ଘରେ ପହଞ୍ଚିବ ଭତ୍ତା, ବୃଦ୍ଧ ଓ ଅସହାୟଙ୍କୁ ସରକାର ଦେବେ 'ଡୋର୍-ଷ୍ଟେପ୍' ସେବା...

ଘରେ ପହଞ୍ଚିବ ଭତ୍ତା, ବୃଦ୍ଧ ଓ ଅସହାୟଙ୍କୁ ସରକାର ଦେବେ 'ଡୋର୍-ଷ୍ଟେପ୍' ସେବା...


ଭୁବନେଶ୍ୱର,୦୫/୦୫(ନି.ପ୍ର): ରାଜ୍ୟରେ ଏବେ ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରତିଦିନ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ କେତେକ ସ୍ଥାନରେ ଏହା ୪୫ ଡିଗ୍ରୀ ମଧ୍ୟ ଅତିକ୍ରମ କଲାଣି। ଏହି ଭୟଙ୍କର ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। 

Ad..


ମଧୁ ବାବୁ ପେନ୍ସନ୍ ଯୋଜନା (MBPY) ଅଧୀନରେ ଭତ୍ତା ପାଉଥିବା ବୃଦ୍ଧ, ଅସହାୟ ଓ ଭିନ୍ନକ୍ଷମମାନଙ୍କୁ ଆଉ ଖରାରେ ବାହାରକୁ ଆସିବାକୁ ପଡ଼ିବ ନାହିଁ।ଏଣିକି ସେମାନଙ୍କୁ ସେମାନଙ୍କ ଘର ଦୁଆରମୁହଁରେ ଭତ୍ତା ଯୋଗାଇ ଦିଆଯିବ।

      Ad..


ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଜରୁରୀକାଳୀନ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପ୍ରତି ମାସ ୧୫ ତାରିଖରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। 

Ad..


ମାତ୍ର ବର୍ତ୍ତମାନର ଗ୍ରୀଷ୍ମ ଲହରୀ ବୃଦ୍ଧବୃଦ୍ଧା ଏବଂ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।ସରକାରଙ୍କ ଆଶଙ୍କା ଯେ, ଭତ୍ତା କେନ୍ଦ୍ରକୁ ଆସିବା ସମୟରେ ହିତାଧିକାରୀମାନେ ଅଂଶୁଘାତ, ଡିହାଇଡ୍ରେସନ୍ କିମ୍ବା ହିଟ୍ ଏକ୍ସହଷ୍ଟିଅନର ଶିକାର ହୋଇପାରନ୍ତି । 

ତେଣୁ ପ୍ରଶାସନ ପକ୍ଷରୁ ଡୋର୍ ଷ୍ଟେପ୍ ସେବା ଆରମ୍ଭ ହୋଇଛି ।ଡୋର୍-ଷ୍ଟେପ୍ ଡେଲିଭରି: ଯେଉଁମାନେ ଅଧିକ ବୃଦ୍ଧ, ଅସୁସ୍ଥ କିମ୍ବା ଚାଲିବାକୁ ଅକ୍ଷମ, ସେମାନଙ୍କୁ ଘରେ ଭତ୍ତା ଦିଆଯିବ।କେନ୍ଦ୍ରରେ ସୁବିଧା: ଯେଉଁ ସ୍ଥାନରେ ଭତ୍ତା ବଣ୍ଟନ କେନ୍ଦ୍ର ରହିଛି, ସେଠାରେ ପର୍ଯ୍ୟାପ୍ତ ପିଇବା ପାଣି ଏବଂ ORS ପ୍ୟାକେଟ୍ ମହଜୁଦ ରଖିବାକୁ କୁହାଯାଇଛି।

ଛାଇ ଓ ବିଶ୍ରାମ: ଧାଡ଼ିରେ ଠିଆ ହେବା ସମୟରେ ଯେପରି କେହି ଖରାର ସଂସ୍ପର୍ଶରେ ନଆସିବେ, ସେଥିପାଇଁ ଟେଣ୍ଟ ବା ସାମିଆନା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଛି ।ପ୍ରାଥମିକ ଚିକିତ୍ସା: ପ୍ରତି ବଣ୍ଟନ କେନ୍ଦ୍ରରେ ଜରୁରୀକାଳୀନ ପରିସ୍ଥିତି ପାଇଁ ଫାଷ୍ଟ-ଏଡ୍ କିଟ୍ ବା ପ୍ରାଥମିକ ଚିକିତ୍ସା ସୁବିଧା ରଖିବା ବାଧ୍ୟତାମୂଳକ କରାଯାଇଛି।

ଚିଠିରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, କେବଳ ପଶ୍ଚିମ ଓଡ଼ିଶାର ପ୍ରଖର ଖରା ନୁହେଁ, ବରଂ ଉପକୂଳ ଓଡ଼ିଶାରେ ଅତ୍ୟଧିକ ଆର୍ଦ୍ରତା ଯୋଗୁଁ ଗୁଳୁଗୁଳି ସ୍ଥିତି ଅସହ୍ୟ ହେଉଛି। ଏପରି ପରିସ୍ଥିତିରେ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ପ୍ରଶାସନକୁ କୁହାଯାଇଛି । 

ସରକାରଙ୍କ ଏହି ସମ୍ବେଦନଶୀଳ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ବିଶେଷ କରି ଦୁର୍ଗମ ଅଞ୍ଚଳରେ ରହୁଥିବା ଅସହାୟ ଲୋକମାନେ ଏହାଦ୍ୱାରା ବହୁମାତ୍ରାରେ ଉପକୃତ ହେବେ।



Edited by k.s thakur...

Post a Comment

Previous Post Next Post