ଭୂତକୋଠିରେ ରିଲ୍ସ କରିବା ପାଇଁ ବାଡାବାଡ଼ି ପରିସ୍ଥିତି ସୃଷ୍ଟି...
ଜଗତସିଂହପୁର,୨୦/୦୩(ନି.ପ୍ର): ଭୂତକୋଠିରେ ରିଲ୍ସ କରିବା ପାଇଁ ବାଡାବାଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଜଗତସିଂହପୁର ଜିଲ୍ଲାର ବହୁ ଚର୍ଚ୍ଚିତ ତରଡାପଡା ମଜୁରାଇ ହତ୍ୟାକାଣ୍ଡ ଘଟିଥିବା ଘରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ।
Ad..
ଘଟଣା ଅନୁସାରେ ୧୯୯୯ ମସିହାରେ ଜଗତସିଂହପୁର ଜିଲ୍ଲା ତରଡାପଡା ନିକଟ ମଜୁରାଇ ଠାରେ ଦୁର୍ଯ୍ୟୋଧନ ମହାରଣା ନାମକ ବ୍ୟକ୍ତିଙ୍କ ଘରୁ ଗୋଟିଏ ରାତିରେ ପରିବାରର ସମସ୍ତ ୭ଜଣଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ଉକ୍ତ ଘର ଯୋଗାଯୋଗରୁ ବିଚ୍ଛିନ୍ନ ହୋଇଥିଲା।
Ad..
ତେବେ ଘଟଣାର ୨୬ବର୍ଷ ପରେ ଗତ କିଛିଦିନ ହେବ କିଛି ଯୁବଗୋଷ୍ଠୀ ହଠାତ ସେହି ଘରକୁ ଭୂତ ବଙ୍ଗଳା ବୋଲି କହି ରିଲ୍ସ କରିବା ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ଏବେ କୌଣସି ସେଭଳି ଅନୁଭବ ହେଉ ନଥିବା ବେଳେ ହଠାତ ଯୁବଗୋଷ୍ଠୀଙ୍କ ଏପରି ଆଚରଣ ସମସ୍ତଙ୍କୁ ବିସ୍ମିତ କରିଥିଲା।
ନିକଟରେ ଆସିଥିବା ସିନେମା “ବୋଉ ବୁଟୁ ଭୁତ” ର ଏକ ଗୀତ “ଲାଲ ଟୁକୁ ଟୁକୁ” କୁ ବ୍ୟବହାର କରି ଭୟାନକ ଓ ଆତଙ୍କ ଖେଳାଉଥିବା ରିଲ୍ସ କରିଥିଲେ। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ମଧ୍ୟ ଅନେକ ଅସୁବିଧା ସାମ୍ନା କରିଥିଲେ।
ଆଜି ଗୁରୁବାର ରିଲ୍ସ କରୁଥିବା ୨ଜଣ ଯୁବକଙ୍କୁ ସ୍ଥାନୀୟ ଲୋକେ ମାଡ଼ ମାରିଛନ୍ତି। ଦୁର୍ଯ୍ୟୋଧନଙ୍କ ଭାଇ ସନାତନ ଏନେଇ ଜଗତସିଂହପୁର ଥାନାରେ ଏତଲା ଦେଇଛନ୍ତି।ଘଟଣା ଅନୁସାରେ ପ୍ରାୟ ୨୭ବର୍ଷ ପୂର୍ବେ ଜଗତସିଂହପୁର ଥାନା ଅଧିନ ତରଡାପଡ଼ା ନିକଟ ମଜୁରାଇ ଠାରେ ଅଳା ବାସିନ୍ଦା ଯୋଗେନ୍ଦ୍ର ମହାରଣାଙ୍କ ପୁଅ ଦୁର୍ଯୋଧନ ମହାରଣା ଜାଗା କିଣି ଘର କରି ରହୁଥିଲେ।
୧୯୯୯ମସିହା ଅଗଷ୍ଟ ମାସରେ ସେହି ଘରେ ଦୁର୍ଯୋଧନଙ୍କ ସହ ପରିବାରର ସମସ୍ତ ୭ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା। ମୃତକ ଦୁର୍ଯ୍ୟୋଧନ ମହାରଣା ଉକ୍ତ ସମୟରେ ନାଲକୋ ଅନୁଗୁଳ ପ୍ଲାଣ୍ଟରେ ଚାକିରୀ ଛାଡି ଉକ୍ତ ଘରେ ପରିବାର ସହ ରହୁଥିଲେ।
ସେ ଗୁଣି ଗାରେଡିରେ ବିଶ୍ୱାସୀ ବୋଲି ସନ୍ଦେହ କରାଯାଉଥିଲା। ଅଗଷ୍ଟ ୧୮ ତାରିଖ ଭୋର ସମୟରେ ତାଙ୍କ ବାସଭବନରୁ ତାଙ୍କ ସମେତ ପରିବାରର ସମସ୍ତଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର ହୋଇଥିଲା।
ସେ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସ୍ତ୍ରୀ, ତିନି ପିଲା ଏବଂ ଶ୍ୱଶୁର ଘର ଲୋକଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଇଥିଲା। ସେ ସମୟରେ ତଦନ୍ତକାରୀ ପୁଲିସ କହିଥିଲା ଯେ ଦୁର୍ଯ୍ୟୋଧନଙ୍କୁ ଘରର ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।
ତାଙ୍କ ୩୧ ବର୍ଷୀୟ ପତ୍ନୀ ନଳିନୀ ଏବଂ ୮ ଓ ୧୨ ବର୍ଷୀୟ ଝିଅ ଜିନିଆ ଓ ରୋଜିଙ୍କୁ ପୃଥକ ପୃଥକ କୋଠରୀରେ ଗଳାକାଟି ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ଶ୍ୱଶୁର ୭୦ ବର୍ଷୀୟ ବଙ୍ଗାଳି ମହାରଣା ଏବଂ ତାଙ୍କ ସ୍ତ୍ରୀ, ଯେଉଁମାନେ କିଛି ଦିନ ଧରି ସେମାନଙ୍କ ଝିଅ ସହିତ ରହୁଥିଲେ, ସେମାନଙ୍କୁ ସମାନ ଭାବରେ ହତ୍ୟା କରାଯାଇଥିଲା।
ତାଙ୍କ ୧୪ ବର୍ଷୀୟ ପୁଅ ଦିବ୍ୟରଞ୍ଜନ ଯିଏକି ସପ୍ତମ ଶ୍ରେଣୀର ଛାତ୍ର ଥିଲେ ତାଙ୍କୁ ମଧ୍ୟ ଗଳା କଟା ଅବସ୍ଥାରେ ଅଗଣାରୁ ମୃତଦେହ ମିଳିଥିଲା। ପୁଅଟି ଖସିଯିବାକୁ ଚେଷ୍ଟା କରିବା ସମୟରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଥିଲା।
ସେ ସମୟରେ ଘରର ମୁଖ୍ୟ ଦ୍ୱାର ଖୋଲା ଥିଲା ଯାହା ଦର୍ଶାଉଥିଲା ଯେ ପୁଅଟି ପଳାଇବାକୁ ଚେଷ୍ଟା କରିଥିଲା। ତେବେ ପରିପାର୍ଶ୍ଵିକ ଅବସ୍ଥାରୁ ଦୁର୍ଯ୍ୟୋଧନ ଆତ୍ମହତ୍ୟା କରିବା ପୂର୍ବରୁ ତାଙ୍କ ସ୍ତ୍ରୀ, ପିଲା ଏବଂ ଶ୍ୱଶୁର ଘର ଲୋକଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟା କରିଥିବା ଅନୁମାନ କରାଯାଇଥିଲା।
କାରଣ ଘରର କୌଣସି ଦ୍ୱାର କିମ୍ବା ଝରକା ଭଙ୍ଗା ମିଳିନଥିଲା। ଏପରିକି ଜବରଦସ୍ତ ଘର ଭିତରକୁ ପ୍ରବେଶ କରିଥିବା ମଧ୍ୟ କୌଣସି ଚିହ୍ନ ନଥିଲା। ଏପରିକି ସମସ୍ତ ମୃତଦେହରୁ ପିନ୍ଧିଥିବା ଅଳଙ୍କାର ମିଳିଥିଲା।
ଦୁର୍ଯ୍ୟୋଧନଙ୍କ ସ୍ତ୍ରୀଙ୍କ ଶରୀରରେ ତାଙ୍କର ସୁନା ଚୁଡ଼ି ଏବଂ କାନଫୁଲ ଥିଲା। ତେଣୁ କଳା ଯାଦୁ ବା ଗୁଣି ଗାରେଡି ପାଇଁ ଦୁର୍ଯ୍ୟୋଧନ ନିଜେ ଏପରି କରିଥିବା ସେତେବେଳେ ପୁଲିସ ପ୍ରକାଶ କରିଥିଲା।
Edited by k.s thakur...



