ବସୁଧା ଅଚଳ ; ହାଣ୍ଡିଗରା ଧରି ମହିଳାଙ୍କ ରାସ୍ତା ଅବରୋଧ...
ରାୟଗଡ଼ା,୧୦/୦୩ : ଗ୍ରାମରେ ଦୀର୍ଘ ଦିନ ଧରି ପାନୀୟ ଜଳ ସମସ୍ୟା ଦେଖାଦେବାରୁ ଗ୍ରାମବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ମହିଳାମାନେ ଦୂରଦୂରାନ୍ତରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି।
Ad..
ପ୍ରଶାସନକୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉ ନ ଥିବାରୁ ଶେଷରେ ଗ୍ରାମର ମହିଳାମାନେ ରାସ୍ତାକୁ ଓହ୍ଳାଇ ପ୍ରତିବାଦ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଳା ସଦର ବ୍ଳକ କେରଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଅତଡା ଗ୍ରାମରେ।
Ad..
ମଙ୍ଗଳବାର ସକାଳେ ଗ୍ରାମର ଅନେକ ମହିଳା ଏକତ୍ରିତ ହୋଇ ହାତରେ ହାଣ୍ଡିଗରା, ବାଲଟି ଧରି କେରଡା-ରାୟଗଡ଼ା ମୁଖ୍ୟ ରାସ୍ତାକୁ ଦୀର୍ଘ ୨ରୁ ୩ଘଂଟା ସମୟ ଧରି ଅବରୋଧ କରିଥିଲେ। ରାସ୍ତା ଉପରେ ଠିଆ ହୋଇ ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦାବି କରିଥିଲେ। ଏହାର ପରିଣାମ ସ୍ୱରୂପ ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା।
ଅତଡା ଗ୍ରାମରେ ପ୍ରାୟ ୧୫୦ଟି ଘର ପରିବାର ବସବାସ କରୁଥିବା ବେଳେ ଏଠାରେ ଜନସଂଖ୍ୟା ୭ଶହରୁ ଊର୍ଦ୍ଧ୍ବ ରହିଛି। ଗାଁରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରହିଥିବା ବେଳେ ୪ଟି ନଳକୂପ ରହିଛି।
ଯେଉଁଥିରୁ ଦୁଇଟି ଅଚଳ ହୋଇ ପଡିଥିବା ବେଳେ ଅନ୍ୟ ଦୁଇଟି ପାନୀୟ ରୂପେ ବ୍ୟବହାର ଉପଯୋଗୀ ହୋଇପାରୁନି। ଏଥିରୁ ନିର୍ଗତ ଜଳ ଦୁର୍ଗନ୍ଧ ଓ ଲୌହଯୁକ୍ତ ହୋଇଥିବାରୁ ଏହାକୁ ଗ୍ରାମବାସୀ ପାନୀୟ ଭାବେ ବ୍ୟବହାର କରି ପାରୁନ ଥିବା ଅଭିଯୋଗ କରିଛନ୍ତି।
ତେବେ ଗତ ରବିବାର ଦିନ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ବ୍ଳକ କାର୍ଯ୍ୟାଳୟରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବ୍ଳକସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ଏଥିରେ ଜଳକ୍ଳିଷ୍ଟ ଗ୍ରାମଗୁଡିକର ଚିହ୍ନଟ କରାଯାଇ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା,ଅଚଳ ନଳକୂପର ମରାମତି,ପାନୀୟ ଜଳ ଉତ୍ସଗୁଡିକର ମରାମତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଥିବା ବେଳେ ମାସ ମାସ ଧରି ଜଳକ୍ଳିଷ୍ଟ ଗ୍ରାମର ଚିହ୍ନଟ କରିବାରେ କିଭଳି ବ୍ଳକ ପ୍ରଶାସନ ଅଧିକାରୀ ଓ କର୍ମଚାରୀମାନେ ଗ୍ରୀଷ୍ମ ପ୍ରବାହ ପୂର୍ବରୁ ତାଲିକା କରିନାହାନ୍ତି...
ସେ ନେଇ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପ ଲୋକଙ୍କ ସେବା ପାଇଁ ନା କେବଳ ପ୍ରହସନ ପାଲଟିଛି ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି। ତେବେ ଅତଡ଼ା ଗ୍ରାମରେ ପାନୀୟ ଜଳ ସମସ୍ୟା ନେଇ ରାୟଗଡା ଗ୍ରାମ୍ୟ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Edited by k.s thakur...



