୨୧ରେ ରାଷ୍ଟ୍ରପତିଙ୍କ ପ୍ରଥମ ରାଉରକେଲା ଗସ୍ତ...
ରାଉରକେଲା,୧୩/୦୪ (ନି.ପ୍ର): ଆସନ୍ତା ୨୧ ତାରିଖରେ ରାଷ୍ଟ୍ରପତି ପ୍ରଥମଥର ପାଇଁ ରାଉରକେଲା ଗସ୍ତରେ ଆସିବେ। ଏହିଅବସରରେ ରାଷ୍ଟ୍ରପତି ୧୫୭.୪୪ କୋଟି ଟଙ୍କାର ମୋଟ୍ ୪ଟି ପ୍ରକଳ୍ପ ଉଦ୍ଘାଟନ କରିବେ।
Ad..
ସେଗୁଡ଼ିକ ହେଲା, ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର (୪୮ କୋଟି), ଆଦିବାସୀ ସଂଗ୍ରହାଳୟ (୪୦ କୋଟି), କୋଏଲ ନଦୀକୂଳ ମନୋରଞ୍ଜନ ପାର୍କ (୪୨.୪୪ କୋଟି) ଏବଂ ଛେଣ୍ଡ୍ସ୍ଥ ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍ (୨୭ କୋଟି)।
Ad..
ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ରାଷ୍ଟ୍ରପତିଙ୍କ ପ୍ରଥମ ରାଉରକେଲା ଗସ୍ତକୁ ନେଇ ସମେସ୍ତ ବେଶ୍ ଉତ୍ସାହିତ।ଉକ୍ତ ଦିନ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ବିମାନରେ ଝାରସୁଗୁଡ଼ା ବିମାନବନ୍ଦର ଓ ସେଠାରୁ ସ୍ବତନ୍ତ୍ର ବିମାନରେ ରାଉରକେଲାରେ ପୂର୍ବାହ୍ନ ୧୧.୧୦ ଘଣ୍ଟାରେ ରାଉରକେଲାରେ ପହଞ୍ଚିବେ।
କିଛି ସମୟର ରହଣିପରେ ସମନ୍ବିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଓ ଆଦିବାସୀ ସଂଗ୍ରହାଳୟକୁ ଯାଇ ଉଭୟ ପ୍ରକଳ୍ପକୁ ଲୋକାର୍ପିତ କରିବେ। ପରେ ବିମାନବନ୍ଦର ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ସଭାରେ ଯୋଗଦେବେ।
ସଭାମଞ୍ଚରୁ ହିଁ ଆଭାସୀ ମାଧ୍ୟମରେ କୋଏଲ ନଦୀକୂଳ ମନୋରଞ୍ଜନ ପାର୍କ ଏବଂ ବିଜ୍ଞାନ ପାର୍କ ଓ ପ୍ଲାନେଟୋରିୟମ୍କୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରାୟ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ୩୫ରୁ ଅଧିକ ସାଂସ୍କୃତିକ ଦଳ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବେ।
ଏତଦ୍ବ୍ୟତୀତ ଜିଲ୍ଲାର ୩୦ରୁ ଅଧିକ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଏକ ପ୍ରଦର୍ଶନୀ ଆୟୋଜିତ ହେବ। କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଲୋକ ପ୍ରତିନିଧି ଯୋଗଦେବେ।
ସଭା ଶେଷ ହେବାପରେ ରାଷ୍ଟ୍ରପତି ଅପରାହ୍ଣ ପ୍ରାୟ ୪ଟା ୫ ମିନିଟ୍ରେ ଝାରସୁଗୁଡ଼ା ଦେଇ ନୂଆଦିଲ୍ଲୀକୁ ଫେରିଯିବେ। ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଶ୍ରୀ ଓରାମ ମନୋରଞ୍ଜନ ପାର୍କ, ଆଦିବାସୀ ସଂଗ୍ରହାଳୟ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।
Edited by k.s thakur...



