ଇନ୍ଦ୍ରାବତୀରୁ ଅଣ୍ଡରଗ୍ରାଉଣ୍ଡ ଜଳସେଚନ : ୧୯,୨୪୮ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ...
ନବରଙ୍ଗପୁର,୧୨/୦୪(ନି.ପ୍ର): ଇନ୍ଦ୍ରାବତୀ ନଦୀ ଜଳବନ୍ଦ ଯୋଜନା ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଜମି ସୁଖାଅଂଚଳ ପାଲଟିଥିଲା। ତେବେ ଚାଷୀଙ୍କୁ ଜଳସେଚନ ସୁବିଧା ଦେବା ପାଇଁ ପାର୍ବତିଗିରୀ ମେଗା ଜଳସେଚନ ପ୍ରକଳ୍ପର ପ୍ରକ୍ରିୟା ଆରମ୍ଭ ହୋଇଛି।
Ad..
ଆଧୁନିକ ପଦ୍ଧତି ଅଣ୍ଡର ଗ୍ରାଉଣ୍ଡ ଜଳସଚେନ ବ୍ୟବସ୍ଥା ଜରିଆରେ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତଳିଖୁଣ୍ଟି ବ୍ଲକର ୧୯,୨୪୮ହେକ୍ଟର ଜମିକୁ ଜଳସେଚନ କରିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଓ ମୁଖ୍ୟଯନ୍ତ୍ରୀ ଓଅବବାହିକା ପରିଚାଳକ ଇନ୍ଦ୍ରାବତୀ ଓ କୋଲାବ୍ ଅବବାହିକା ଇଂ. କରୁଣା ସାଗର ବେହେରା।
Ad..
ଇନ୍ଦ୍ରାବତୀ ପ୍ରକଳ୍ପ ଯୋଗୁଁ ସୁଖାପଡିଥିବା ଅଂଚଳକୁ ଶସ୍ୟା ଶ୍ୟାମଳା କରି ଚାଷୀଙ୍କ ଜମି ନିକଟକୁ ଜଳନଷ୍ଟ ଓ ବାଷ୍ପିଭୂତ ଆଦିରୁ ବଂଚାଇ ଜଳଯୋଗାଣ ଏବେ ୨ଟି କ୍ଲଷ୍ଟରରେ ୧୨ଟି ପ୍ରକଳ୍ପ ୨ଟି ପମ୍ପହାଉସ ଜରିଆରେ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ୧୧୫ଟି ଗାଁର ୧୯,୨୪୮ ହେକ୍ଟର ଜମିକୁ ଅଣ୍ଡରଗ୍ରାଉଣ୍ଡ ପାଇପଲାଇନ୍ ଜଳସେଚନ ବ୍ୟବସ୍ଥା କରାଯିବ।
ଗୋଟିଏ ପ୍ରକଳ୍ପ ଇନ୍ଦ୍ରାବତୀ ଜଳଭଣ୍ଡାର ପୋଡାଗଡର ବାହାଡାଗୁଡା ନିକଟରୁ ବାହାରୁଛି। ଏଥିରେ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ଲମତାଗୁଡା, ଇଛାପୁର, ଧଣ୍ଡ୍ରା, କୁର୍ଲୁଘାଟି, ସରୁଗୁଡା ଆଦି ୬ଟି ପ୍ରକଳ୍ପ ଜରିଆରେ ୫୭ଟି ଗାଁ ୯୫୪୬ହେକ୍ଟର ପାଣି ଜମିକୁ ଜଳସେଚନ କରିବାକୁ ଯୋଜନା କରାଯାଇଛି।
ରାଜ୍ୟସରକାର ୬୩୩କୋଟି ଅନୁଦାନ ମଞୁର କରିଥିଲେ ହେଁ କଳ୍ପତରୁ ଗୃପ ପକ୍ଷରୁ ୩୯୧କୋଟି ଟଙ୍କାରେ ନିର୍ମାଣ ଜାରୀ ରହିଛି ବୋଲି ପ୍ରକଳ୍ପ ଦାୟିତ୍ବରେ ଥିବା ମେଗାଲିଫ୍ଟ ପ୍ରଜେକ୍ଟର ନିର୍ବାହୀ ଯନ୍ତ୍ରୀ ଇଂ.ସୁଶାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।
ଏହି ପ୍ରକଳ୍ପର ପମ୍ପହାଉସ କାମ ଶେଷ ପର୍ଯ୍ୟାୟରେ ରହିଛି। ଷ୍ଟାଫ କ୍ବାର୍ଟର କାମ ଜୁନ ୧୫ ଓ ପାଇପଲାଇନ୍ ବିଛାଇବା କାମ ୬୦ପ୍ରତିଶତ ସରିଛି। ଜୁନ ୨୦୨୭ସୁଦ୍ଧା ସାରି ଚାଷ ପାଇଁ ପାଣି ଯୋଗାଇ ଦିଆଯିବ ବୋଲି ଇଂ ପଟ୍ଟନାୟକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସେହିପରି ଆଉ ଗୋଟିଏ ପ୍ରକଳ୍ପ କଳାହାଣ୍ଡି-ନବରଙ୍ଗପୁର ସୀମାନ୍ତ ଇନ୍ଦ୍ରାବତୀ ଜଳଭଣ୍ଡାର ପାର୍ଶ୍ବ କେନ୍ଦୁଗୁଡାରେ ପମ୍ପହାଉସ ଆଦି ସ୍ଥାପନ କରାଯାଉଛି। ଏଥିରେ ନବରଙ୍ଗପୁର, ନନ୍ଦାହାଣ୍ଡି ଓ ତେନ୍ତୁଳିଖୁଣ୍ଟି ବ୍ଲକର ଉମୁରୀ, ଜାମୁଦୁର୍ଗା, ଅଂଚଳଗୁମ୍ମା, ମୁର୍ଲାବାଇ, କୁଟ୍ରାଗଡ, ତେନ୍ତୁଳିଖୁଣ୍ଟି ଆଦି ୬ଟି ପ୍ରକଳ୍ପ ଜରିଆରେ ୫୮ଟି ଗାଁ ୯୭୦୨ହେକ୍ଟର ପାଣି ଜମିକୁ ଜଳସେଚନ କରିବାକୁ ଯୋଜନା କରାଯାଇଛି।
ରାଜ୍ୟସରକାର ୬୩୮କୋଟି ଅନୁଦାନ ମଞୁର କରିଥିଲେ ହେଁ ଏଲଣ୍ଡଟି ଗୃପ ପକ୍ଷରୁ ୩୬୯କୋଟି ଟଙ୍କାରେ ନିର୍ମାଣ କରୁଛି। ପମ୍ପହାଉସ, ଷ୍ଟାଫ କ୍ବାର୍ଟର ଓ ପାଇପଲାଇନ୍ ବିଛାଇବା କାମ ୯୦ପ୍ରତିଶତ ସାରିଲେଣି ବୋଲି କହିଛନ୍ତି ପ୍ରକଳ୍ପର କ୍ଷେତ୍ର ଯନ୍ତ୍ରୀ ଇଂ.ନାରାୟଣ ପାତ୍ର।
ଜୁନ, ଜୁଲାଇ ସୁଦ୍ଧା ଟ୍ରାଏଲ ରନ କରି ୨୦୨୭ ମସିହା ଜୁଲାଇ ସୁଦ୍ଧା ଚାଷ ପାଇଁ ପାଣି ଯୋଗାଇ ଦିଆଯିବା ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ଡ. ସ୍ବାଇଁ ଓ ମୁଖ୍ୟଯନ୍ତ୍ରୀ ଓଅବବାହିକା ପରିଚାଳକ ଇନ୍ଦ୍ରାବତୀ ଓ କୋଲାବ୍ ଅବବାହିକା ଇଂ. ବେହେରା।
Edited by k.s thakur...



