ମହିଳା ଦିବସକୁ ସେବାର ସଂକଳ୍ପରେ ପରିଣତ କରିଲେ ବରଗଡ଼ର ମହିଳାମାନେ : ୩୩ ଜଣ ମହିଳା ରକ୍ତଦାତା ସମ୍ମାନିତ...

ମହିଳା ଦିବସକୁ ସେବାର ସଂକଳ୍ପରେ ପରିଣତ କରିଲେ ବରଗଡ଼ର ମହିଳାମାନେ : ୩୩ ଜଣ ମହିଳା ରକ୍ତଦାତା ସମ୍ମାନିତ...


ବରଗଡ,୦୯/୦୩(ବିଜୟ କୁମାର ସାହୁ):  ବରଗଡ଼ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସ୍ୱେଚ୍ଛାସେବୀ ମହିଳା ରକ୍ତଦାତାଙ୍କୁ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଛି। ନେହେରୁ ଏସୋସିଏସନ ମହିଳା ସମିତି ବରଗଡ଼ ପକ୍ଷରୁ ନେହେରୁ ଏସୋସିଏସନ ପରିସରରେ ଏହି କାର୍ଯ୍ୟକ୍ରମ ଗମ୍ଭୀର ଓ ସାରଗର୍ଭିତ ପରିବେଶରେ ଅନୁଷ୍ଠିତ ହୋଇଥିଲା।

             Ad..


କାର୍ଯ୍ୟକ୍ରମର ଆରମ୍ଭରେ ଅତିଥିବୃନ୍ଦଙ୍କୁ ସ୍ୱାଗତ ଜଣାଇ ଦୀପ ପ୍ରଜ୍ୱଳନ ମାଧ୍ୟମରେ ଉଦ୍‌ଘାଟନ କରାଯାଇଥିଲା। ପରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରାଯାଇ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ଓ ସ୍ୱାଗତ ସଂଗୀତ ପ୍ରଦର୍ଶିତ ହୋଇଥିଲା। 

    Ad..


ଏହି ଅବସରରେ ସମିତି ର ସଭାପତି ଶ୍ରୀମତୀ ସୁଷମା ଭୋଇ ସ୍ୱାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଓ ସମାଜରେ ମହିଳାଙ୍କ ମାନବତାମୂଳକ ସେବା ଓ ରକ୍ତଦାନ ଭଳି ପବିତ୍ର କାର୍ଯ୍ୟର ଗୁରୁତ୍ୱକୁ ଉଲ୍ଲେଖ କରିଥିଲେ।

 ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ସମିତି ପକ୍ଷରୁ ଆୟୋଜିତ ହୋଇ ଥିବା ମହିଳା ସ୍ବତନ୍ତ୍ର ରକ୍ତଦାନ ଶିବିର ରେ ରକ୍ତଦାନ କରିଥିବା ୩୩ ଜଣ ସ୍ୱେଚ୍ଛାସେବୀ ମହିଳା ରକ୍ତଦାତାମାନଙ୍କୁ ଙ୍କୁ ଆଜିର ଏହି ସମାରୋହରେ ମେମେଣ୍ଟୋ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। 

ସମାଜ ପାଇଁ ଦେଇଥିବା ତାଙ୍କର ଏହି ଅବଦାନକୁ ସ୍ମରଣ କରାଯାଇଥିଲା। ପରେ ପଞ୍ଚାୟତ ମହାବିଦ୍ୟାଳୟ ଆସିଷ୍ଟାଣ୍ଟ୍ ପ୍ରଫେସର ତଥା ମୁଖ୍ୟବକ୍ତା ଡା. ପ୍ରଭାଷିନୀ ତାଙ୍କ ବକ୍ତବ୍ୟରେ ଅନ୍ତର୍ଜାତୀୟ ମହିଳା ଦିବସକୁ ଏକ ସଂକଳ୍ପର ପ୍ରତିଜ୍ଞା ଭାବେ ବ୍ୟାଖ୍ୟା କରି ମହିଳାଙ୍କ ସମାଜ ଗଠନରେ ଅସାଧାରଣ ଭୂମିକା ବିଷୟରେ ଆଲୋକପାତ କରିଥିଲେ। 

 ସମ୍ମାନୀତ ଅତିଥି ତଥା ବିଶିଷ୍ଟ ମହିଳା ଓ ପ୍ରସୂତି ବିଶେଷଜ୍ଞ  ଡା. ଶିତଳ ଅଗ୍ରୱାଲ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଚିକିତ୍ସା ବିଜ୍ଞାନ ଅନୁସାରେ ମହିଳାମାନେ ରକ୍ତଦାନ କଲେ ଶରୀରରେ ଆଇରନର ସମତୁଳନ ରହିଥାଏ, ରକ୍ତସଞ୍ଚାଳନ ଭଲ ହୁଏ ଏବଂ କିଛି ହୃଦ୍ ରୋଗର ସମ୍ଭାବନା କମିଥାଏ। 

ଏହା ଶରୀରକୁ ନୂତନ ରକ୍ତକଣିକା ଉତ୍ପାଦନ କରିବାରେ ସହାୟତା କରିଥାଏ। ଏହା ସହିତ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ସୁଯୋଗ ମିଳିଥାଏ ଏବଂ ସୁସ୍ଥ ଜୀବନ ଶୈଳୀକୁ ଉତ୍ସାହିତ କରିଥାଏ, ଯାହା ଅନ୍ୟଙ୍କ ଜୀବନ ବଞ୍ଚାଇବାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ। 

ସେ ଆହୁରି କହିଲେ ଯେ ଓଡ଼ିଶାରେ ରକ୍ତ ସଂଗ୍ରହ ଧୀରେ ଧୀରେ ବଢ଼ୁଥିଲେ ମଧ୍ୟ ମହିଳାଙ୍କ ଅଂଶଗ୍ରହଣ ଏପର୍ଯ୍ୟନ୍ତ କମ୍ ରହିଛି ଓ ଏହା ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଏକ ଚିନ୍ତାର ବିଷୟ। ଆଜିର ଏଭଳି ସଚେତନତା ତଥା ବାର୍ତ୍ତାବହ କାର୍ଯ୍ୟକ୍ରମ କୁ ଆହୁରି ବ୍ୟାପକ କରାଯିବା ନିହାତି ଜରୁରୀ। 

ମୁଖ୍ୟ ଅତିଥି ତଥା ବରଗଡ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଶ୍ରୀମତୀ ମାନିନୀ ଭୋଇ ତାଙ୍କ ଉଦ୍ବୋଧନରେ ମହିଳା ସଶକ୍ତିକରଣର ସମ୍ବେଦନଶୀଳ ଅଂଶ ଭାବେ ରକ୍ତଦାନକୁ ଉଲ୍ଲେଖ କରି ସମାଜସେବାରେ ମହିଳାଙ୍କ ଆଗୁଆନ ଭୂମିକାକୁ ପ୍ରଶଂସା କରିଥିଲେ। 

ଏହି ଅବସରରେ ବରଗଡ ଜିଲ୍ଲା ରେ ରକ୍ତଦାନ ଶିବିର ଆୟୋଜନ କରି ଲକ୍ଷାଧିକ ଲୋକ ଙ୍କ ଜୀବନ ବଞ୍ଚାଇବା ଏବଂ ଅନ୍ୟ ମାନଙ୍କୁ ରକ୍ତଦାନ ପାଇଁ ପ୍ରେରଣା ଯୋଗାଇ ଆସୁଥିବା ସଂକଳ୍ପ ପରିବାର, ନିଷ୍ଠା ପରିବାର ଏବଂ ଫର୍ ସଂସ୍ଥା କୁ ମଧ୍ଯ ସମ୍ବର୍ଦ୍ଧିତ କରାଯାଇଥିଲା। 

କାର୍ଯ୍ୟକ୍ରମରେ ସମିତି ସଦସ୍ୟା ଶିବାନୀ ଭୋଇ ଓ ରୁବି ନନ୍ଦ ମଞ୍ଚ ସଂଚାଳନ କରିଥିବା ବେଳେ ସମିତି ପରାମର୍ଶଦାତ୍ରୀ କଲ୍ୟାଣୀ ଦାଶ, ଉପସଭାପତି ରୀନା ବେହେରା, ସହ ସଂପାଦିକା ପୁଷ୍ପମିତ୍ରା ପ୍ରଧାନ, ସମିତି ସଦସ୍ୟା ମନୋରମା ଦାଶ, ପିଙ୍କି ନନ୍ଦ, ଲକ୍ଷ୍ମୀପ୍ରିୟା ବିଶି, ପ୍ରଣତି ବେହେରା, ସୌଦାମିନୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଶେଷରେ ଶ୍ରୀମତୀ ସୁଭଦ୍ରା ରାଓ ଧନ୍ୟବାଦ ଜ୍ଞାପନ କରିଥିଲେ ଓ ସମସ୍ତଙ୍କ ସହଭାଗିତା ପାଇଁ କୃତଜ୍ଞତା ଜଣାଇଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post