ଜିଲ୍ଲାପାଳଙ୍କୁ ନେଇ ମୁଖ୍ୟ ଶାସନ ସଚିବଙ୍କ ଉନ୍ନୟନ ସମୀକ୍ଷା...
ଭୁବନେଶ୍ବର,୧୭/୦୪(ନି.ପ୍ର): ଗୁରୁବାର, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଜିଲ୍ଲାପାଳଙ୍କ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରୁ ମିଳିଥିବା ସୂଚନାରେ, ଏହି ବୈଠକରେ ସିଏମ୍-ସମ୍ପଦାର କାର୍ଯ୍ୟକାରିତା ନେଇ ଆଲୋଚନା ହୋଇଥିଲା।
Ad..
ଖଣି ପ୍ରଭାବିତ ଅଞ୍ଚଳରେ ରାଜ୍ୟର ସିଏମ-ସଂପଦା ଟିମ୍ ଦ୍ୱାରା ଖଣିଜ ପ୍ରଭାବିତ ଗ୍ରାମ ଗୁଡିକର ତାଲିକା ପ୍ରସ୍ତୁତି କରାଯାଇଛି। ୭ମ କ୍ଷୁଦ୍ର ଜଳସେଚନ ଗଣନା, ୨ୟ ଜଳାଶୟ ଗଣନା, ୧ମ ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ ଗଣନା ଏବଂ ପ୍ରଥମ ଝରଣା ଗଣନା ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା।
Ad..
ପ୍ରଥମ ଥର କରି ରାଜ୍ୟରେ ଝରଣା ଗଣନା କାର୍ଯ୍ୟକ୍ରମ କରାଯାଉଛି, ଯାହାର ତଥ୍ୟ ଭୂତଳ ଜଳ ପରିଚାଳନା ଓ ସଂପୃକ୍ତ ଅଂଚଳରେ ପରିବେଶୀୟ ସନ୍ତୁଳନରେ ସହାୟକ ହେବ। ଝରଣା ଗଣନା କାର୍ଯ୍ୟକ୍ରମକୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।
ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଂପର୍କିତ ମାତୃ ଓ ଶିଶୁ ମୃତ୍ୟୁ ଜନିତ କାରଣ ଓ ଏହାକୁ ହ୍ରାସ କରିବା ପାଇଁ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରାଯିବା, ଚିକିତ୍ସା ମାର୍ଗ ଦର୍ଶିକାର ସଠିକ୍ ଅନୁପାଳନ, ବିଭିନ୍ନ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି, ଜିଲ୍ଲା, ବ୍ଲକ ଓ ସେକ୍ଟର ସ୍ତରରେ ନିୟମିତ ସମୀକ୍ଷା ବୈଠକ ହେବା ସଂପର୍କରେ ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଥିଲା।
“ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା” କାର୍ଡ ବଣ୍ଟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ନେଇ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କାର୍ଯ୍ୟକାରିତାକୁ ପ୍ରାଥମିକତା ଭିତ୍ତିରେ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରାଯାଇଥିଲା।
ଗ୍ରୀଷ୍ମଛୁଟି ପୂର୍ବରୁ ବିଦ୍ୟାଳୟଗୁଡ଼ିକରେ ସ୍କୁଲ ୟୁନିଫର୍ମ ବଣ୍ଟନ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି, ସୁଭଦ୍ରା ପୋର୍ଟାଲରେ ନୂଆ ହିତାଧିକାରୀଙ୍କ ପାଇଁ ପଞ୍ଜୀକରଣ ଜାରି ରହିଥିବା ବେଳେ ଏହି ଯୋଜନାରେ ପୂର୍ବରୁ ଆବେଦନ କରିଥିବା ଆବେଦନଗୁଡ଼ିକ ସଂପର୍କରେ କ୍ଷେତ୍ର ପରିଦର୍ଶନ ଓ ଯାଂଚ କରି ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିବା ସଂପୃକ୍ତ ବିଭାଗର ସଚିବମାନେ ଯୋଗଦେଇଥିବା ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ । ବୈଠକରେ ପ୍ରଶିକ୍ଷଣରେ ଥିବା ୨୦୨୪ ଓଡ଼ିଶା କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
Edited by k.s thakur...



