ରାସାୟନିକ ସାର ପ୍ରୟୋଗ ଯୋଗୁଁ ପୋଷକରେ ଅସନ୍ତୁଳନ: ମାଟିରେ ଖସୁଛି ଜୈବିକ କାର୍ବନ...
ପୁରୀ,୦୫/୦୩(ନି.ପ୍ର): ମାଟିରେ ଜୈବିକ କାର୍ବନ ସ୍ତର ୦.୩୧ - ୦.୩୬%କୁ ଖସି ଆସିଲାଣି। ଯବକ୍ଷାରଜାନ ନିଅଣ୍ଟ ହେଲାଣି। ଦୀର୍ଘକାଳ ରାସାୟନିକ ସାର ପ୍ରୟୋଗ ଯୋଗୁଁ ପୋଷକରେ ଅସନ୍ତୁଳନ ଦେଖାଦେଲାଣି।
Ad..
ପୁରୀରେ ଆୟୋଜିତ ସମନ୍ବିତ ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା କର୍ମଶାଳାରେ ଏହି ତଥ୍ୟ ରଖିଛନ୍ତି ବିଶେଷଜ୍ଞ ଓ ଅଧିକାରୀ। ବିଶେଷକରି ଖାଲୁଆ ଡେଲ୍ଟା ଅଞ୍ଚଳରେ ମାଟିରେ ଲୁଣି ଅଂଶ ଯୋଗୁଁ ସମସ୍ୟା ଉପୁଜୁଛି। ଅତିରିକ୍ତ ବୋରନ୍ ଓ ଜିଙ୍କ ଅଣୁପୋଷକ ରହିଛି।
Ad..
‘ଜଳବାୟୁ ପରିବର୍ତ୍ତନ ଗ୍ରହଣୀୟତା ପାଇଁ ଡାଟା ସାଇନ୍ସର ସ୍ଥାନୀୟକରଣ’ ପ୍ରକଳ୍ପ ଅଧୀନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା। ହମାରା ବଚପନ ଟ୍ରଷ୍ଟ ପକ୍ଷରୁ ୟୁଏନ୍ଡିପି ଇଣ୍ଡିଆ ସହଭାଗିତାରେ ପୁରୀ ସିଡିଏଓ ସମ୍ମିଳନୀ କକ୍ଷରେ ମାଟିରେ ଲୁଣି ଅଂଶ ହ୍ରାସ ପାଇଁ ସମନ୍ବିତ ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା ଉପରେ ଆଲୋଚନା ହୋଇଥିଲା।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦ, ମୃତ୍ତିକା ସଂରକ୍ଷଣ ଅତିରିକ୍ତ ନିର୍ଦ୍ଦେଶକ ଜ୍ୟୋତିରଂଜନ ମିଶ୍ର, କେଭିକେ ଆଗ୍ରୋନୋମିର ଡ. ସାର୍ଥକ ପଟ୍ଟନାୟକ, ଜି. ଶ୍ବେତା, ଭାରତୀ ମଲ୍ଲ, ବିଜୟଲକ୍ଷ୍ମୀ ସାହୁ, ରାଧାକାନ୍ତ ମିଶ୍ର ପ୍ରମୁଖ କର୍ମଶାଳାରେ ଉପସ୍ଥିତ ଥିଲେ।
ଜିଆଇଏସ୍ ସଏଲ୍ ଟାଇପୋଲୋଜି, ରିମୋର୍ଟ ସେନସିଂ ଆନାଲିସିସ୍, ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ତଥ୍ୟ ଆଧାରରେ ବୈଷୟିକ ଉପସ୍ଥାପନା କରାଯାଇଥିଲା। ବିଶେଷକରି ଗୋପ ବ୍ଲକରେ ଜଟିଳ ମୃତ୍ତିକା ସ୍ବାସ୍ଥ୍ୟ ଅବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା।
ମାଟିରେ ଜୈବିକ କାର୍ବନ ପରିମାଣ ହ୍ରାସ ଏବଂ ନିମ୍ନମାନର ଜଳ ନିଷ୍କାସନ ବ୍ୟବସ୍ଥା କାରଣରୁ ମାଟିର ଅଧଃପତନ ହେଉଛି ବୋଲି ବିଶାରଦମାନେ କହିଥିଲେ। ଏହାଦ୍ବାରା ଜଳବାୟୁରେ ବୈଷମ୍ୟ ପରିଲକ୍ଷିତ ହେଉଛି ବୋଲି ସୂଚାଇଥିଲେ।
ତେଣୁ କମ୍ପୋଷ୍ଟ ଏବଂ ଏଫ୍ୱାଇଏମ୍ ପ୍ରୟୋଗ, ପୋଖରୀ ପଙ୍କ ବ୍ୟବହାର, ଗ୍ରୀଷ୍ମକାଳରେ ହଳ କରିବା ଏବଂ ଧାନ ଡାଲି ଅଦଳ ବଦଳ ଭିତ୍ତିରେ ପାରମ୍ପରିକ ଚାଷ ପଦ୍ଧତି ଆପଣାଇବାକୁ ପରାମର୍ଶ ଦେଇଥିଲେ।
ମୃତ୍ତିକା ସ୍ବାସ୍ଥ୍ୟ ପରିଚାଳନା ଯୋଜନା ଆପଣାଇବା, ପୋଷକରେ ସଂଶୋଧନ ଆଣିବା, ଜୈବିକ କାର୍ବନ ପରିମାଣରେ ବୃଦ୍ଧି ଘଟାଇବା, ମଧ୍ୟମ ସୂତ୍ରୀ ଅନୁଯାୟୀ ମୃତ୍ତିକା ସଂରଚନାରେ ସ୍ଥିରତା ଓ ଦୀର୍ଘସୂତ୍ରୀ ସଂରକ୍ଷଣ ବାବଦରେ ଆଲୋଚନା କରାଯାଇଥିଲା।
Edited by k.s thakur...



