ବରଗଡ଼ କର୍କଟ ହସ୍ପିଟାଲ ସୁବିଧା ନେଇ ଲୋକସଭାର ଉତ୍ତରକୁ ନେଇ ଅସନ୍ତୋଷ, ଫାଇଟର୍ସ ଗୃପର ପ୍ରତିକ୍ରିୟା...
ବରଗଡ଼,୧୪/୦୩(ବିଜୟ କୁମାର ସାହୁ): ଲୋକସଭାରେ ଆଜି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଉଠାଇଥିବା ଅଣତାରାଙ୍କିତ ପ୍ରଶ୍ନରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ଉତ୍ତରକୁ ନେଇ ବରଗଡ଼ ଜିଲ୍ଲାରେ ଅସନ୍ତୋଷ ଦେଖାଦେଇଛି।
Ad..
ବିଶେଷକରି ବରଗଡ଼ ଜିଲ୍ଲା ହସ୍ପିଟାଲରେ ନିର୍ମିତ କର୍କଟ ହସ୍ପିଟାଲର ସୁବିଧା ବିଷୟରେ ଦିଆଯାଇଥିବା ତଥ୍ୟକୁ ନେଇ ଫାଇଟର୍ସ ଗୃପ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇଛି।ଲୋକସଭାରେ ପ୍ରଶ୍ନ ନମ୍ବର ୩୫୯୧ରେ ସାଂସଦ ପ୍ରଦୀପ ପୁରୋହିତ ଓଡ଼ିଶାରେ ବୃଦ୍ଧି ପାଉଥିବା କର୍କଟ ରୋଗ ମାମଲା, ବିଶେଷକରି ପଶ୍ଚିମ ଓଡ଼ିଶାର ବରଗଡ଼, ସମ୍ବଲପୁର ଓ ବଲାଙ୍ଗୀର ଭଳି ଜିଲ୍ଲାର ରୋଗୀମାନଙ୍କ ଚିକିତ୍ସା ସମସ୍ୟା ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ।
Ad..
ସେଥିପାଇଁ ପ୍ରାୟ ୧୩୮ କୋଟି ଟଙ୍କା ବ୍ୟୟରେ ବରଗଡ଼ରେ ନିର୍ମିତ କର୍କଟ ହସ୍ପିଟାଲ କେତେ ଦୂର କାର୍ଯ୍ୟକ୍ଷମ ହୋଇଛି, ସେଠାରେ ଡାକ୍ତର ଓ କର୍ମଚାରୀଙ୍କ ପଦବୀ ପୂରଣ ହୋଇଛି କି ନାହିଁ ଏବଂ PET-CT, ରେଡିଏସନ ଥେରାପି ଓ ICU ଭଳି ଉନ୍ନତ ସୁବିଧା ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ କୌଣସି ପ୍ରସ୍ତାବ ଅଛି କି ନାହିଁ ବୋଲି ମଧ୍ୟ ପଚାରିଥିଲେ।
ଏହାର ଉତ୍ତରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରାଜ୍ୟମନ୍ତ୍ରୀ ପ୍ରତାପରାଓ ଜାଧବ କହିଥିଲେ ଯେ ଓଡ଼ିଶା ସରକାରଙ୍କ ସୂଚନା ଅନୁଯାୟୀ ବରଗଡ଼ ଜିଲ୍ଲା ହସ୍ପିଟାଲରେ କର୍କଟ ହସ୍ପିଟାଲର ନିର୍ମାଣ କାମ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହାକୁ ଜିଲ୍ଲା ହସ୍ପିଟାଲକୁ ହସ୍ତାନ୍ତର କରାଯାଇଛି।
ସେଠାରେ କର୍କଟ ସ୍କ୍ରିନିଂ, ପରାମର୍ଶ ଓ ଫଲୋ-ଅପ ପାଇଁ OPD ସେବା ଚାଲୁ ରହିଛି। ସିଟି ସ୍କାନ, USG ଓ ଏକ୍ସ-ରେ ସହିତ ଇମେଜିଂ ସୁବିଧା ଏବଂ ବାୟୋପ୍ସି, ହିଷ୍ଟୋପାଥୋଲୋଜି ଓ ମଲିକ୍ୟୁଲାର ଡାୟାଗ୍ନୋସିସ୍ ଭଳି ପରୀକ୍ଷା ସୁବିଧା ଉପଲବ୍ଧ ଥିବା କଥା ସେ ଉଲ୍ଲେଖ କରିଥିଲେ।
ସେଥିପାଇଁ ୨୦ ଶଯ୍ୟା ବିଶିଷ୍ଟ ଏକ ଇନପେସେଣ୍ଟ ବିଭାଗ ଓ ତାଲିମପ୍ରାପ୍ତ ଡାକ୍ତର ଓ ନର୍ସଙ୍କ ଦ୍ୱାରା କେମୋଥେରାପି ସେବା ମଧ୍ୟ ଚାଲୁ ରହିଛି ବୋଲି ଉତ୍ତରରେ କୁହାଯାଇଛି। କର୍କଟ ସ୍କ୍ରିନିଂ ଓ ଚିକିତ୍ସା ପାଇଁ ENT ବିଶେଷଜ୍ଞ, ପ୍ରସୂତି ଓ ସ୍ତ୍ରୀରୋଗ ବିଶେଷଜ୍ଞ, ସର୍ଜନ ଓ ଆନାସ୍ଥେସିଓଲୋଜିଷ୍ଟଙ୍କୁ ନିଯୁକ୍ତ କରାଯାଇଥିବା କଥା ମଧ୍ୟ ମନ୍ତ୍ରୀ କହିଥିଲେ।
ତେବେ ଏହି ଉତ୍ତରକୁ ନେଇ ଫାଇଟର୍ସ ଗୃପ ଅଧ୍ୟକ୍ଷ ଅଶ୍ୱିନୀ କୁମାର ଦର୍ଜୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବରଗଡ଼ ଜିଲ୍ଲା ହସ୍ପିଟାଲରେ କର୍କଟ ୱିଙ୍ଗ ରହିଥିଲେ ମଧ୍ୟ ଉତ୍ତରରେ ଉଲ୍ଲେଖ କରାଯାଇଥିବା ଅଧିକାଂଶ ସୁବିଧା ପ୍ରକୃତରେ ଉପଲବ୍ଧ ନାହିଁ।
ବର୍ତ୍ତମାନ କେବଳ କେମୋଥେରାପି ସୁବିଧା ଚାଲୁ ରହିଛି, କିନ୍ତୁ ଅନ୍ୟ ଅଧିକାଂଶ ସୁବିଧା ଆଜିପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ବିପୁଳ ଅର୍ଥ ବ୍ୟୟ କରି ନିର୍ମିତ ହସ୍ପିଟାଲ ଅଟ୍ଟାଳିକା ଥିବା ସତ୍ତ୍ୱେ ସେଥିରେ ସମ୍ପୂର୍ଣ୍ଣ ଚିକିତ୍ସା ସେବା ନ ମିଳିବା ଦୁଃଖଦ ଓ ଚିନ୍ତାଜନକ ବୋଲି ସେ କହିଛନ୍ତି।
ଅଶ୍ୱିନୀ କୁମାର ଦର୍ଜୀ ଆହୁରି କହିଛନ୍ତି ଯେ ଯଦି ଶୀଘ୍ର ଏହି ହସ୍ପିଟାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇନଥାଏ, ତେବେ ଏହି ବଡ଼ ଅଟ୍ଟାଳିକା କିଛି ଦିନ ପରେ ଭୂତକୋଠିର ରୂପ ନେବ।
ପଶ୍ଚିମ ଓଡ଼ିଶାର ଅନେକ କର୍କଟ ରୋଗୀ ଆଜିବି ଉଚ୍ଚ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ବାଧ୍ୟ ହେଉଥିବାବେଳେ ବରଗଡ଼ରେ ନିର୍ମିତ କର୍କଟ ହସ୍ପିଟାଲକୁ ପୂର୍ଣ୍ଣ ସୁବିଧା ସହ କାର୍ଯ୍ୟକ୍ଷମ କରିବାକୁ ସେ ସରକାରଙ୍କୁ ଦାବି କରିଛନ୍ତି।
Report : Bijay Kumar Sahu
Edited by k.s thakur...



