ଚଳିତବର୍ଷ ଆଗୁଆ ହେବ ସ୍ନାତକ, ସ୍ନାତକୋତ୍ତର ନାମଲେଖା...

ଚଳିତବର୍ଷ ଆଗୁଆ ହେବ ସ୍ନାତକ, ସ୍ନାତକୋତ୍ତର ନାମଲେଖା...


ଭୁବନେଶ୍ୱର,୧୪/୦୨(ନି.ପ୍ର): ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚଳିତ ବର୍ଷ ନାମଲେଖା ଆଗୁଆ କରାଯିବ। ଜୁଲାଇ ମାସ ଦ୍ୱିତୀୟ ସପ୍ତାହରୁ ଶିକ୍ଷାଦାନ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ଯୋଜନା ପ୍ରସ୍ତୁତ କରିଛି।

Ad..


ଏହାକୁ ଦୃଷ୍ଟିରେ ରଖି ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିପିଇଟି)କୁ ଆଗୁଆ କରାଯିବ। ସେହିପରି ସ୍ନାତକ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପରୀକ୍ଷାକୁ ମଧ୍ୟ ସଠିକ୍‌ ସମୟରେ କରି ତ୍ୱରିତ ଫଳ ପ୍ରକାଶ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

କୋଭିଡ୍‌ ସମୟରୁ ନାମଲେଖା ଓ ପାଠପଢ଼ା ସମୟଚକ୍ରରେ ବିରାଟ ବ୍ୟବଧାନ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ନାତକ ମହାବିଦ୍ୟାଳୟ ସେମାନଙ୍କ ଶେଷ ସେମିଷ୍ଟର ପରୀକ୍ଷା ସାରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। 

ପରୀକ୍ଷା ସରିବାର ମାସକ ସୁଦ୍ଧା ପରୀକ୍ଷାଫଳ ପ୍ରକାଶ କରିବେ। ଯଦ୍ଦ୍ବାରା ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ମଧ୍ୟ ଓଡ଼ିଶାର ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଏହି ସମୟ ଅବଧି ମଧ୍ୟରେ ଅନ୍ୟ ସେମିଷ୍ଟର ପରୀକ୍ଷା ମଧ୍ୟ ଅନୁଷ୍ଠିତ କରିବାକୁ କୁହାଯାଇଛି। 

ଫଳରେ ଶେଷ ସେମିଷ୍ଟର ପରୀକ୍ଷା ଦେଉଥିବା ପିଲାଙ୍କର ଅନ୍ୟ ସେମିଷ୍ଟରରେ ବ୍ୟାକ୍‌ ଲାଗିଥିଲେ ମଧ୍ୟ କୌଣସି ଅସୁବିଧାର ସମ୍ମୁଖୀନ ହେବେନାହିଁ। ଅନୁରୂପ ଭାବେ ସ୍ନାତକୋତ୍ତର ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିପିଇଟି) କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। 

ପୂର୍ବବର୍ଷ ପରି ଚଳିତ ଥର ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ପ୍ରବେଶିକା ପରୀକ୍ଷା ପରିଚାଳନା କରିବ। ଆବେଦନ ପୂର୍ବରୁ ସମସ୍ତ ବିଷୟକୁ ସଠିକ୍‌ ଭାବେ ୱେବସାଇଟ୍‌ରେ ସଂଲଗ୍ନ କରିବା ଓ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ବିଷୟ ତାଲିକା ପ୍ରଦାନ ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଅବଗତ କରାଯାଇଛି। 

ସମସ୍ତ ପ୍ରକ୍ରିୟା ସରିବା ପରେ ପୂର୍ବବର୍ଷ ପରି ପରୀକ୍ଷାଫଳ ପ୍ରକାଶ ପୂର୍ବରୁ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ନାମଲେଖା ପାଇଁ ଆବେଦନ ଆରମ୍ଭ କରିବାକୁ ବିଭାଗ ଯୋଜନା କରିଛି।



Edited by k.s thakur...

Post a Comment

Previous Post Next Post