ଓଡ଼ିଶା ମାଟି ସର୍ବଦା ଆଧ୍ୟାତ୍ମିକତା ପଥରେ ଅଗ୍ରସର ; ଉପ ମୁଖ୍ୟମନ୍ତ୍ରୀ...
ଯାଜପୁର/ବାଲିକୁଦା,୧୫/୦୧: ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ମାଧ୍ୟମରେ ବୌଦ୍ଧ ପର୍ଯ୍ୟଟନର ବିକାଶ ସହିତ ଶାନ୍ତି ଓ କରୁଣାର ବାର୍ତ୍ତା ସାରା ବିଶ୍ୱରେ ପହଞ୍ଚିପାରିବ। ଓଡ଼ିଶା ମାଟି ସର୍ବଦା ଆଧ୍ୟାତ୍ମିକତା ପଥରେ ଅଗ୍ରସର ହୋଇଆସିଛି।
Ad..
ରତ୍ନଗିରି, ଲଳିତଗିରି, ଉଦୟଗିରି, ଜିରାଙ୍ଗ, ଧଉଳି ଭଳି ବୌଦ୍ଧ କୀର୍ତ୍ତିରାଜିର ସାମଗ୍ରିକ ବିକାଶ, ଐତିହ୍ୟ ସଂରକ୍ଷଣ ଓ ଇତିହାସ ସମ୍ବନ୍ଧୀୟ ଆଧୁନିକ ଗବେଷଣା ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା ପ୍ରସ୍ତୁତ କରୁଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।
Ad..
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ଉଦୟଗିରି ଠାରେ ଚାଲିଥିବା ୬ଦିନିଆ ଦ୍ୱିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀର ଆଜି ଚତୁର୍ଥ ଦିବସରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପରିଡ଼ା କହିଥିଲେ, ଓଡ଼ିଶାର ସୁସମୃଦ୍ଧ ବୌଦ୍ଧ ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ସରକାର ଲାଇଟ୍ ଅଫ୍ ବୁଦ୍ଧ ଫାଉଣ୍ଡେସନ୍ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି।
Ad..
ବୌଦ୍ଧ ଧର୍ମର ବିକାଶ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ସହ ଓଡ଼ିଶାକୁ ଭାରତର ବୌଦ୍ଧ ପର୍ଯ୍ୟଟନ ସର୍କିଟ୍ ସହ ଯୋଡ଼ିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଏହାସହ ଜିରାଙ୍ଗ ମହାବିହାରର ମଧ୍ୟ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି।
ଗୁରୁ ପଦ୍ମସମ୍ଭବଙ୍କ ଜନ୍ମ ଓଡ଼ିଶାର ଝାରସୁଗୁଡ଼ା ଜିଲ୍ଲାରେ ହୋଇଥିଲା ଓ ଉଦୟଗିରିଠାରେ ହିଁ ସେ ମହାନିର୍ବାଣ ପ୍ରାପ୍ତ କରିଥିଲେ ବୋଲି ସମ୍ମାନିତ ଅତିଥି ଓଡ଼ିଆ, ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ପ୍ରକାଶ କରିଥିଲେ।
ଗୁରୁ ପଦ୍ମସମ୍ଭବ ଓ ବୌଦ୍ଧ ତନ୍ତ୍ରଯାନ ସମ୍ବନ୍ଧୀୟ ପ୍ରମାଣ, ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆଣିଥିବାରୁ ଉପସ୍ଥିତ ବିଶେଷଜ୍ଞ ଗବେଷକମାନଙ୍କୁ ସେ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ବଡ଼ଚଣା ବିଧାୟକ ଅମର କୁମାର ନାୟକ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲ୍ଲାପାଳ ଅମ୍ବର କୁମାର କର, ଜିରାଙ୍ଗର ବୌଦ୍ଧଗୁରୁ ଜିଗମେ ରିଙ୍ଗପୋଚେ, ଲାଇଟ୍ ଅଫ୍ ବୁଦ୍ଧ ଫାଉଣ୍ଡେସନ୍ର ମୁଖ୍ୟ ୱାଙ୍ଗମୋ ଡିକ୍ସେ ପ୍ରମୁଖ ମଞ୍ଚାସୀନ ଥିଲେ।
ଜାନୁଆରି ୧୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀରେ ଦେଶ ବିଦେଶରୁ ପ୍ରାୟ ୧୭ ଶହରୁ ଊର୍ଦ୍ଧ୍ବ ବୌଦ୍ଧ ଧର୍ମାବଲମ୍ବୀ, ଗୁରୁ, ପର୍ଯ୍ୟଟକ ଯୋଗ ଦେଇଛନ୍ତି। ଏହି ଅବସରରେ ଅତିଥିମାନେ ଉଦୟଗିରି ସ୍ମରଣିକା ସହ ବୌଦ୍ଧ ଐତିହ୍ୟ ସମ୍ବନ୍ଧୀୟ ପୁସ୍ତକ ଉନ୍ମୋଚନ କରିଥିଲେ।
ଏଥି ସହିତ ଓଡ଼ିଶା ଓ ଗୁରୁ ପଦ୍ମସମ୍ଭବଙ୍କ ଇତିହାସକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ଲାଇଟ୍ ଅଫ୍ ବୁଦ୍ଧ ଫାଉଣ୍ଡେସନ୍ର ରିଚାର୍ଡ ଡିକ୍ସେ, ପ୍ରତ୍ନତତ୍ତ୍ୱବିତ୍ ଡ. ଫ୍ରେଡରିକ୍ ମରୁନଭାଲ, ବିଶିଷ୍ଟ ଗବେଷକ ପ୍ରବୀର ପଟ୍ଟନାୟକ, ଗବେଷକ ଡ. ଅନୀତା ସାବତ, ପ୍ରଫେସର ରାହୁଲ ରବିରାଓ, ଲାମା ତେଞ୍ଜିନ ସାମ୍ଫେଲ ଅଂଶଗ୍ରହଣ କରିଥିଲେ।
ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଡ. ସୁବ୍ରତ କୁମାର ପୃଷ୍ଟି, ସଂସ୍କୃତି ବିଭାଗ ଉପନିର୍ଦ୍ଦେଶକ ଦେବଯାନୀ ଭୂୟାଁ, ଓଟିଡିସି ଜିଏମ୍ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବୀପ୍ରସାଦ ମହାନ୍ତି, ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀରଞ୍ଜନ ପଟ୍ଟନାୟକ, ପର୍ଯ୍ୟଟନ ଅଧିକାରୀ ତାପସ କୁମାର ସାହୁ ଉପସ୍ଥିତ ଥିଲେ।
Edited by k.s thakur...




