୭୭ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ...
ପଦ୍ମପୁର,୨୭/୦୧(ବିଜୟ କୁମାର ସାହୁ):ପଦ୍ମପୁର ସ୍ଥାନୀୟ ଆର.ବି. ହାଇସ୍କୁଲ ପଡ଼ିଆରେ ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଉତ୍ସବ ଭବ୍ୟ ଭାବେ ପାଳିତ ହୋଇଯାଇଛି।
Ad..
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ପଦ୍ମପୁର ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରି ପଦ୍ମପୁରବାସୀଙ୍କୁ ସମ୍ବୋଧନ କରିଥିଲେ।
Ad..
ମୁଖ୍ୟ ଅତିଥି ଉପଜିଲ୍ଲାପାଳ ସ୍ନେହା ଅରୁଗୁଲା ପ୍ରଥମେ ପଦ୍ମପୁର ଅଞ୍ଚଳବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇ ନିଜ ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ ଯେ, ସମ୍ବିଧାନ ନିର୍ମାଣରେ ମହାନ ମହାପୁରୁଷମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତ ଏକ ସର୍ବଭୌମ, ସାମାଜିକ, ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହୋଇଥିଲା।
Ad..
ସେ କହିଥିଲେ ଯେ ପ୍ରତ୍ୟେକ ଭାରତୀୟ ନାଗରିକଙ୍କର କର୍ତ୍ତବ୍ୟ ହେଉଛି ସମ୍ବିଧାନର ସୁରକ୍ଷା ଓ ରାଷ୍ଟ୍ରର ସୁରକ୍ଷା ପ୍ରତି ସଚେତନ ରହିବା। ଆମ ଐତିହାସିକ କୃଷି, ଲୋକସଂସ୍କୃତି, କଳା, ସାହିତ୍ୟ, ସ୍ବାଧୀନତା ସଂଗ୍ରାମ ଓ ସଂସ୍କୃତି ଆମ ଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ପ୍ରଶାସନ ଓ ଲୋକମାନଙ୍କ ସହଯୋଗରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ରାସ୍ତା, ଡିଜିଟାଲ ସେବା ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଶେଷରେ ସମସ୍ତ ପଦ୍ମପୁରବାସୀଙ୍କୁ ଅଞ୍ଚଳର ବିକାଶ ପାଇଁ ସମର୍ପିତ ଭାବେ କାମ କରିବାକୁ ଆହ୍ୱାନ କରିଥିଲେ।
ପ୍ରଭାତ ୪ଟା ୩୦ମିନିଟ୍ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡ଼ାକବାଜୀ ଯନ୍ତ୍ର ସାହାଯ୍ୟରେ ରାମଧୂନ କରାଯାଇଥିଲା। ପ୍ରଭାତଫେରୀ ଗୋପାଳଜୀ ମନ୍ଦିରରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା।
ଏହି ଉତ୍ସବରେ ମୋଟ ୪୫ଟି ପ୍ୟାରେଡ୍ ଦଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ଜେଲ୍ ଅନ୍ତେବାସୀମାନଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ। ସେହିପରି ମେଡିକାଲ ରୋଗୀମାନଙ୍କ ଓ କୁଷ୍ଠାଶ୍ରମରେ ଧୋତି ଓ ଶାଢୀ ବଣ୍ଟନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସହରର ବରିଷ୍ଠ ବ୍ୟକ୍ତିବର୍ଗ, ସାମ୍ବାଦିକମାନେ, କାର୍ଯ୍ୟକାରୀ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମହେନ୍ଦ୍ର ସାହୁ, ଉପଜିଲ୍ଲାପାଳଙ୍କ ସହାୟକ ଶ୍ରୀ ସନ୍ତୋଷ କୁମାର ପତି, ଜିଲ୍ଲାପାଳଙ୍କ ସହାୟକ ଶ୍ରୀ ନେପାଳ ଚନ୍ଦ୍ର ମୁଣ୍ଡା ଏବଂ ପଦ୍ମପୁର କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
Report : Bijay ku sahu
Edited by k.s thakur...




