ଗଣତି ପରେ ୧୯୭୮ର ତାଲିକା ମେଳକ ହେବ : ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ...
ପୁରୀ,୨୪/୦୩(ନି.ପ୍ର): ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତି ପରେ ୧୯୭୮ ମସିହାର ତାଲିକା ସହ ମେଳକ କରାଯିବ। ମେଳକ ସହ ଏହା ଓଜନ କରାଯିବ। ଅଳଙ୍କାରର ନାମ ଜେମୋଲୋଜିଷ୍ଟ ଚିହ୍ନଟ କରିବେ। ମାତ୍ର ଏହାର ମୂଲ୍ୟାୟନ ହେବ ନାହିଁ।
Ad..
ଶୁଦ୍ଧପୁତ ଭାବେ ସ୍ବତନ୍ତ୍ର ଏକକ ପାରମ୍ପରିକ ପରିଧାନ ସହ କେବଳ ଅଧିକୃତ ସଦସ୍ୟମାନେ ରତ୍ନଗଣତି ପ୍ରକ୍ରିୟାରେ ସାମିଲ ହେବେ। ଅଳଙ୍କାରର ଡିଜିଟାଲ୍ ଫଟୋଗ୍ରାଫି କରାଯିବ। ଚିହ୍ନଟ, ଗଣତି ଓ ଓଜନ ପରେ ୨-୩ ପରସ୍ତ ଗୁଡ଼ାଇ ସିନ୍ଦୁକରେ ସୁରକ୍ଷିତ ରଖାଯିବ।
Ad..
ଗଣତି ମଣତି ସୁପରଭାଇଜିଂ ଟିମ୍ ଓ ହ୍ୟାଣ୍ଡେଲିଂ ଟିମ୍ ଗଠନ ହୋଇଛି। ଦୁଇ କମିଟି ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରକ୍ରିୟାରେ ସାମିଲ ପ୍ରତ୍ୟେକ ସଦସ୍ୟ ଏସ୍ଓପି (ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର)ର ପ୍ରତିଟି ବିନ୍ଦୁକୁ ଧ୍ୟାନର ସହ ଅନୁକରଣ କରିବେ।
ରତ୍ନଭଣ୍ଡାର ରତ୍ନ ଅଳଙ୍କାର ଗଣତିମଣତି ନେଇ ଚୂଡ଼ାନ୍ତ ସମୀକ୍ଷା ବୈଠକ ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶ୍ରୀ ହରିଚନ୍ଦନ କହିଛନ୍ତି, ରତ୍ନ ଅଳଙ୍କାର ଗଣତିମଣତି ପୂର୍ବରୁ ମହାପ୍ରଭୁଙ୍କ ନିକଟରେ ଏହି କାର୍ଯ୍ୟକୁ ସମର୍ପି ଦେଇଛୁ। ସେ ନିଜେ ହିଁ ନିଜର କାର୍ଯ୍ୟ କରାଇବେ।
ଏହା ୨୫ ତାରିଖରେ ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୯ ମିନିଟ୍ରୁ ୧ଟା ୪୫ ମଧ୍ୟରେ ମାହେନ୍ଦ୍ର ବେଳା ରହିଛି। ତେବେ ଗଣତି ମଣତି ପ୍ରକ୍ରିୟା କେବେ ଶେଷ ହେବ, ତାହା କହିହେବ ନାହିଁ। ଅଳଙ୍କାର ଗଣତି ବେଳେ ଯେପରି ଦୈନନ୍ଦିନ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ ସମସ୍ୟା ନହୁଏ, ଏହାକୁ ଦୃଷ୍ଟିରେ ରଖି ଏସ୍ଓପି ପ୍ରସ୍ତୁତ ହୋଇଛି।
ରତ୍ନ ଅଳଙ୍କାର ଚିହ୍ନିବା ପାଇଁ ୨ ଜଣ ଜେମୋଲୋଜିଷ୍ଟ ନିୟୋଜିତ ହେବେ। ସମସ୍ତ ଅଳଙ୍କାରର ନାମ ସିନ୍ଦୁକରେ ସ୍ପଷ୍ଟ ଭାବେ ଲେଖାଯିବ। ଡିଜିଟାଲ୍ ଫଟୋଗ୍ରାଫି ସହ ତାଲିକା କରି ତଥ୍ୟ ରଖାଯିବ ବୋଲି ସେ କହିଛନ୍ତି। ୧୯୭୮ ମସିହାରେ ଗଣତିମଣତି ପାଇଁ ୭୨ ଦିନ ସମୟ ଲାଗିଥିଲା।
ଏହାର ତାଲିକା ମହଜୁଦ ରହିଛି। ତେଣୁ ରତ୍ନଭଣ୍ଡାରରେ ରତ୍ନ ଅଳଙ୍କାରର ସ୍ଥିତି ନେଇ ସୃଷ୍ଟି ହୋଇଥିବା ସନ୍ଦେହ ଦୂର ପାଇଁ ମେଳକ କରାଯିବା ସବୁଠୁ ଗୁରୁତ୍ବପୂର୍ଣ୍ଣ।୧୯୭୮ ମସିହାରେ ଯଦିଓ ଅଳଙ୍କାରର ତାଲିକା ହୋଇଥିଲା, କିନ୍ତୁ ଜେମୋଲୋଜିଷ୍ଟ ନଥିଲେ।
ଏଥର ଜେମୋଲୋଜିଷ୍ଟ ଏହି ଅଳଙ୍କାର ଚିହ୍ନଟ କରି ନାମ କହିବେ। ଆରମ୍ଭରୁ ଚଳନ୍ତି ଭଣ୍ଡାର ତଥା ଦୈନିକ ବ୍ୟବହୃତ ଅଳଙ୍କାରର ଗଣତିମଣତି କରାଯିବ। ପରେ ବାହାର ଭଣ୍ଡାରର ଗଣତି କରାଯିବ। ଶେଷରେ ଭିତର ଭଣ୍ଡାରର ଗଣତିମଣତି କରାଯିବ।
ସୁନା ଅଳଙ୍କାର ହଳଦିଆ ରଙ୍ଗର କପଡ଼ା ଉପରେ ରଖି ବାକ୍ସରେ କ୍ରମାନ୍ବୟରେ ରଖିବା ପରେ ସିନ୍ଦୁକରେ ରଖାଯିବ। ରୁପା ଅଳଙ୍କାର ଧଳାରଙ୍ଗର କନା ଉପରେ ଗଣତିମଣତି କରାଯିବ। ଅନ୍ୟ ଅଳଙ୍କାର ନାଲି ରଙ୍ଗର କନା ଉପରେ ଗଣତିମଣତି କରାଯିବ।
ରାଜ୍ୟ ସରକାର ବଣିଆଙ୍କ ତାଲିକା ପ୍ରଦାନ କରିସାରିଛନ୍ତି। ଶ୍ରୀମନ୍ଦିର ବଣିଆ, ସରକାରୀ ବ୍ୟାଙ୍କର ବଣିଆ, ଜେମୋଲୋଜିଷ୍ଟ, ଆର୍ବିଆଇ ଅଧିକାରୀମାନେ ଗଣନାରେ ସାମିଲ ହେବେ।ଶନିବାର, ରବିବାର ଓ ବିଶେଷ ନୀତିକାନ୍ତି ଦିନ ଗଣତିମଣତି ପ୍ରକ୍ରିୟା ବନ୍ଦ ରହିବ।
ଗଣତିମଣତି ଦିନ ଭକ୍ତମାନେ ବାହାର କାଠରୁ ଦର୍ଶନ କରିବେ। ଭିତର ରତ୍ନଭଣ୍ଡାରର ଗଣତି ଦିନ ଟ୍ରେଜେରିରୁ ଚାବି ଆସିବ। ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଏହା ଖୋଲାଯିବ ଏବଂ ବନ୍ଦ କରାଯିବ।
ଏହି ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ସମେତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ଦିବ୍ୟଜ୍ୟୋତି ପରିଡ଼ା,ଏସ୍ପି ପ୍ରତୀକ ସିଂହ, ଶ୍ରୀମନ୍ଦିର ପ୍ରଶାସନର ଅନ୍ୟ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟବୃନ୍ଦ ଉପସ୍ଥିତ ଥିଲେ। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସମୀକ୍ଷା ପୂର୍ବରୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।
Edited by k.s thakur...



