ଚୋବିସ ପ୍ରହର ନାମଯଜ୍ଞ ଅବସରରେ ଏକ ଭବ୍ୟ କଳସ ଶୋଭାଯାତ୍ରା...
ବରଗଡ଼,୦୩/୦୩ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ଆଇଁଲାପାଲି ଗ୍ରାମରେ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ଚୋବିସ ପ୍ରହର ନାମଯଜ୍ଞ ଅବସରରେ ଏକ ଭବ୍ୟ କଳସ ଶୋଭାଯାତ୍ରା ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଯାଇଛି।
Ad..
ଏହି ଅବସରରେ ସମଗ୍ର ଗ୍ରାମ ଉତ୍ସବମୁଖର ପରିବେଶରେ ମଗ୍ନ ହୋଇଯାଇଥିଲା ଏବଂ ପ୍ରତ୍ୟେକ ଘରେ ଧାର୍ମିକ ଉତ୍ସାହ ଦେଖାଯାଇଥିଲା।ଉକ୍ତ ଶୋଭାଯାତ୍ରାରେ ଗ୍ରାମର ଶତାଧିକ ମହିଳା, ପୁରୁଷ ଓ ଶିଶୁମାନେ ଭକ୍ତିଭାବରେ ଯୋଗଦେଇଥିଲେ।
Ad..
ବିଶେଷକରି ମହିଳାମାନେ ପାରମ୍ପରିକ ପୋଶାକ ପରିଧାନ କରି ମୁଣ୍ଡରେ ପବିତ୍ର କଳସ ବୋହି ଗାଁର ପ୍ରମୁଖ ରାସ୍ତା ଦେଇ ପରିକ୍ରମା କରିଥିଲେ। ଶୋଭାଯାତ୍ରା ପୂର୍ବରୁ ଗ୍ରାମର ପୋଖରୀରୁ ଶୁଭ ମୁହୂର୍ତ୍ତରେ ପାଣି ଆଣି କଳସରେ ସ୍ଥାପନ କରାଯାଇଥିଲା। ପୂଜକମାନଙ୍କ ମନ୍ତ୍ରୋଚ୍ଚାରଣ ମଧ୍ୟରେ ଏହି ପବିତ୍ର କାର୍ଯ୍ୟ ସମ୍ପନ୍ନ ହୋଇଥିଲା।
“ହରେ ଗୌର ହରେ ନିତ୍ୟା” ନାମସଙ୍କୀର୍ତନ ସହିତ ଭଜନ କୀର୍ତନର ଧ୍ୱନିରେ ସମଗ୍ର ପରିବେଶ ଭକ୍ତିମୟ ଓ ଆଧ୍ୟାତ୍ମିକ ରୂପ ଧାରଣ କରିଥିଲା। ଶଙ୍ଖଧ୍ୱନି, ଘଣ୍ଟାନାଦ ଓ ଢୋଲ-ନିଶାନର ଶବ୍ଦରେ ଗ୍ରାମ ମଣ୍ଡପ ଗୁଞ୍ଜିଉଠିଥିଲା।
ଯୁବକମାନେ ଶୃଙ୍ଖଳାବଦ୍ଧ ଭାବେ ଯାତ୍ରାକୁ ସଂଚାଳନ କରିଥିବାବେଳେ ବୃଦ୍ଧମାନେ ଓ ଗ୍ରାମର ଗଣ୍ୟମାନ୍ୟ ବ୍ୟକ୍ତିମାନେ ମଧ୍ୟ ଏହି ପବିତ୍ର କାର୍ଯ୍ୟରେ ସାମିଲ ହୋଇ ଆଶୀର୍ବାଦ ପ୍ରଦାନ କରିଥିଲେ।
ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚିବା ପରେ ବିଧିବତ ପୂଜାର୍ଚ୍ଚନା, ମଙ୍ଗଳାଚରଣ ଓ ଅଗ୍ନି ପ୍ରଜ୍ୱଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଚୋବିସ ପ୍ରହର ଧରି ନିରନ୍ତର ନାମସଙ୍କୀର୍ତନ, ଗୀତା ପାଠ, ପୁରାଣ ପାଠ ଓ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଚାଲିଥିବା ବେଳେ ଆସପାସ ଅଞ୍ଚଳରୁ ମଧ୍ୟ ଅନେକ ଭକ୍ତଙ୍କ ଆଗମନ ଦେଖାଯାଇଥିଲା।
ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ ଓ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା।ଏହି ୧୦୦ ବର୍ଷ ପୂର୍ତ୍ତି ଉତ୍ସବକୁ ସଫଳ କରିବା ପାଇଁ ଗ୍ରାମର ଯୁବ ସମାଜ, ପୂଜା କମିଟି ଓ ବୃଦ୍ଧମାନଙ୍କର ବିଶେଷ ଅବଦାନ ରହିଥିଲା। ସମସ୍ତଙ୍କ ଏକତା, ସହଯୋଗ ଓ ଉତ୍ସାହରେ କାର୍ଯ୍ୟକ୍ରମ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।
ଏହି ଐତିହାସିକ ଅବସର ଗ୍ରାମବାସୀଙ୍କ ମନରେ ଅମିଟ ସ୍ମୃତି ରୂପେ ରହିଯାଇଛି ଏବଂ ଗ୍ରାମର ଆଧ୍ୟାତ୍ମିକ ପରମ୍ପରାକୁ ଆହୁରି ମଜବୁତ କରିଛି।ସମଗ୍ର ଆଇଁଲାପାଲି ଗ୍ରାମ ଏହି ପବିତ୍ର ଅବସରକୁ ଏକ ପରିବାର ଭଳି ମିଲି ମିଶି ପାଳନ କରିଥିବା ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା। ଆନନ୍ଦର ମାହୋଲ୍ ଏପରି ଥିଲା ଯେ, ଏହି ଉତ୍ସବର ଖୁସି କହିଲେ ମଧ୍ୟ ସରିବ ନାହିଁ।
Report : Bijay ku sahu
Edited by k.s thakur...



