅଞ୍ଚଳରେ ରହିଛି । ଚାଷବାସ ଓ ଦିନମଜୁରୀ ସହିତ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ ହିଁ ଏହି ଅଞ୍ଚଳର ଲୋକଙ୍କ ପାଇଁ ପ୍ରମୁଖ ଆର୍ଥିକ ଆଧାର। 

    Ad..


ଗ୍ରୀଷ୍ମ ଋତୁର ଆଗମନ ସହିତ ମାର୍ଚ୍ଚରୁ ଜୁନ ମାସ ପର୍ଯ୍ୟନ୍ତ ପ୍ରାୟ ଚାରି ମାସ ଧରି ଜଙ୍ଗଲରୁ ମହୁଲ, ଚାର, ଝୁଣା, ତେନ୍ତୁଳି,ଟୋଲ ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିଥାନ୍ତି ବନବାସୀ। ଏହି ସଂଗ୍ରହିତ ଦ୍ରବ୍ୟ ବିକ୍ରୟରୁ ମିଳୁଥିବା ଅର୍ଥରେ ସେମାନଙ୍କ ପରିବାର ପ୍ରାୟ ଛଅ ମାସ ପର୍ଯ୍ୟନ୍ତ ଦାନାପାଣିର ବ୍ୟବସ୍ଥା କରିଥାଏ। 

କିନ୍ତୁ ଦୁଃଖ ଓ ପରିତାପର ବିଷୟ, ଏହି ନିରୀହ ଆଦିବାସୀମାନେ ନିଜର ପରିଶ୍ରମର ନ୍ୟାୟସଂଗତ ପାଉଣାରୁ ଆଜି ମଧ୍ୟ ବଞ୍ଚିତ ହେଉଛନ୍ତି।ସରକାରଙ୍କ ଦ୍ୱାରା ଧାର୍ଯ୍ୟ ନ୍ୟୁନତମ ସହାୟକ ମୂଲ୍ୟ ଥିବା ସତ୍ତ୍ୱେ ମଧ୍ୟ କିଛି ମୁନାଫାଖୋର ବେପାରୀ ଅତ୍ୟନ୍ତ କମ ଦରରେ ଏହି ଜଙ୍ଗଲ ଜାତ ଦ୍ରବ୍ୟ କ୍ରୟ କରୁଛନ୍ତି। 

ମୁନାଫା ବେପାରୀ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟ ଓ ଛତିଶଗଡ଼ ରାଜ୍ୟରୁ ଆସି ଓଡିଶା ସୀମା ପାଖରେ କୁରେଇ, ଶାଗବାହାଲ, ଲୁଲକିଡିହି, ବ୍ରାହ୍ମଣମରା ପରି ସାପ୍ତାହିକ ବଜାରରେ ପସରା ମେଲାଇ ବଜାରରୁ ଜଙ୍ଗଲଜାତ ଦ୍ରବ୍ୟ, ମହୁଲଫଳ, ସରଗିଫୁଲ, ଆମ୍ବଚୁର ଇତ୍ୟାଦି କମ ଦରରେ ନେଉଛନ୍ତି। 

କେତେକ ସ୍ଥାନରେ ଦ୍ରବ୍ୟ ବଦଳରେ ଲୁଣ କିମ୍ବା ଅନ୍ୟାନ୍ୟ ସାମଗ୍ରୀ ଦେଇ ଆଦିବାସୀମାନଙ୍କୁ ଠକାଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି।ଅଶିକ୍ଷା, ସଚେତନତାର ଅଭାବ ଓ ବଜାର ବ୍ୟବସ୍ଥା ବିଷୟରେ ଅବଗତ ନଥିବାରୁ ନିରୀହ ବନବାସୀମାନେ ବାଧ୍ୟ ହୋଇ ନିଜ ପରିଶ୍ରମର ଫଳକୁ ଅତି କମ ଦାମରେ ବିକ୍ରୟ କରୁଛନ୍ତି। 

ଏହି ଚିନ୍ତାଜନକ ପରିସ୍ଥିତି ସମାଜ ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା “ଉପାୟ” ର ସାମାଜିକ କର୍ମୀ ମନୋଜ କୁମାର ଦାନୀଙ୍କ ନଜରକୁ ଆସିବା ପରେ ସେ ସରକାରଙ୍କ ନିକଟରେ ଦାବି ଓ ଅନୁରୋଧ ରଖିଛନ୍ତି ଯେ, ଜଙ୍ଗଲ ଜାତ ଦ୍ରବ୍ୟର ସଠିକ ମୂଲ୍ୟ ବନବାସୀମାନେ ପାଇପାରନ୍ତୁ। 

ଗ୍ରାମସ୍ତରରେ ସରକାରୀ କ୍ରୟ କେନ୍ଦ୍ରକୁ ସକ୍ରିୟ କରିବା, ସଚେତନତା କାର୍ଯ୍ୟକ୍ରମ ଓ ଆଦିବାସୀଙ୍କ ପାଇଁ ସିଧାସଳଖ ବଜାର ସୁବିଧା ଯୋଗାଇ ଦିଆଯିବାକୁ ସେ ଦାବି କରିଛନ୍ତି। ଜଙ୍ଗଲ କେବଳ ପ୍ରକୃତିର ସମ୍ପଦ ନୁହେଁ, ଏହା ଆଦିବାସୀ ଜୀବନର ଆଧାର। ସେମାନଙ୍କ ପରିଶ୍ରମର ନ୍ୟାୟସଂଗତ ମୂଲ୍ୟ ମିଳିଲେ ମାତ୍ର ସେମାନଙ୍କ ଜୀବନରେ ପ୍ରକୃତ ଉନ୍ନତିର ଆଲୋକ ପହଞ୍ଚିପାରିବ।



Edited by k.s thakur...

Post a Comment

Previous Post Next Post